ବ୍ୟଙ୍ଗ କବିତା,,,, ଆପଣଙ୍କୁ ମିଛ ହେଲେ ମତେ ସତ
ପାଠ
ଆଜି ବଜାରରେ ଭେଟ ହେଇଗଲା
ପୁରୁଣା ବନ୍ଧୁଟେ ମୋର,
ପିଲାଦିନୁ ଥିଲୁ ଭାରି ଭଲ ସାଙ୍ଗ
ବଡ ହେଲା ଦିନୁ ଦୂର l
ପଚାରିଲି ତାକୁ ପାଠ ଶାଠ କେତେ
କଣ କରୁଛୁ କାମ
ଯାହା ସେ କହିଲା ଶୁଣିକି ତା କଥା
ମୋର ବୁଦ୍ଧି ହେଇଗଲା ବାମ l
” ପ୍ରାଇମେରୀ ପୁଣି ଉଚ୍ଚ ପ୍ରାଇମେରୀ
ମେରୀ ପାଠ ସାରି ଦେଲି,
ହାଇସ୍କୁଲ ବେଳେ ବୁଝିଗଲି ମୁହିଁ
ପାଠଟା ବେକାର ବୋଲି l
ଗୋଟିଏ ଶବ୍ଦର ଭିନ୍ନ ଭିନ୍ନ ଅର୍ଥ
କହୁଥିଲେ ସାର ମତେ,
ନିଜକୁ ଆସୁନି ପାଠ ଶାଠକିଛି
କିଶ ପଢ଼ାଇବେ ସତେ l
ପ୍ରଥମ ପିରଦେ ଇଂରାଜୀ ଶ୍ରେଣୀରେ
” ସେଲ ” ଶବ୍ଦ ପଢ଼ାହେଲା,
ସାର ଲେଖିଦେଲେ ମୋବଇଲ ବୋଲି
ମନ ଖୁସି ହୋଇଗଲା l
ଦ୍ୱିତୀୟ ପିରଡେ ସାହିତ୍ୟ ବହିରେ
“ସେଲ ” ମାନେ କାରାଗାର
ତା ଭିତରେ ପୁଣି ଛୋଟିଆ କୋଠରୀ
କାଳକୋଠରୀ ନାଁ ତାର l
ତୃତୀୟ ପିରଡେ ବିଜ୍ଞାନ ସାରଙ୍କ
ଆଉ ଗୋଟେ ନୂଆ କଥା,
“ସେଲ “ମାନେ କାଳେ ବ୍ୟାଟେରୀ ଅଟଇ
ଶୁଣି ଘୁରିଲା ମୋ ମଥା l
ଚତୁର୍ଥ ପିରଡେ ଇକୋନମିକ୍ସ ରେ
” ସେଲ ” ମାନେ ବିକ୍ରି ହେବା,
ଜିନିଷ ପତର ବିକ୍ରି କଲାବେଳେ
ଏଥିପ୍ରତି ଧ୍ୟାନଦେବା l
ଷଷ୍ଠ ପିରିୟଡରେ ଜୀବ ବିଜ୍ଞାନରେ
ନୂଆ ଅର୍ଥ ଦେଲେ କହି,
ଜୀବକୋଷ ଯେତେ ପ୍ରାଣୀ ଦେହେ ଅଛି
“ସେଲ ” ନାମ ଅଛି ବହି l
ଏବେ କୁହ ତୁମେ କୋଉ “ସେଲ “ଟାକୁ
ସଠିକ ବୁଝିବି ମୁଁହି,
ସାରଙ୍କୁ ଆସୁନି ପାଠ ଶାଠ କିଛି
ଭୁଲ ଦେଉଛନ୍ତି କହି l
ଭାବିଲା ବେଳକୁ ମୁଣ୍ଡ ଘୁରିଗଲା
ଭୁଲିଗଲି ନାମ ଗ୍ରାମ
ବହି ବସ୍ତାନୀରେ ଡୋରୀ ବାନ୍ଧିଦେଲି
ଦେଇନି ସିଆଡେ ମନ l”
ବ୍ୟାଟେରୀ ମଧ୍ୟରେ କଏଦୀଟେ କେମିତି
ପାରିବ କି କେବେ ରହି,
କେତେ ଜୀବ କୋଷ ମୋବାଇଲ ମଧ୍ୟେ
ଆନନ୍ଦରେ ଥିବେ ଚାହିଁ l
ଚୁପ ଚାପ ସବୁ ଶୁଣିଲି ତା କଥା
କହି ପାରିଲିନି କିଛି,
ହସି ହସି ମନେ ନିଜକୁ କହିଲି
କେତେ ବୁଦ୍ଧି ତା ମୁଣ୍ଡେ ଅଛି l
ସୁଜାତା ଦାସ
(ସହ ଶିକ୍ଷୟିତ୍ରୀ )
ବାଲେଶ୍ୱର