ଜଗନ୍ମାତାଙ୍କ ନବମସ୍ବରୂପ
ମାତା ସିଦ୍ଧିଦାତ୍ରୀ
ଆଦିଶକ୍ତି ମହାମାୟା ଏ ସୃଷ୍ଟିର ଚରମ ଓ ପରମ ତତ୍ତ୍ବ,ସେ ଶକ୍ତି ଓ ସନାତନ ଅଟନ୍ତି।ତାଙ୍କଠାରୁ ହିଁ ବିଭିନ୍ନ ନାମ, ରୂପ ଯୁକ୍ତ ସୃଷ୍ଟି ହୋଇଛନ୍ତି ।ଦୁର୍ଗା ରୂପରେ ସେ ମହିଷାସୁରକୁ ସଂହାର କରି ସେ ମହିଷାମର୍ଦ୍ଦିନୀ ରୂପରେ ପୂଜିତ ହୁଅନ୍ତି।କାଳୀରୂପରେ ସମସ୍ତଙ୍କୁ ଗ୍ରାସ କରୁଥିବା କାଳକୁ ଭକ୍ଷଣ କରନ୍ତି, ଜଗଦମ୍ବାଙ୍କ ରୂପରେ ସେ ସାରା ସୃଷ୍ଟିର କରୁଣାମୟୀ ଜନନୀ।ପାର୍ବତୀରୂପରେ ସେ କର୍ତ୍ତବ୍ୟ ପରାୟଣା ଗୃହକର୍ତ୍ତ୍ରୀ,ରକ୍ତଦନ୍ତୀ ନାମରେ ସେ ସଂହାରର ଅଧିଷ୍ଠାତ୍ରୀ ଦେବୀ,କୌମାରୀ ରୂପରେ ସେ ସବୁଠାରୁ ପବିତ୍ର ଓ ନିର୍ମଳ, ଲଳିତା ରୂପରେ ଦେଦୀପ୍ୟମାନ ସୌନ୍ଦର୍ଯ୍ୟର ପ୍ରତିମୂର୍ତ୍ତି ଏବଂ ଜୀବନସଂଚାର କାରିଣୀ, ଉମାଙ୍କ ରୂପରେ ସେ ଶ୍ରେଷ୍ଠାତପସ୍ବିନୀ, ଚାମୁଣ୍ଡା ରୂପରେ ସେ ଚଣ୍ଡମୁଣ୍ଡ ସଂହାରିଣୀ,ରାମାୟଣ କାଳରେ ସେ ମାତା ଜାନକୀ ରୂପରେ ଉଦ୍ଭବ ସ୍ଥିତି ସଂହାରକାରିଣୀ କୁହାଯାଇଛି।ମହାଭାରତ କାଳରେ ସେ ଭଗବାନ ଶ୍ରୀକୃଷ୍ଣଙ୍କ ଭଗିନୀ ବିନ୍ଧ୍ୟାଚଳବାସିନୀ।ନନ୍ଦଗ୍ରାମରେ କନ୍ୟା ହୋଇ ଜନ୍ମ ହୋଇଥିବାରୁ ନନ୍ଦଜା ବୋଲାନ୍ତି୍।ସେ ଆଦି,ମଧ୍ୟ,ଅନ୍ତ ଅଟନ୍ତି।ଶକ୍ତିସ୍ବରୂପା ଜଗନ୍ମାତାଙ୍କର ଅକଳନରୂପ ଓ ଅବତାରର ଆଦି ଅନ୍ତ ନାହିଁ।ତାଙ୍କୁ କେବଳ ଶିବ ହିଁ ବର୍ଣ୍ଣନା କରିପାରନ୍ତି।
ସିଦ୍ଧଗନ୍ଧର୍ବଯକ୍ଷାଦୈରସୁରୈରମରୈରପି
ସେବ୍ୟମାନା ସଦା ଭୂୟାତ୍
ସିଦ୍ଧିଦାସିଦ୍ଧିଦାୟିନୀ।
ଚେତନାର ନବମ ଆୟାମରେ ସାଧକ ନିଜ ସାଧନାକୁ ସଂପୂର୍ଣ୍ଣ କରନିଏ ଏବଂ ସିଦ୍ଧିପ୍ରାପ୍ତ କରିଥାଏ।ଦେବୀପୁରାଣ ଅନୁସାରେ ଭଗବାନ ଶିବ ମାତାଙ୍କ କୃପାରୁ ହିଁ ସିଦ୍ଧିପ୍ରାପ୍ତ ହୋଇଥିଲେ ମାତାଙ୍କ ଅନୁକମ୍ପାରୁ ହିଁ ଭଗବାନ ଶିବଙ୍କ ଅଧାଶରୀର ଦେବୀଙ୍କର ହୋଇଥିଲା।ଏହି କାରଣରୁ ଚନ୍ଦ୍ରମୌଳୀ ଅର୍ଦ୍ଧନାରୀଶ୍ବର ନାମରେ ପ୍ରସିଦ୍ଧ ହେଲେ।
ମା ସିଦ୍ଧିଦାତ୍ରୀଙ୍କର ସ୍ବରୂପ ଅତ୍ୟନ୍ତ ସୌମ୍ୟ,ଚତୁର୍ଭୁଜା।ଉପର ଦକ୍ଷିଣ ହସ୍ତରେ ଚକ୍ର ଧାରଣ କରନ୍ତି ଯାହାଦ୍ବାରା ସେ ସଂପୂର୍ଣ୍ଣ ଜଗତର ଜୀବନ ଚକ୍ର ଚଳାଇଥାନ୍ତି,ଦକ୍ଷିଣ ନିମ୍ନହସ୍ତରେ ଗଦାଧାରଣ କରିଛନ୍ତି ଯାହାଦ୍ବାରା ସେ ଦୁଷ୍ଟଙ୍କ ଦଳନ କରନ୍ତି।ଉପର ବାମ ହସ୍ତରେ ଶଙ୍ଖଧାରଣ କରିଛନ୍ତି ଯାହାର ଦିବ୍ୟନାଦରେ ସମଗ୍ର ସଂସାରରେ ଧର୍ମର ଅସ୍ତିତ୍ଵ ପରିବ୍ୟାପ୍ତ,ନିମ୍ନବାମହସ୍ତରେ କମଳପୁଷ୍ପ ଧାରଣ କରନ୍ତି ଯାହାଦ୍ବାରା ସମଗ୍ର ଜଗତକୁ ପାଳନପୋଷଣର ଦାୟିତ୍ ବହନ କରିଥିବାର କଥାକୁ ଜାଣିହୁଏ।କମଳ ଆସନରେ ବୀରାଜିତ ହୋଇ ମଧ୍ୟ ତାଙ୍କର ବାହନ ସିଂହ।ରକ୍ତବସ୍ତ୍ର ପରିଧାନ କରି ମସ୍ତକରେ ସୁବର୍ଣ୍ଣର ବିଭିନ୍ନ ଆଭୂଷଣ ଶୋଭା ବଢାଉଥାଏ।ତାଙ୍କ ଛବି ପରମ କଲ୍ୟାଣକାରୀ ଯାହା ଜଗତକୁ ସୌଭାଗ୍ୟ ପ୍ରାପ୍ତ କରାଏ।ତାଙ୍କର ଉପାସନା କଲେ ଅଷ୍ଟସିଦ୍ଧି-ଅଣିମା, ଲଘିମା,ମହିମା,ଗରିମା,ପ୍ରାପ୍ତି,ପ୍ରାକାମ୍ୟ, ଈଶିତ୍ବ ଓ ବଶିତ୍ବ ଏବଂ ନବନିଧି ଲାଭହୁଏ।ଲୌକିକ ଓ ପାରଲୌକିକ ସମସ୍ତ କାମନାର ପୂର୍ତ୍ତି ହୋଇଯାଏ,ଭକ୍ତ ଭୌତିକ ସଂସାରର ଉର୍ଦ୍ଧ୍ବକୁ ଉଠି ମାନସିକ ସ୍ତରରେ ମା ଭଗବତୀଙ୍କ ଦିବ୍ୟାଲୋକରେ ବିଚରଣ କରି ତାଙ୍କର କୃପା-ରସ-ପୀୟୁଷ ନିରନ୍ତର ପାନକରିବାପାଇଁ ସୌଭାଗ୍ୟ ଲାଭକରି ବିଷୟଭୋଗଶୂନ୍ୟ ହୋଇଯାଏ, ଅମୃତପଦ ଦିଗରେ ଅଗ୍ରସର ହୁଏ।ସଂସାରର କୌଣସିଟି ବି ସେଭଳି ଭକ୍ତପାଇଁ ଅଗମ୍ୟ ହୁଏନାହିଁ।
ରାଧେକୃଷ୍ଣ ….
ସତ୍ୟ ନାରାୟଣ ମହାପାତ୍ର
ଭବାନୀପାଟଣା