☀️ମକର ସଂକ୍ରାନ୍ତି ☀️
ରଞ୍ଜିତା ସାହୁ✍
ଶୀତ ସକାଳର କଅଁଳ ସୂରୁଜ
ଶିଶିର ବୁଣଇ ସୁନେଲୀ ମୁରୁଜ। ।
ପ୍ରକୃତି ସୁନ୍ଦରୀ ସବୁଜ ପାଟରେ
ଅଳତା ଘୁଙ୍ଗୁର ହଳଦୀ ପାଦରେ। ।
ବେଣୀ ରେ ସଜାଏ ଫୁଲର ଗଜରା
ହାତରେ ସ୍ୱାଗତ ଥାଳି ଧରେ ପରା। ।
କୁନି ମୁନି ଆସ ବସିବା ମକର
ସାକ୍ଷୀ ରହିବେ ଟି କାଳିଆ ଠାକୁର। ।
ମକର ବେଢା ଯେ ଅତିବ ସୁନ୍ଦର
ଋତୁ ପ୍ରବେଶ କରିବେ ଶିଶିର। ।
ଉତ୍ତରାୟଣ ହେବେ ସୂରୁଜ ଦେବ
ଅର୍ଘ୍ୟଦାନ ପୁଣି ବନ୍ଦାପନା ହେବ।।
ପିଠେ ପିଠେ ମକର ଚାଉଳ ଭୋଗ
ଛେନା ଗୁଡ କଦଳୀ ନଡିଆ ଯୋଗ।।
ଘୃତ କମ୍ବଳ ଲାଗି ଶ୍ରୀଅଙ୍ଗ ରାଜେ
ଶ୍ରୀ ଲୋକନାଥ ମକର ଚୂଳ ବିଜେ।।
ଆଜି ଠାରୁ ମକର ଆମେ ହୋଇବା
କେହି କାହାରି ନାମ ନ ଧରିବା। ।
ମକର ସଂକ୍ରାନ୍ତି ମକର ଚାଉଳ
ବଢି ବଢି ଚାଲିବ ଆଜିଠୁ ବେଳ। ।
ଗୁଡି ଉଡାଇବା ଧରି ହାତରେ ସୂତା
ସାଥୀ ହୋଇ ପଢିବା ଆମେଟି ଗୀତା।।
ରାଗ ରୁଷା ଅଭିମାନ ରଖିବାନି
କାମ କ୍ରୋଧ ଲୋଭ ପାଖ ପସିବନି।।
ଶାନ୍ତି ମୈତ୍ରୀ ସଂସ୍କୃତି ଆମ ପରମ୍ପରା
ରାଗ ହିଂସା ତେଜି ରଖିବା ଭାଇଚାରା।
ପବିତ୍ର ସଂପର୍କ ଏହିଟି ଆମର
ଯୁଗ ଯୁଗ ପାଇଁ ହେବଟି ଅମର।।
———————-::::::::———————-
ପାରାଦ୍ବୀପ ଗଡ, କୁଜଙ୍ଗ, ଜଗତସିଂହପୁର