Uncategorizedସ୍ମୃତିରଞ୍ଜନ ଦାସ ଙ୍କ କବିତା ଯନ୍ତ୍ରଣା by Sunil Chandra NayakSeptember 20, 20220127 Share1 ଯନ୍ତ୍ରଣା ସତେ କି ଲାଗୁଛି ଆକାଶୁ ଆସିଛି ଯନ୍ତ୍ରଣା ରାକ୍ଷସ ଟାଏ ନାଁ ଶୁଣି ଯାର ହିଆ ମୋର ଥରେ ମନ ଟା ବି ଭୟପାଏ । ପ୍ରତି ପ୍ରାଣୀ ମନ ଡରେ ଥରି ଉଠେ ପାଏ ଅପବାଦ ଗାଳି ହେଉ ମାନସିକ ଅବା ଶାରୀରିକ କଷ୍ଟ ସିଏ ଦିଏ ବୋଲି । ଭୟାତୁର ମନ ନିଷ୍ପତ୍ତି ବି ନିଏ ନିଜକୁ କରିବ ଶେଷ ଭବିଷ୍ୟତ ଚିନ୍ତା ଏ ଗଣ୍ଡିକୁ ଖାଏ କରିଦିଏ ସର୍ବନାଶ । ଯନ୍ତ୍ରଣା ବିନା ଜୀବନ କେଉଁଠି କହି ପାରିବ କି ଭାଇ ଯନ୍ତ୍ରଣା ବିନା ସଫଳତା କାର ହାତେ ଆସିଛି ଓହ୍ଲାଇ । କଅଁଳା ଶିଶୁର ମୋହ ଟିକେ ପାଇଁ କେତେ ଯେ ଯନ୍ତ୍ରଣା ଅଛି କେବେ ଦେଖିଛ କି ସେ ଯନ୍ତ୍ରଣା ପାଇଁ ମାଆର ମନରୁ ଛି ଛି । ବସୁନ୍ଧରା କୋଳେ ବୀଜ ଟିଏ ଯେବେ ପ୍ରଥମ କରି ଅଙ୍କୁରେ ହେଉ ଟାଣ ଖରା ଅବା ବାରିଧାରା କେତେ ଯେ କଷ୍ଟ ସମ୍ଭାଳେ । ନିର୍ଝରିଣୀ ଯେବେ ଧାଏଁ ଆଗେ ଆଗେ ସିନ୍ଧୁରେ ମିଶିବା ପାଇଁ କଙ୍କରିତ ପଥ ତା ବାଟ ଓଗାଳି ରହି ଥାଏ ସଦା ଚାହିଁ । ଯନ୍ତ୍ରଣା କୁ ସହି ପଥରକୁ କାଟି ନଦୀର ସେ ରୂପ ନିଏ କୁଳୁ କୁଳୁ ନାଦେ ନାଚି ନାଚି ବହି ସବୁ ମନ ମୋହୁଥାଏ । ଦୁବର ଯନ୍ତ୍ରଣା ଦେଖିଛ କି କେବେ ପାଦେ ଯେବେ ଦଳି ହୁଏ ଅନାୟାସେ ସହେ ଅନେକ ଯନ୍ତ୍ରଣା ପୁଣି ଉଠି ଠିଆ ହୁଏ । କାହାକୁ ଯୋଗାଏ ଆହାର ମୁଠେ ସେ କେବେ ଶୋହେ ଦେବଘରେ ତା ବଡ ପଣିଆ ତାର ପୂଜ୍ୟପୂଜା ସିନା ଏ ଯନ୍ତ୍ରଣା ପରେ । ପାହାଡୁ ପଡ଼ିବା ପଥରଟା ଦିନେ ରାସ୍ତାରେ ପଡିଥିଲା ନିହାଣ ମୁଗୁର ଯନ୍ତ୍ରଣା ସିନା ତାକୁ ଦେବତାଟେ କଲା । ନାରୀ ଗ୍ରୀବା ଶୋଭା ବଢାଇ ଥାଏ ଯେ ଅଳଙ୍କାର ଖଣ୍ଡି ଖଣ୍ଡି ଦେଖିଛ କି ତାର ତପ୍ତତା କେତେ ଉମ୍ଭେଇ ଭିତରେ ଉଣ୍ଡି । ଯନ୍ତ୍ରଣା ବିନା ଜୀବନ ନ ଥାଏ ନାହିଁ ସଫଳତା ପେଡ଼ି ଏଣୁ ହିଁ ଇଶ୍ଵର ଜୀବନ ସାଥୀରେ ଯନ୍ତ୍ରଣାକୁ ଥିଲେ ଯୋଡି । ଯନ୍ତ୍ରଣା ତ ହେଲା ଅଗ୍ନିଶିଖା ଟିଏ ପୋଡେ ଗର୍ବ ଅହଙ୍କାର ମନକୁ ଏକାଗ୍ର କରି ସେ ଲଗାଏ ପ୍ରଭୁ ଠାରେ ନିରନ୍ତର । ପରମ ପାଇବା ଧରମ ଯେବେରେ ବ୍ରତ ହୋଇଯିବ ତୋର ଯନ୍ତ୍ରଣା ତେବେ ସହଚର ହେବ କରି ପଥ କ୍ଳେଶ ଦୂର । ସ୍ମୃତିରଞ୍ଜନ ଦାସ ଭୁବନେଶ୍ବର