କାହିଁକି ଭଲ ପାଉଥିଲ ମୋତେ ?
ଅଧା ପଥ ରୁ ଯଦି ଯିବାର ଥିଲା
ଅଲଗା ପଥେ
ଆଉ ଅଜଣା ପଥିକ ସାଥେ,
ଚାଲୁଥିଲ କାହିଁକି ମୋର ହାତ ଧରି
ଯେମିତି ସତେ
କେତେ ଭଲ ପାଉଥିଲ ମୋତେ ॥
ମୁଁ ତ ଥିଲି ଅଛପା ଧଳା କାଗଜ ଟିଏ
ତୁମେ ଆସିଲ
ତୁଳୀ ଓ ମେଞ୍ଚାଏ ରଙ୍ଗ ଧରି,
ଆଙ୍କିଲ ସେଥିରେ ଗିରି ଉପବନ
ନଦୀ ନାଳ
ଆଉ ଡାଳେ ବସିଥିବା ଶୁଆଶାରୀ ॥
ସତରେ କି ସୁନ୍ଦର ଥିଲା ତୁମର ଛବି
ଯାହା ଥିଲା
ମିଛ ଦୁନିଆ ର କାରିଗରୀ,
ହେଲେ ଏ ଅଥୟ ପାଗଳ ପ୍ରେମିକ
ଭାବୁ ଥିଲା
ସରଗ ରାଇଜର ଅପସରୀ ॥
ଦିନେ ଉଡି ଯିବ ରଙ୍ଗ ମୋ କାଗଜରୁ
କାଇଁ କହିତ
ନଥିଲ ତୁମେ ରଙ୍ଗ ଭରୁ ଭରୁ,
ଜଳୁଛି ଆଜି ତୋ ପ୍ରତାରଣା ନିଆଁରୁ
ତଥାପି ଖୋଜେ
ଛଳନା ରଙ୍ଗ ଅତୀତ ପୃଷ୍ଠାରୁ ॥
କାହିଁକି ଭଲ ପାଇଥିଲ ମୋତେ ?
ଯଦି ଯିବାର ଥିଲା
ଅଲଗା ପଥେ ଆଉ ଅଜଣା ପଥିକ ସାଥେ… ॥
ଅଜିତ ଦାଶ
ଏନ୍ଟିପିସି କଣିହାଁ