ମଣିଷ ବାଘ
ନବ କୁମାର ଦାସ
କେହି କେହି ବାଘ ଦେଖିବାକୁ
ବୁଲି ଯାଆନ୍ତି ଜଙ୍ଗଲ
ଜଙ୍ଗଲର ପାହାଡି ଗୁମ୍ଫା ଭିତରେ
ମୁନିଆ ଦାନ୍ତର ଏକ ବିକଟାଳ ରୂପ ନେଇ
କୁଆଡେ ଲୁଚି ରହିଥାଏ ବାଘ
ଯିଏ ମାଂସ ଖାଏ, ରକ୍ତ ପିଏ ଆଉ ଗର୍ଜନ କରେ
ମୁନିଆ ପଞ୍ଝାରେ ରକ୍ତର ଗାର ଟାଣେ
ହଁ ଏଇ ସେଇ ବାଘ
ଯାହା କଥା ତୁମେ କହୁଛ
ପାଶାବିକତାର ପରଶରେ
ସେ ବୁଦ୍ଧିହୀନ, ବିବେକ ହୀନ ହୋଇ
ବୁଲି ରହୁଥିବା ଏକ ଚାରିଗୋଡ଼ିଆ ଜୀବ ll
ମୁଁ କିନ୍ତୁ
ଗଛ ମାନଙ୍କର ସେଇ ଜଙ୍ଗଲକୁ ଯାଏନା
ଯାଏନା ପାହାଡର ଗୁପ୍ତ ଗୁମ୍ଫା ଭିତରେ
ଲୁଚି ରହିଥିବା ପଶୁ ମାନଙ୍କୁ ଦେଖିବାକୁ ll
ମୁଁ ତ ଏଇଠି ଆମରି ଭିତରେ
ଲୁଚି ହଜିଯାଏ
କେଉଁଠି କେଉଁ ଏକ ଭୟର ଭିତ୍ତିରେ
ନିଈତି ଡରିଯାଏ, ଡରି ଡରି ମରୁଥାଏ
ଯେଉଁଠି, କେଉଁ ଏକ ବିକୃତ ମନର ଚରିତ୍ର
ମୋ କଲମ ମୁନରେ ଆଙ୍କି ହେଇଯାଏ
ଛାପି ହେଇଯାଏ ମୋ ହୃଦୟର କାନଭାସ ଭିତରେ
ରଙ୍ଗର ତୁଳିରେ
ଠିକ ଏଇ ବାଘ ମାନଙ୍କ ଚରିତ୍ର ପରି
ଯିଏ ଏଠି ଅଛି, ସେଠି ଅଛି, ସବୁଠି ଅଛି
ଯାହାର ବୁଦ୍ଧି ଅଛି, ବିବେକ ଅଛି, ଜ୍ଞାନ ଅଛି… Il
କାହିଁକି କେଜାଣି
ବେଳ ଉଣ୍ଡି ଆସିଲେ
ପଶ୍ଚିମର ସୁରୁଜ ଟା ମଉଳି ଗଲେ
କାମନାର ବିପ୍ଳବରେ ବିପ୍ଳବୀ ମଣିଷଟା
ମଣିଷରୁ ବାଘ ହୁଏ
ହସରୁ ବିଷ ଝରାଏ
ରକ୍ତ ପିଏ, ମାଂସ ଖାଏ…
ଅଭାଗାର ଦୁର୍ଭାଗ୍ୟର ପରିସୀମା ଭିତରେ
ଗୋଟି ଗୋଟି ଅନନ୍ୟା ମାନେ
ଯେଉଁଠି ନ୍ୟାୟ ଟିକେ ପାଇଁ
ମରିଯାଆନ୍ତି, ପୋଡ଼ିଯାଆନ୍ତି, ହଜି ଯାଆନ୍ତି ସବୁଦିନ… Il
ସୁରଡ଼ିହା, ବାଲିଆପାଳ, ବାଲେଶ୍ୱର