ନୀଳକନ୍ଦର
ନୀଳକନ୍ଦରରେ ରତନ ବେଦୀରେ
ଚତୁର୍ଦ୍ଧାମୂରତି ସେହି
ଭୂଦେବୀ ଶ୍ରୀଦେବୀ ମଦନ ମୋହନ
ପୂଜା ପାଉଛନ୍ତି ରହି ॥
ମହୋଦଧି କୂଳ କଳ୍ପବଟ ମୂଳ
ବାଇଶି ପାବଚ୍ଛ ତାର
ନୀଳଚକ୍ର ଯାର କେଡେ ମନୋହର
ଚାରିଦିଗେ ଚାରି ଦ୍ଵାର ॥
ଶ୍ରୀମନ୍ଦିର ଚୂଳେ ବାନା ଉଡ଼ୁଅଛି
ପତିତ ପାବନ ନେତ
ଡାକଇ ପତିତେ ଆସହେ ଭକତେ
ମୁକତିର କ୍ଷେତ୍ର ଏତ ॥
ସତ୍ୟରେ ବାମନ ତ୍ରେତାରେ ଶ୍ରୀରାମ
ଦ୍ଵାରରେ ଶ୍ରୀକୃଷ୍ଣ ସେହି
ଜଗତର ନାଥ କଳିର ଠାକୁର
ଦାରୁବ୍ରହ୍ମ ରୂପେ ରହି ॥
ନୀଳଶଇଳର ନୀଳକନ୍ଦରରେ
ଲୀଳା କରୁଛନ୍ତି ଥାଇ
କଳି ଯୁଗର ଏ ମର୍ତ୍ତ୍ୟ ବଇକୁଣ୍ଠ
ନୀଳାଚଳ ଧାମ ଏଇ ॥
ବାର ମାସେ ତେର ଯାତରା କରନ୍ତି
ଲୀଳାମୟ ପ୍ରଭୁ ସେଇ
ଜଗତ ଜନର ଡାକ ଶୁଣୁଛନ୍ତି
ଭକତ ବାନ୍ଧବ ହୋଇ ॥
ଷାଠିଏ ପଉଟି ଖାଇ ସେ ଖୁଆନ୍ତି
ଭକତ ଜନଙ୍କୁ ଦେଇ
ସେହି ପରବ୍ରହ୍ମ ପରମ ପୁରୁଷ
ତାରଣ କାରଣ ସେଇ ॥
ଚତୁର୍ଦ୍ଧା ମୂରତି ପାଦରେ ବିନତି
ରଖନ୍ତୁ ଆଶିଷ ଦେଇ
ଜଗତର ଶୋକ ପାପ ନାଶ କରି
ଦୁଃଖ ସଭିଙ୍କର ନେଇ ॥
ରତିନାରାୟଣ ରାଉତ
ହରିଚନ୍ଦନପୁର, କେନ୍ଦୁଝର, ଓଡ଼ିଶା