ପୂଜା ଚାନ୍ଦା
ଆରେ ବାଇଧର ,
ପୂଜା ଚାନ୍ଦା ଟିକେ ଠିକ୍ କର,
କି ଦେଇ ପୂଜିବ ପ୍ରଭୁ ଗଜାନନ
ତା ପାଇଁ ଟିକିଏ ଚିନ୍ତା କର ।
ଆରେ ବାଇଧର…
ନଡ଼ିଆ କଦଳୀ ଭାଉ ଯାହା
କିପରି ପୂଜିବା କିଣି ତାହା,
ଆଜି କାଲି ପିଲା ଭୋଗ ଖାଆନ୍ତିନି
ସେଉ ବୁନ୍ଦିଆଟା ଭାରି ଭଲ ।
ଆରେ ବାଇଧର…
ଏଥର ପୁଜିବା ଆଡ଼ମ୍ବରେ,
ଡି ଜେ ସଙ୍ଗେ ଧୁମ୍ ମଚାଇରେ ,
ଟ୍ୟୁସନ୍ ରେ ଚାନ୍ଦା ପାଞ୍ଚଶ ହୋଇଛି
କ୍ଳବରେ ହୋଇଛି ଦ୍ଵି ହଜାର।
ଆରେ ବାଇଧର…
ହିସାବ ହେଉଛି ମିଟିଙ୍ଗ ରେ
ପୂଜା ପାଇଁ ମାତ୍ର ଛ ହଜାରେ,
ପିଆ ପିଇ ପାଇଁ ଅନଲିମିଟେଡ
ଡି ଜେ ପାଇଁ କୋଡ଼ିଏ ହଜାର ।
ଆରେ ବାଇଧର…..
ଶେଷେ ଏକ ବଡ ପାର୍ଟି ହେବ ,
ଚିକେନ ମଟନ ବି ଆସିବ,
ଚାନ୍ଦା ମାଗିଆଣ ଗାଡ଼ି ମଟର ଠୁଁ
ଅଭାବ କଷଣ ହେବ ଦୂର।
ଆରେ ବାଇଧର…
ଚୁଡ଼ା ଘଷା ଭୋଗ ଖାଉଥିଲୁ ,
ଭକ୍ତି ଭାବେ ପୂଜା କରୁଥିଲୁ ,
ସେତେବେଳେ ଦାସକାଠିଆ ପାଲା ଟି
ମନ ମୋହୁଥିଲା ସଭିଙ୍କର ।
ଆରେ ବାଇଧର….
ସେକାଳ ଭାବନା ନାହିଁ ଭଲା ,
ଆଧୁନିକ ଭାବେ ପୂଜା ହେଲା,
ଦେବ ଦେବୀ ପୂଜା ବାହାନାରେ ଆମେ
ଭୂଳିଗଲୁ ନିଜ ସୁସଂସ୍କାର ।
ଆରେ ବାଇଧର ……
ଅଚ୍ୟୁତାନନ୍ଦ ଧଳ
ଶାସନ ଖାସ୍ , ତିହିଡି , ଭଦ୍ରକ