ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ କବିତା ଜୟ ଗଣେଶ ପରିବାର

ଜୟ ଗଣେଶ ପରିବାର

ଉମାକାନ୍ତ ଦାସ

ଜୟ ହେ ବିଘ୍ନ ବିନାଶନ,
ଜୟ ହେ ପାର୍ବତୀ ନନ୍ଦନ,।।
ଦେହର ମଳିରୁ ଉତ୍ପନ୍ନ ,
ଜଗତେ ଦିଅ ବିଦ୍ଯାଦାନ ।।
ଦ୍ବାରେ ହୋଇଲ ଦ୍ବାରପାଳ
ମାତାଙ୍କ ହୋଇ ରଖୁଆଳ ।।
ପିତାଙ୍କୁ ଦ୍ଵାର ନ ଛାଡିଲ
ତ୍ରିଶୂଳେ ପ୍ରାଣ ବଳି ଦେଲ ।।
ପ୍ରବେଶି ଗୁମ୍ଫାର ଭିତର
ଜାଣିଲେ ପ୍ରଭୁ ହରିହର ।।
ପାର୍ବତୀ ହେଲେ ଶୋକଭର
ଧରିତ୍ରୀ ହେଲା ଥରହର ।।
ଧ୍ୟାନେ ଜାଣିଲେ ଶଙ୍କର୍ଷଣ
ଜନ୍ମିଛି ହସ୍ତୀର ନନ୍ଦନ ।।
ପଶ୍ଚିମ ଦିଗେରେ ମିଳିବ
ନନ୍ଦୀକୁ ବୋଇଲେ ଆଣିବ ।।
ଆଦେଶେ ଚଳି ଖରତର
ବେଗେ ଆଣିଲେ ହସ୍ତୀ ଶିର ।।
ତତକ୍ଷଣେ ଜାଣି ମହାଦେବ
କନ୍ଧେ ଯୋଡିଲେ ଗଜ ଭାବ।।
ସେଦିନୁ ଅଗ୍ରପୂଜ୍ଯ ହେଲ
ଜଗତେ ଜ୍ଞାନ ପ୍ରଚାରିଲ ।।
ହୋଇଲା ବିବାହ ବୟସ
ମନରେ ନଥିଲା ହରସ ।।
କିପରି କରିବି ସଂସାର
କନ୍ଧେ ମୋ ଶୋଭେ ପଶୁଶିର ।।
ଚିନ୍ତାରେ ରୁହ ଗଜାନନ,
ଜାଣିଲା ମୂଷିକ ବାହାନ ।।
ଫେଡିବ ତମର କଷଣ
ମନରେ ବାନ୍ଧିଲା ସେ ଟାଣ ।।
କରିବି ଦେବ ସଭା ଚୂର୍ଣ୍ଣ
ଯେଉଁଠି ହେଵ ଆୟୋଜନ ।।
ଯେବେ ଶୁଣିବେ ବ୍ରହ୍ମଦେବ
ମୋ ପ୍ରଭୁ ଦୁଃଖ ଦୂର ହେବ ।।
ଯେଉଁଠି ହେଲା ଦେବ କର୍ମ
ପ୍ରବେଶି ପାଳେ ନିଜ ଧର୍ମ ।।
ପ୍ରୟୋଗ କରି ତୀକ୍ଷ୍ଣ ଦନ୍ତ
କାଟି କରିଲା ଅସ୍ତବ୍ୟସ୍ତ ।।
ନ ହେଲା ଦେବ କାର୍ଯ୍ୟ ପୂର୍ଣ୍ଣ
ଦେବେ ହିଁ ହୋଇଲେ ବିଷର୍ଣ୍ଣ ।।
ଚଳିଲେ ବୈକୁଣ୍ଠ ଭୂବନ
ବ୍ରହ୍ମାଙ୍କୁ କଲେ ନିବେଦନ ।।
ମୂଷିକ କରଇ ପ୍ରଳୟ
ଦେଖି ଲାଗୁଛି ତାକୁ ଭୟ ।।
ଶୁଭ କାର୍ଯ୍ୟରେ ବାଧା ଦିଏ
କାହାକୁ ଭୟ ସେ ନ ପାଏ ।।
ଶୁଣିଣ ବ୍ରହ୍ମାଣ୍ଡ ଠାକୁର
ଇନ୍ଦୁକୁ ଡାକି ତତପର ।।
ପଚାରି ବୁଝି ତଥ୍ୟମାନ
ଫେଡିଲେ ଭକ୍ତର କଷଣ ।।
ଖଟାଇ ନିଜ ସୁବିଚାର
କରିଲେ ଉପାୟ ତାହାର ।।
ମାନସ କନ୍ୟା କଲେ ଜନ୍ମ
ଦୁଇଟି ହୋଇଲେ ଉତ୍ପନ୍ନ ।।
ରିଦ୍ଧି ଓ ସିଦ୍ଧି କନ୍ୟା ଦ୍ବୟ
ରୂପରେ ତ୍ରିପୁର ବିଜୟ ।।
ଗୁଣରେ ନାହିଁ ପଟାନ୍ତର
ଚକିତ ହେଲେ ସୁର ନର ।।
ଏଥକୁ କଲେ ସୁବିଚାର
ସେ ପୁଣି ବ୍ରହ୍ମାଣ୍ଡ ଠାକୁର ।।
କନ୍ଯାଙ୍କୁ କରି ସମର୍ପଣ
କହିଲେ ଶୁଣ ହେ ବଚନ ।।
ହେ ଦେବ ତୁମେ ଗଜାନନ
ଦିଅ ଏହାଙ୍କୁ ବିଦ୍ଯାଦାନ ।।
ଏ ଦୁହେଁ ହେବେ ଶିଷ୍ଯା ତୁମ
ତୁମ ଜ୍ଞାନରେ ହେବେ ସମ।।
ଜ୍ଞାନର ହେବ ପ୍ରସାରଣ
ଜ୍ଞାନ ପୂଜିବେ ନରରାଣ ।।
ଆଜ୍ଞାକୁ ଅବଜ୍ଞା ନକଲ,
ଦୁହିଁଙ୍କୁ ସ୍ବସ୍ଥାନକୁ ନେଲ ।।
ଅତି ଯତନେ ପାଳିଥିଲ
ଜ୍ଞାନର ଅଧିଷ୍ଠାତ୍ରୀ କଲ।।
ଏମନ୍ତେ ଗଲା କିଛି ଦିନ
ଆସିଲା ଦୁହିଁଙ୍କ ଯୌବନ ।।
ଦେହରେ ବାଜିଲା ବସନ୍ତ
ହୁଅନ୍ତି ଦୁହେଁ ହନ୍ତସନ୍ତ ।।
ସ୍ବର୍ଗରେ ହେଲେ କା ବିବାହ
ମୂଷିକ ହୋଇ ବାର୍ତ୍ତା ବହ ।।
କୁହଇ ତୁମରି ନିକଟ
ଶୁଣନ୍ତି ସେହି ଦୁଇଚାଟ ।।
ପାଇ ସେ ନବ ଯଉବନ
କେମନ୍ତେ କାଟନ୍ତେ ଜୀବନ ।।
ସହଯେ ସେ ନବ ଯୌବନା
ରୁହନ୍ତି ଦୁହେଁ ଆନମନା ।।
ଯୌବନ ଭାରେ ହୋଇ ଅନ୍ଧ
ଚିହ୍ନନ୍ତି ନାହିଁ ଗୁରୁ ପାଦ।।
ପ୍ରେମ ଆଳାପେ ହୋଇ ମଗ୍ନ
କରନ୍ତି ସିଏ ନାନା ପ୍ରଶ୍ନ ।।
ଅତିଷ୍ଠ ହୋଇ ବିଦ୍ଯାପତି
ବ୍ରହ୍ମାଙ୍କୁ କହିଲ ଝଟତି ।।
ଶୁଣିଣ ସେହି ସୃଷ୍ଟିକର୍ତ୍ତା
ମନରେ କଲେ ମହାଚିନ୍ତା ।
ସୃଷ୍ଟି ଗଢିବା ତାଙ୍କ କାମ 
ଗଢିଲେ ହୋଇସେ ନିସ୍କାମ ।।
ରିଦ୍ଧି ଓ ସିଦ୍ଧିର ସହିତ
ଯୋଡ଼ିଲେ ନେଇ ତୁମ ହସ୍ତ ।।
ବିବାହ ବନ୍ଧନେ ବାନ୍ଧିଲ
ଛାତ୍ରୀଙ୍କ ଗଳେ ହାର ଦେଲ ।।
ହୋଇଲେ ଦୁହେଁ ପତ୍ନୀ ବର
ଆନନ୍ଦେ କରିଲ ସଂସାର ।।
ଖୁସି ଯେ ବହୁତ ମୂଷାର
ତା ନାଚେ କମ୍ପେ ସ୍ବର୍ଗ ପୁର ।।
ଦୁଇଟି ପତ୍ନୀଙ୍କ ସହିତେ
ଆନନ୍ଦେ ଦିନ ଗୋଟି ବିତେ ।।
କୌତୁକେ କଟି ଯାଏ ଦିନ
ଆସିଲା ସେ ଶୁଭ ଲଗନ ।।
ହୋଇଲେ ଦୁହେଁ ଗର୍ଭଦ୍ବୟ
ହୃଦୟେ ନ ରଖି ସଂସୟ ।।
ସୁସ୍ୱାଦୁ ଭୋଜନ ଚାହିଁଲେ
ଯୋଗାଡି ଆନନ୍ଦେ ଖାଇଲେ।।
ଦଶମାସ ଯେ ହେଲା ପୂର୍ଣ୍ଣ
ତାଙ୍କ ଶରୀର ହେଲା କ୍ଷୀଣ ।।
ଦଶମ ଦିନ ପ୍ରବେଶିଲା
ପ୍ରସବ ପୀଡା ସୃଷ୍ଟି ହେଲା ।।
ଭୂମିଷ୍ଠ ହେଲେ ଦୁଇ ପୁତ୍ର
ଆନନ୍ଦ ହେଲ ହସ୍ତୀଦନ୍ତ ।।
ବିଧିବିଧାନ ବଳେ ତୁମେ
ତତ୍ପର ହେଲ ସର୍ବ କର୍ମେ ।।
ହକାରି ଆଣି ବୃହସ୍ପତି
ରାଶି ଶୁଣିଲ ଦେଖି ପୋଥି ।।
ନାମ ଯେ ଶୁଭ ଲାଭ ଦେଲ
ସୃଷ୍ଟିକୁ ଆନନ୍ଦେ ପାଳିଲ ।।
ଭୋଦେବ ତୁମେ ଗୁରୁବର
ଶିଷ୍ଯାଙ୍କୁ କଲ ଗଳେ ହାର ।।
ତୁମେ ତ ସ୍ବୟଂ ଜ୍ଞାନ ଦାତା
ବନ୍ଧନେ ବାନ୍ଧିଲେ ବିଧାତା ।।
ନଥିଲା ଦୋଷ ଯେ ତୁମର
ଆଦେଶ ମାନିଲ ତାଙ୍କର ।।
ଛାତ୍ରୀଙ୍କୁ ପତ୍ନୀ ରୂପେ ପାଇ
ବିହାର କଲ ହେ ଗୋସାଇଁ ।।
ଭୋଦେବ ତୁମେ ଜ୍ଞାନଦାତା
ସେ ଥିଲେ ତୁମର ଆଶ୍ରିତା ।।
ନଥିଲା ତୁମ ମତି ଭ୍ରମ
ରଖିଲ ପାଳି ପୁତ୍ରୀ ସମ ।।
ଆଜିର ଶିକ୍ଷକ ସମାଜ
ନେଲେ କି ସେ ରିତିରିବାଜ ।।
କରନ୍ତି ଅସଦାଚରଣ
ନିଅନ୍ତି କୁମାରୀ ଜୀବନ ।।
ମିଳଇ ଅନେକ ଖବର
ରଖ ତାହାଙ୍କୁ ଲମ୍ବୋଦର ।।
ଗୁରୁ ହିଁ ତୁମ ଅଂଶଦାନ
ଦିଅ ତାହାଙ୍କୁ ଦିବ୍ୟ ଜ୍ଞାନ ।।
ପୂଜୁଛି ଚରଣ ତୁମ୍ଭର
ହେ ପ୍ରଭୁ ଭବୁ ପାରି କର।।

ଲାଲବାଗ ,ଖାନନର,

ମଙ୍ଗଳ ପୁର , ଯାଜପୁର 

 

Related posts

ରାଇରଙ୍ଗପୁର ପୌରାଞ୍ଚଳର ୧୧,୧୨ ଏବଂ ୧୪ ନମ୍ଵୂ ଓ୍ବାର୍ଡରେ ବିଜେଡିର ଜନ ସଂପର୍କ ପଦଯାତ୍ରା 

Sunil Chandra Nayak

ଖୁଲମ ଖୁଲା ପଡିଛି ଟ୍ରାନ୍ସଫର୍ମର : ସବୁ ଦେଖି ଅଧିକାରୀ ଚୁପ 

Sunil Chandra Nayak

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ଓଡିଆ ଭାଷା ବିକାଶ ମଞ୍ଚର ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!