Uncategorizedସ୍ମୃତିରଞ୍ଜନ ଦାସ ଙ୍କ କବିତା ଲୁଚକାଳି by Sunil Chandra NayakAugust 24, 20220136 Share0 ଲୁଚକାଳି ବାଳୁତରେ ଦିନେ ଖେଳୁଥିଲି ମୁହିଁ ସାଙ୍ଗ ସାଥେ ଲୁଚକାଳି ଖୋଜୁଥିଲି ତାଙ୍କୁ ମନପ୍ରାଣ ଦେଇ କେଉଁଠି ଲୁଚିଲେ ବୋଲି । ଯେବେ ପାଇଯାଏ ସଭିଏଁଙ୍କୁ ନିଜେ ବିଜେତା ଘୋଷିତ ହୁଏ ଯେବେ ମୁଁ ନ ପାଏ ସେଥିରୁ ଜଣକୁ ପୁଣି ଖୋଜିବାକୁ ଧାଏଁ । ମଣିଲି ଏହାକୁ ପିଲାଖେଳ ଟିଏ ଯେବେ ହେଲି ଟିକେ ବଡ଼ ଭାବିଲି ଏ ଖେଳ ଜିତି କରି ମୁହିଁ କେଉଁ ବା ଜିତିବି ଗଡ଼ । ପୁଣି ମୁଁ ଦେଖିଲି ଶରତ ଆକାଶେ ସୂର୍ଯ୍ୟ ଖେଳେ ଲୁଚକାଳି ଚାନ୍ଦ ତ ଖେଳୁଛି ନିତି ଏହି ଖେଳ ନିଜର ଏହାକୁ ମଣି । ମନେ ମୁଁ ଭାବିଲି ଏମାନେ କାହିଁକି ପିଲାଖେଳ ଖେଳୁଛନ୍ତି ନା କେଉଁ ରହସ୍ୟ ଲୁଚି ରହିଅଛି ଜାଣିବା ଜରୁରୀ ଅଛି । ଦ୍ୱନ୍ଦରେ ପଡ଼ି ମୁଁ ପ୍ରଭୂ ସ୍ମରଣିଲି ହେଲେ କିଛି ନ ବୁଝିଲି ଭାବିଲି ମୁଁ ବୋଧେ ସିଏ ବି ମୋ ସାଥେ ଖେଳୁଛନ୍ତି ଲୁଚକାଳି । ଆଜି ଯେବେ ଆସି ବୟସଟା ମୋର ସାୟାହ୍ନରେ ପହଁଞ୍ଚିଛି ବୁଝି ଯେ ପାରୁଛି ଜୀବନକୁ ମୁହିଁ ମୋହ ମଧ୍ୟେ ବିତାଇଛି । ମୋ ମନ ଖେଳିଛି ବିବେକ ସାଥିରେ ଖେଳ ସେଇ ଲୁଚକାଳି ଇନ୍ଦ୍ରିୟ ସୁଖର ମୋହେ ଅନ୍ଧ ହୋଇ ସତ୍ୟ କେବେ ନ ଦେଖିଲି । ସୂର୍ଯ୍ୟ ଚନ୍ଦ୍ର ଥିଲେ ବିବେକ ପ୍ରତୀକ ମେଘ ଥିଲା ମନ ମୋର ମୋହର ପରଦା ଅନ୍ତରରେ ଟାଣି କରୁଥିଲା ଅନ୍ଧକାର । ଯେଉଁ ପ୍ରଭୂଙ୍କୁ ଯେ ଖୋଜୁଥିଲି ମୁହିଁ ବିବେକ ତାଙ୍କରି ଘର ବିବେକର ବାଣୀ ଇଶ୍ଵରଙ୍କ ବାଣୀ ବୁଝେ ନାହିଁ ମୂଢ ନର । ମନ ବିବେକର ଲୁଚକାଳି ଖେଳ ଏଇମିତି ଚାଲିଥିବ ଯାହାର ବିବେକ ଜିତି ଚାଲିଥିବ ନିଶ୍ଚେ ବିଜୟ ଲଭିବ । ସ୍ମୃତିରଞ୍ଜନ ଦାସ ଭୁବନେଶ୍ବର