ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଶ୍ମି ରଞ୍ଜିତା ମିଶ୍ର (ରୋଜି) ଙ୍କ କବିତା ବୋଉ

ବୋଉ 

ଆଜି ବି ଝୁଣ୍ଟୁଛି ଝୁଣ୍ଟୁଥିଲି ଆଗେ
        ଆଗକୁ ଯେବେ ଝୁଣ୍ଟିବି
ସେହି ଗୋଟେ ଶବ୍ଦ ଆପେ ଦିଏ କହି
            କହୁଥିଲି, କହୁଥିବି।
ମନେପଡ଼େ ତା’ର ସବୁ ଉପଦେଶ
           ହୋଇଛି ଯା’ ଉପେକ୍ଷିତ
କେତେ ଉପଯୋଗୀ ମୋର ଏ ଜୀବନେ
            ଭାବି ମଥା ହୁଏ ନତ ।
ରାନ୍ଧୁଥିଲା ପୁଣି କେଡେ ଯତନରେ
             ଖୋଉଥିଲା କି ଆଦରେ
କାର୍ଯ୍ୟାଳୟୁ ଫେରି ଖୋଜେ ସେ ମୁହୂର୍ତ୍ତ
             ଶୁଏ ଯେଦିନ ଭୋକରେ ।
ଶୁଖିଲା ରୋଟିରେ ସେନେହର ଘୃତ
              ମମତା ତା’ ପଣତରେ
ଅପୁରଣ ଆଜି ମନେହୁଏ ମୋର
            ଏଇ ଉଚ୍ଚା ରୋଜଗାରେ ।
ମୋ ସାମାନ୍ୟ ଅସୁସ୍ଥ ସହି ସେ ପାରେନି
            ଆଖିରୁ ଝରାଏ ଲୁହ
ଉଜାଗର ରହି ସେବା କରୁଥାଇ
             ସାଇତି ଅବ୍ୟକ୍ତ କୋହ।
ଆକାଶର ଚାନ୍ଦ ଧରୁଥିଲି ହାତେ     
            ଅଝଟ ଯା ପଶେ ହୋଇ 
ଆଜି ମୋ ଆକାଶେ ଘୋଟିଛି ଅନ୍ଧାର
            ଛାଇ ଟିକେ ତାର ନାହିଁ ।
ଦେଖେଇଲା ଯିଏ ବଣ, ବିଲ, ନଈ
             ପ୍ରାକୃତିକ ସବୁଜିମା
କି ଗାଇବି ଗୀତ କି ପଢିବି ଗପ
            ଯୋଉଠି ନାହିଁ ତା ନାଁ।
ସହିଛି କେତେ ସେ ବିଜୁଳି ଚମକ
             ଘଡଘଡି, ବଜ୍ରପାତ
କେଡେ ଧୈର୍ଯ୍ୟମୟୀ ପୁଣ୍ୟତୋୟା ମୋର
            ଭୋଗେ ବନ୍ୟା,ବିତିପାତ ।
ଲୁଚି ଲୁଚି କେତେ ଲୁହ ସେ ପିଇଛି
           ବାଣ୍ଟିଛି ଯେ ହସ ଖୁସି
ଆଜି ମୁଁ ଭାବୁଛି କେଡେ ଭାଗ୍ୟବତୀ
          ତାହାରି ଗରଭୁ ଖସି।
ସିଏ ମୋ ଆକାଶ ସିଏ ମୋ ପୃଥିବୀ
            ସିଏ ହିଁ ସ୍ପନ୍ଦନ ମୋର
ଯେତେ ଦଣ୍ଡବତ, ପ୍ରଣିପାତ କଲେ
           କମିବ ଚରଣେ ତାର ।

ରଶ୍ମି ରଞ୍ଜିତା ମିଶ୍ର (ରୋଜି)

ବ୍ରାହ୍ମଣ କୁଶଡିହ, ବାଲୁଗାଁ, ଖୋର୍ଦ୍ଧା

Related posts

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଗୋତୋମୁଣ୍ଡାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ସନ୍ତୋଷ କୁମାର ସାହୁ ଙ୍କ ରିପୋର୍ଟ ହେ ଗଜାନନ

Sunil Chandra Nayak

ରାଷ୍ଟ୍ରପତି ନିର୍ବାଚନ: ଭୋଟ ଦେବାକୁ ଆସିଲେ ନାହିଁ ପ୍ରଶାନ୍ତ ଜଗଦେବ

Sunil Chandra Nayak

Leave a Comment

error: Content is protected !!