ମୃତ୍ୟୁ ଏକ ଅବଶ୍ଯମ୍ଭାବି ଶବ୍ଦ
ପ୍ରତି ମୁହୁର୍ତ୍ତରେ ପାଖରେ ଅଛି
କେତେବେଳେ, କିପରି, କେଉଁଠି ହେବ
ଯିଏ ପଠେଇଛି ସିଏ ଜାଣିଛି ।
ସରୋବରେ ଲୁଚ କି କାଚଘରେ
ସେ ଶବ୍ଦ ସମ୍ମାନ କାଳ ଖୋଜିବ
ଅପଶକ୍ତି ବୁଦ୍ଧି ଗର୍ବ ତୁଟିଯିବ
ଯଦି ସେ ଶବ୍ଦକୁ ହେୟ ମଣିବ ।
ସେ ଶବ୍ଦ ଦେଖାଏ ନିର୍ବାଣର ରାସ୍ତା
ସୁଖ, ଶାନ୍ତିଧାମ କରମଫଳେ
ସ୍ବର୍ଗ, ନର୍କ, ଭାଗ୍ଯ ତୁଚ୍ଛା ଆଲୋଚନା
ମନଗଢା କଥା ଅଜ୍ଞାନ ଭାଳେ ।
ତା’ର ପ୍ରତିଶବ୍ଦ ଭାଷାକୋଷେ ଲେଖା
ଅଙ୍ଗେ ନିଭାଏ ଯଥାର୍ଥ ସଜୀବ
ଜଡ ବି ବିଲୟ ହୁଏ କାଳ ବଳେ
ଯେବେ ଆୟୁ ଅଣ ଆୟତ୍ତ ହେବ ।
ଧ୍ରୁବ ସତ୍ଯ ଶବ୍ଦ ଆତଙ୍କ ବଢାଏ
ଯଦିଶ୍ଚ ଦୁଷ୍କାର୍ଯ୍ଯ ବ୍ଯର୍ଥ ଚିନ୍ତନ
ଜୀବନ ଗଣିତ କ୍ରିୟା ସୂତ୍ରହୀନ
ଶତଗୁଣ ଦଶା ଦଣ୍ଡ ବିଧାନ ।
ମୃତ୍ୟୁ ଏକ ଅବଶ୍ଯମ୍ଭାବି ଶବ୍ଦ
ଚୁକ୍ତି, ବରପ୍ରାପ୍ତି, ବ୍ରତ ନିଷ୍ଫଳ
ଅଚାନକ ପିଣ୍ଡୁ ପ୍ରାଣ ଚାଲିଯିବ
ପାଣି ଫାଟିଯିବ ବଇଦ ବଳ ।