ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଶ୍ମି ରଞ୍ଜିତା ମିଶ୍ର(ରୋଜି) ଙ୍କ କବିତା ଅକୁହା କଥା

ଅକୁହା କଥା

ରାତ୍ରିର ନିର୍ଜନ,ନିଶବ୍ଦ ମୁହୂର୍ତ୍ତଟା 
ଅଣନିଶ୍ୱାସୀ କରେ
ଲକ୍ଷ୍ୟ ହୀନ ପଥିକକୁ
ତମସାର କଳା ପରଦାକୁ ଚିରି 
ତନ୍ନ ତନ୍ନ ଖୋଜିବୁଲେ 
ଅନିଶ୍ଚିତ ଭବିଷ୍ୟତକୁ
ବର୍ତ୍ତମାନର ଚିରାଚରିତ
ଠିକଣା ହଜାଇ
ଅତି ସନ୍ତର୍ପଣରେ 
ସାଉଁଟିବାକୁ ଚାହେଁ
ସେ ବିଗତ ଅତୀତକୁ।
କେଡେ ସୁଖଦ ମୁହୂର୍ତ୍ତ ଥିଲା ସେଦିନ 
ଗୋଟି ଗୋଟି ହୁଏ ଉଦ୍ଭାସିତ
ବାପାଙ୍କ ସ୍ନେହ,
ବୋଉର ମିଠାଗାଳି
ଗାଁ ଦାଣ୍ଡ ବର୍ଷା ପାଣିରେ 
କାଗଜ ଡଙ୍ଗାର ଭଷାଣି
ସାଥି,ସାଙ୍ଗ ମେଳେ 
ଗୋଟିଏ ପତ୍ରରେ ସଭିଙ୍କ ହାତ ବୁଡା
କଷି ଆମ୍ବ ଚଟଣି
କାହିଁ, କେଉଁଦିନୁଁ ଉଭେଇ ଗଲାଣି
ସେ ସାଧା କାଗଜରେ
ଅଲିଭା ଅକ୍ଷରରେ ଲେଖା
ନିର୍ମଳ,ନିସଙ୍କୋଚ 
ହୃଦୟର କାହାଣୀ।
ସତରେ, ଏ ନିର୍ଜନ ରାତ୍ରୀ
ଆଉ ନିସଙ୍ଗ ଜୀବୀନ
ଆଜି ବାଧ୍ୟହୁଏ
ନିର୍ବିକଳ୍ପେ କରିବାକୁ ରୋମନ୍ଥନ 
ସେହି ସବୁ ଅଭୁଲା ସ୍ମୃତିର ଚିହ୍ନକୁ
ବୟସର ଅଭିବୃଦ୍ଧି,ଆଉ ପରିପକ୍ୱ ବୁଦ୍ଧି
ପର କଲା ଆପଣା ପଣକୁ
ଅଦାରିଲା ନୂତନ ଠିକଣା
ଯେଉଁଠି ପ୍ରତି ମୁହୂର୍ତ୍ତରେ
ଖୁମ୍ପିବାକୁ,ଝାମ୍ପିବାକୁ ତତ୍ପର
ଚିଲ ଓ,ଶାଗୁଣା ।
ଆଜି କେହିନାହିଁ ଶୁଣିବାକୁ 
ଏ ଆର୍ତ୍ତ ଚିତ୍କାର
ସଭିଏଁ ତ ଏଠି ବ୍ୟସ୍ତ,ବିବ୍ରତ 
କାହିଁକି କରିବ କିଏ,
କାହାର ଆଦର ସତ୍କାର 
ଏଠି ତ ସଭିଏଁ ସଜ
କରିବାକୁ ପୃଷ୍ଠଭାଗୁ 
ନିଷ୍ଠୁର ପ୍ରହାର
ଆଉ ଯିଏ ନିଃସ୍ୱାର୍ଥପର ଚିତ୍ତେ 
 ଅଯାଚିତ ସାହାଯ୍ୟର 
ହାତକୁ ବଢାଏ
ଏ ସୁବିଧବାଦୀ ସମୟ,ଏ ଅନ୍ଧ ସମାଜ,
ଏ ଭଦ୍ର ଖୋଲପାଧାରୀ ଧଳା ଭାଲୁ ଦଳ
ସର୍ବେ ହୋଇ ଏକାକାର
କରନ୍ତି ତାଛଲ୍ୟ
ମୁନିଆଁ ନଖ, ଦାନ୍ତକୁ ବ୍ୟବହାର କରି
କୋମଳାଙ୍ଗେ ରଚିଯାନ୍ତି
କଳଙ୍କିତ ଅଧ୍ୟାୟ
ନ କଳି ତା’ ମୂଲ୍ୟ।

ରଶ୍ମି ରଞ୍ଜିତା ମିଶ୍ର(ରୋଜି)

ବ୍ରାହ୍ମଣ କୁଶଡିହ, ବାଲୁଗାଁ, ଖୋର୍ଦ୍ଧା

Related posts

ଶିକ୍ଷକ ସମାଜ ସାମାଜିକ ପରିବର୍ତ୍ତନ ପାଇଁ ସୁଯୋଗ୍ୟ ଛାତ୍ର ସୃଷ୍ଟିକରନ୍ତୁ – ଜିଲ୍ଲାପାଳ 

Sunil Chandra Nayak

ବୁଡିଦର ମଣ୍ଡି ଉଦଘାଟିତ

Sunil Chandra Nayak

ରାୟଗଡା – ବିଜେପି ର ଧୂଆଁଧାର ପ୍ରଚାର ଓ ସାଧାରଣ ସଭା

Sunil Chandra Nayak

Leave a Comment

error: Content is protected !!