ପିସିସି ସଭାପତିଙ୍କ ଉପସ୍ଥିତିରେ ଦଳରେ ସାମିଲ ହେଲେ ଶତାଧିକ ବିଜେଡି ଓ ବିଜେପି କର୍ମୀ
ଲାଞ୍ଜିଗଡ଼,୦୮/୧୦(ମନିସ)- ପୂର୍ବତନ ସାଂସଦ ଶରତ ପଟ୍ଟନାୟକ ପିସିସି ସଭାପତି ଦାୟିତ୍ବ ନେବା ପରଠାରୁ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇଉଠିଛି ! ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତଯୋଡ଼ୋ ଯାତ୍ରାର ପ୍ରଭାବ ସାରା ଦେଶରେ ଅନୁଭୁତ ହେଉଥିବାବେଳେ ଓଡ଼ିଶାରେ ବି ଏହାର ଝଲକ୍ ଦେଖିବାକୁ ମିଳିଛି ! ଦୀର୍ଘ ୨୨ ବର୍ଷ ନିରଙ୍କୁଶ ଭାବେ ଶାସନ କ୍ଷମତାରେ ଥିବା ଆଞ୍ଚଳିକ ଦଳ ବିଜେଡିକୁ କଡ୍ଡା ଟକ୍କର ଦେବାକୁ କଂଗ୍ରେସ ଏବେ ଅଣ୍ଟା ଭିଡିଥିବା ଲକ୍ଷ୍ୟ କରାଯାଉଛି ! ଏହିପରି ସ୍ଥିତିରେ କଳାହାଣ୍ଡି ଜିଲ୍ଲାର ୪ ତଥା ଲାଞ୍ଜିଗଡ଼ ବିଧାନସଭା ମଣ୍ଡଳୀରେ ଦୀର୍ଘ ବର୍ଷ ହେଲା ଶାସନ କ୍ଷମତାରେ ଥିବା ବିଜେଡିକୁ ମୁହଁ ମୋଡ଼ି କଂଗ୍ରେସ ଦଳରେ ଜଣକ ପରେ ଜଣେ ତୃଣମୂଳ ସ୍ତରର ନେତା ଓ କର୍ମୀ ଯୋଗ ଦେଉଥିବାରୁ ଶାସକ ଦଳର ଚିନ୍ତା ବଢ଼ିଯାଇଛି ! ଏହିପରି ଭାବେ ଗତ ଛଅମାସ ମଧ୍ୟରେ କେବଳ ଲାଞ୍ଜିଗଡ଼ ବ୍ଲକର ଚାରିଶହରୁ ଉର୍ଦ୍ଧ୍ବ ବିଜେଡି ଓ ବିଜେପି କର୍ମୀ ହାତ ଧରାଧରି ହୋଇ ଦଳ ଛାଡ଼ି ସାରିଲେଣି ! ଏଇ ଧାରା ଜାରି ରହିଥିବାବେଳେ ଆଜି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଜୁନାଗଡ଼ ଗସ୍ତ ସମୟରେ ଅନୁଷ୍ଠିତ ବିଶାଳ ମିଶ୍ରଣ ପର୍ବରେ କେବଳ ଲାଞ୍ଜିଗଡର ଶତାଧିକ ବିଜେଡି ଓ ବିଜେପି ନେତା ତଥା କର୍ମୀ କଂଗ୍ରେସରେ ସାମିଲ ହେବା ଶାସକ ବିଜେଡି ଏବଂ ବିଜେପିର ନିଦ ହଜାଇଦେଇଛି ! କଂଗ୍ରେସ ନେତା ଚାଞ୍ଚେର ମାଝୀ, ରାଜେନ୍ଦ୍ର ମାଳି ଏବଂ ବ୍ଲକ କଂଗ୍ରେସ ସଭାପତି ହରିହର କୁମାରଙ୍କ ନେତୃତ୍ବରେ ଆଜି ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରୁ ତିନିହଜାରରୁ ଉର୍ଦ୍ଧ୍ବ କର୍ମୀ ଜୁନାଗଡ଼ ସମାବେଶରେ ସାମିଲ ହୋଇଥିବା ଜଣାପଡ଼ିଛି ! ସେହିପରି ଦଳର ବରିଷ୍ଠ ନେତା ଭକ୍ତଚରଣ ଦାସ ଏବଂ ଉପରୋକ୍ତ ତିନିଜଣ ନେତାଙ୍କ ଆହ୍ବାନ କ୍ରମେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଶତାଧିକ ମହିଳା ଓ ପୁରୁଷ ଆଜି ଦଳରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ! ପୂର୍ବତନ ସରପଞ୍ଚ ତଥା ସମାଜସେବୀ ସୁଶ୍ରୀ ଫୁଲମେ ମାଝୀଙ୍କ ସମେତ ବ୍ଲକ ଅଞ୍ଚଳରୁ ଶତାଧିକ ବିଜେଡି ଓ ବିଜେପି କର୍ମକର୍ତ୍ତା ଦଳ ତ୍ୟାଗ କରି କଂଗ୍ରେସରେ ଯୋଗ ଦେଇଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି ! ଲାଞ୍ଜିଗଡ଼ ବିଧାୟକଙ୍କ ସାଂଗଠନିକ ଦୁର୍ବଳତା, ସ୍ଥାନୀୟ କର୍ମୀଙ୍କୁ ଲଗାତାର ଅଣଦେଖା ଭଳି ଅଭିଯୋଗ କରିବା ସହିତ କଂଗ୍ରେସ ନେତା ରାହୁଲ, ସୋନିଆ, ଶରତ ପଟ୍ଟନାୟକ ଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ କଂଗ୍ରେସରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି ! ଅପରପକ୍ଷରେ ବିଜେଡିର ବିଧାୟକ ଥିଲେ ବି ଲାଞ୍ଜିଗଡ଼ ବ୍ଲକରେ ବିଜେଡି ଏବେ ତିନି ଭାଗରେ ବିଭକ୍ତ ହୋଇଥିବା କୁହାଯାଉଛି ! ପରସ୍ପର ତାଳମେଳ ଅଭାବରୁ ଦଳ ଏବେ ଲଗାମଛଡ଼ା ହେବାରେ ଲାଗିଛି ! ଯାହାର ଫାଇଦା କଂଗ୍ରେସ ନେବାରେ ଲାଗିିଛି ! ଏଣୁ ସମୟଥାଉଣୁ ଦଳ ସଜାଗ ନହେଲେ ଆଗାମୀ ଦିନରେ ଏହାର ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ଅଞ୍ଚଳରେ ଆଲୋଚନା ହେଉଛି ! ତେବେ ବିଜେଡି ପକ୍ଷରୁ ଆଜିର ମିଶ୍ରଣ ପର୍ବକୁ ନେଇ ଏହା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଇଛି ! ଲାଞ୍ଜିଗଡ଼ ବ୍ଲକ ବିଜେପି କିନ୍ତୁ ଏଇ ଘଟଣାକୁ ନେଇ ନିରବ ରହିଛି !
ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ