ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇତିହାସର ସନ୍ଧାନରେ ଢେ଼ଙ୍କାନାଳ ଥୀଙ୍କର୍ସ୍ ଫୋରମ୍ 

ଢେ଼ଙ୍କାନାଳ (ମସିହା ନିଉଜ ସର୍ଭିସେସ) ଚଳିତ ଅକ୍ଟୋବର ୨ତାରିଖ ଦିନ ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ପରେ ସକାଳ ୧୦ଟା ସମୟରେ ଢେଙ୍କାନାଳ ଥିଙ୍କର୍ସ ଫୋରମର ସଦସ୍ୟମାନେ ଆମ ବୃହତ ଢେଙ୍କାନାଳର ଏକ ଅନାଲୋଚିତ ଇତିହାସ ଖୋଜିବାକୁ ଯାତ୍ରା ଆରମ୍ଭ କରିଥିଲେ। ଏହି ଅଭିଯାନ ଥିଲା ଐତିହାସିକ ହଦଗଡ଼ ଏବଂ ତାହାର ସ୍ଥିତି ଅନୁସନ୍ଧାନ କରିବା। ଏହି ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ସୋଗର ଗ୍ରାମ ନିକଟରେ ଥିବା ହଦଗଡ଼ ଚଣ୍ଡୀଙ୍କର ଦର୍ଶନ କରିବା ସହିତ ହଦଗଡ଼ର ଗଡ଼ଖାଇ ଏବଂ ହଦ ଦେଖିବାକୁ ପାଇଥିଲେ। ତେବେ, ଏକ ବହୁ ପୁରାତନ ସଭ୍ୟତା ଯାହା ଢେଙ୍କାନାଳର ଇତିହାସ ସହିତ ଜଡିତ ଏହି ସ୍ଥାନରେ ତାହାର କୌଣସି ଚିହ୍ନ ନମିଳିବା ବଡ଼ ଦୁଃଖଦାୟକ ଥିଲା। ଏଥିରେ ସ୍ଥାନୀୟ ସୋଗର ଗ୍ରାମର ବିଜୟ ବାବୁ କିଛି ମୌଖିକ ତଥ୍ୟ ପ୍ରଦାନ କରିଥିଲେ। ଯାହା ଜଣାଯାଏ ଏହି ଐତିହାସିକ ହଦଗଡ଼ କୋଦାଳକ ସାମ୍ରାଜ୍ୟର ଅଂଶବିଶେଷ ଥିଲା। ସମୟକ୍ରମେ ଶୁକ୍ଳୀ, ସୋମ ଏବଂ ସୂର୍ଯ୍ୟ ବଂଶୀୟ ଶାସକଙ୍କ ପ୍ରମୁଖ ସ୍ଥାନ ଥିଲା। ଏହି କ୍ରମ ଶତାବ୍ଦୀ ଶତାବ୍ଦୀ ଧରି ଚାଲିଥିଲା। ଢେଙ୍କାନାଳର ଇତିହାସରୁ ଜଣାଯାଏ ସର୍ବଶେଷରେ ହରିସିଂହ ବିଦ୍ୟାଧର ଏହି ହଦଗଡ଼କୁ ସ୍ଥାନୀୟ ଆତ୍ମଘୋଷିତ ସାମନ୍ତ ରାଜାଙ୍କ ଠାରୁ ଉଦ୍ଧାର କରିଥିଲେ। କିନ୍ତୁ, ବର୍ତ୍ତମାନ ଏହି ହଦଗଡ଼ର ଗଡ଼ଖାଇ ବ୍ୟତୀତ ଅନେକ ଅଞ୍ଚଳ ବ୍ରାହ୍ମଣୀ ନଦୀ ଗର୍ଭରେ ବିଲୁପ୍ତ। ତେବେ, ଏହି ଗଡ଼ଖାଇ ଚଣ୍ଡୀଙ୍କର ମୁଖଭଙ୍ଗୀର ରହସ୍ଯ କଣ ହୋଇପାରେ ? ମୋ ପାଇଁ ଏକ ପ୍ରଶ୍ନବାଚୀ। ଯାହାକି ସ୍ଥାପତ୍ୟକାର ଏବଂ ଐତିହାସିକଙ୍କ ଦ୍ଵାରା ଅଧିକ ଗବେଷଣା ଅପେକ୍ଷା କରେ।

ଦ୍ୱିତୀୟ ପର୍ଯ୍ୟାୟ ରେ ଫୋରମ୍ ପକ୍ଷରୁ ଯାତ୍ରା ଥିଲା ରାୟନରସିଂହପୁର(କମଗରା) ଗ୍ରାମର ମା ସିଦ୍ଧେଶ୍ୱରୀଙ୍କ ମନ୍ଦିର ଅଭିମୁଖେ। ସୁଚନା ଯୋଗ୍ୟ ଯେ ପୂର୍ବରୁ ଏହି ଅଞ୍ଚଳ ହଦଗଡ଼ର ଅଂଶବିଶେଷ ଥିଲା। ମା’ଙ୍କର ପହୁଡ଼ ପଡିଥିଲା ଏବଂ ବର୍ଷା ବି ହେଲା ଏବଂ ବର୍ଷା ପରେ ସମସ୍ତେ ମିଶି ଦୁଇଜଣ ସ୍ଥାନୀୟ ଉତ୍ସାହୀ ଯୁବକ ଆକାଶ ଖିଲାର ଓ ଦୀପକ ଖିଲାରଙ୍କ ସହିତ ଚାଲିଲୁ ବ୍ରାହ୍ମଣୀ ନଦୀ କୂଳକୁ। ସେଠାରେ ନଦୀ ଗର୍ଭରେ ସିଦ୍ଧେଶ୍ୱରୀଙ୍କ ପୁରାତନ ଭଗ୍ନ ମନ୍ଦିରର ଅବଶେଷ ଦେଖିବାକୁ ପାଇ ଥିଲେ l ଦୈବାତ ଗ୍ରାମର ବରିଷ୍ଠ ବ୍ୟକ୍ତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମିଶ୍ର ଆସି ପହଁଚିଲେ ଏବଂ କିଛି ତଥ୍ୟ ଦ୍ୱାରା ଭାଵ ବିନିମୟ ହେଲା। ମନ୍ଦିରର ଭିତ୍ତି ଠାରୁ କେତେ ଫୁଟ ଦୂରରେ ପଡିଥିବା ମନ୍ଦିରର ଉପର ଦଧିନଉତି ମେଖଳା ଯାହାକି ପ୍ରାୟ ଛଅ ଫୁଟ ବ୍ୟାର୍ସାଦ୍ଧ ବିଶିଷ୍ଟ ଏବଂ ସୂକ୍ଷ୍ମ କାରୁକାର୍ଯ୍ୟରେ ଭରପୁର ଭଗ୍ନଶିଳା ଖଣ୍ଡମାନ କୋଣାର୍କର କାରୁକାର୍ଯ୍ୟ ପରି ସାମଞ୍ଜସ୍ୟ ଥିବାର ଦେଖାଯାଏ। ତେଣୁ ନିର୍ଦ୍ଦିଷ୍ଟ ଭାବେ ଏହାର ନିର୍ମାଣ ସମୟ ବିଷୟରେ ଜଣା ନଥିଲେ ମଧ୍ୟ ନିର୍ମାଣଶୈଳୀ ଦୃଷ୍ଟିରୁ ୧୨ଶ ଶତାବ୍ଦୀର ଜଣାଯାଏ। ତଥ୍ୟ ଅନୁସାରେ ଶହ ଶହ ବର୍ଷ ପୂର୍ବେ ନଦୀର ଓସାର ଆଜିଠାରୁ ଅପେକ୍ଷାକୃତ କମ ଥିଲା ଏବଂ ୧୮୬୮ ମସିହାରେ ଭୀଷଣ ବନ୍ୟା ପ୍ରଭାବ ହେତୁ ମନ୍ଦିରର ଅବିଶେଷ ମିଳିବା ଅତୀତରେ ସେଠାରେ ଜନବସତି ଥିବାର ପ୍ରମାଣ କରେ, ଯାହାକି ନଦୀର ବୃଦ୍ଧି ସହିତ ସ୍ଥାନାନ୍ତର ହୋଇଥିବା ଜଣାଯାଏ। ତେବେ, ଏହି ଭଗ୍ନ ପଥର ଗୁଡିକର ଈଷତ୍ ଲାଲ ବର୍ଣ୍ଣ(ଖାଣ୍ଡେଲାଇଟ) ଆମ ଢେଙ୍କାନାଳର ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ଵରେ ଥିବା କୌଣସି ବି ମନ୍ଦିରର ପ୍ରସ୍ତର ସହିତ ମେଳ ଖାଉନଥିବା ମୋର ନିଜସ୍ବ ଅନୁମାନ ଅଟେ। ତେବେ, ଏହି ଉଭୟ ଐତିହ୍ୟର ପ୍ରତ୍ନତାତ୍ତ୍ୱିକ ଖନନ ଓ ଅଧିକ ଗବେଷଣା କରାଗଲେ ବହୁ ରହସ୍ୟ ଲୋକଲୋଚନକୁ ଆସିପାରିବ।

ଇତିହାସର ଏହି ଅନୁସନ୍ଧାନ ଅଭିଯାନରେ ବରିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ ସୁଶୀଳ କୁମାର ନନ୍ଦଙ୍କ ସହିତ ବିବେକାନନ୍ଦ ଷଡଙ୍ଗୀ, ସୋମେନ୍ଦୁ ଶତପଥୀ, ପ୍ରକାଶ ଚନ୍ଦ୍ର ରାଉତ, ଅବିନାଶ ପଟ୍ଟନାୟକ, ବିନୋଦ କୁମାର ମଲ୍ଲିକ, ବୈକୁଣ୍ଠନାଥ ଦ୍ବିବେଦୀ, ଭୋଜରାଜ ସାହୁ, ବିଶ୍ୱଜିତ ବରାଳ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ଜିତାମିତ୍ରା ଶତପଥୀ, ଉର୍ଜିତ ଶତପଥୀ, ବିଶ୍ୱପ୍ରଜ୍ଞା ଷଡଙ୍ଗୀ ଏବଂ ଅଂଶୁମାନ ପଟ୍ଟନାୟକ ଅଂଶଗ୍ରହଣ କରିଥିଲେ।

ସ୍ଵତନ୍ତ୍ର ପ୍ରତିନିଧି ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଅପର୍ତ୍ତି ସେଠୀ ଙ୍କ କବିତା କବି କଲମର ବଳ

Sunil Chandra Nayak

ଶ୍ରୀମଦଭଗବତଗୀତାର ଅଷ୍ଟାଦଶ ଅଧ୍ଯାୟର ସାରକଥା– ୧୮

କବିତା ସାହୁ ଙ୍କ କବିତା ଭଗବାନ ବୁଦ୍ଧଦେବ

Leave a Comment

error: Content is protected !!