ବିକଳ୍ପ ବିଚାର
ବିଧାତା ଭରିଲେ ପ୍ରକୃତି ଦେହରେ
ଅପରୂପ ଅଳଙ୍କାର
କୋଳରେ ଦେଇ ତା ସବୁଜିମା ଭରା
ସୁଷମାର ଗନ୍ତାଘର ।।
କୋଟି ଜୀବ ଜାତି ସୃଷ୍ଟି କଲେ ତହୁଁ
ଏକକୁ ଆରେକ ଚିନ୍ତି
ଅମୃତର ଧାର ବକ୍ଷରେ ଝରାଇ
ପାଳଇ ସଭିଙ୍କୁ ନିତି ।।
ସମସ୍ତେ ନିଜର ଆଚରଣ ମତେ
ରହିଲେ ଯେ ଯାହା ଅର୍ଥେ
ବିଧାତା ମନରେ ସନ୍ତୋଷ ନ ଆସେ
ଧିକ୍କlରେ ନିଜକୁ କେତେ ।।
ସୃଷ୍ଟିର କର୍ତ୍ତା କୁ କେହି ନ ପୁଛନ୍ତି
ସ୍ୱlର୍ଥାନ୍ଧ ହୋଇ ରହିଲେ
ନିଜର ଅସ୍ତିତ୍ବ ହଜିଯିବ ବୋଲି
ମନରେ ବିଚାର କଲେ ।।
ନିଜର ସମସ୍ତ କଳା ଚାତୂର୍ଯ୍ୟ କୁ
ଭରିଲେ ନିହାଣ ମୁନେ
ମଣିଷ ରୂପକ ଜୀବ ଜାତି ଗଢି
ରହିଲେ ଆନନ୍ଦ ମନେ ।।
ମଣିଷ ଦେହରେ ଜ୍ଞାନ ର ଉଦୟ
ଦେଖି ବିଧାତା ର ମନ
ବୋଇଲେ ସାର୍ଥକ ହେଲା ମୋ ସର୍ଜନା
ସୃଷ୍ଟି ମୋ ହୋଇଲା ପୂର୍ଣ୍ଣ ।।
ପ୍ରଭୂତ୍ଵ ମୋହର ଯୁଗ ଯୁଗ ପାଇଁ
ରଖିବ ମଣିଷ ଜାତି
କୃତଜ୍ଞତା ଭାବ ଚିତ୍ତରେ ତାହାର
ରଖିବ ମୋ ଠାରେ ପ୍ରୀତି ।।
ଅରପି ସମସ୍ତ ସମ୍ପଦ ବେଭାର
ବୋଇଲେ ରଖିବ ମାନ
ଜୀବ ଜଗତରେ ଶ୍ରେଷ୍ଠ ବୋଲାଇବ
କରି ମହତ୍ତ୍ଵ ପ୍ରତିପାଦନ।।
ଆଧିପତ୍ୟ ପାଇ ମଣିଷ ବିଚାରେ
ବିଧାତା ଯେ ବୁଦ୍ଧି ହୀନ
ଅରପି ତା ହାତେ ସମସ୍ତ ବିଶ୍ୱକୁ
ଅଚିନ୍ତାରେ ନିଏ ଦିନ ।।
ଜଣା ନାହିଁ ତାକୁ ମୁଁ କେଡେ ଘାତକ
ସିଦ୍ଧ ହେବି ତାର ପାଇଁ
ପୁସି ବିଲେଇ ର ଆଗରେ ମାଉଁସ
ଜଗାଇ ପଡ଼ିଛି ଶୋଇ ।।
ପାଇ ସେ ପ୍ରଭୂତ୍ୱ ସର୍ବ ଜୀବ ଠାରେ
ହୋଇଗଲା ଶକ୍ତିଶାଳୀ
ତା ହାତ ମୁଠାରେ ସାରା ପୃଥିବୀ ଟା
ଜୀବ କିଏ ତା ଠୁଁ ବଳି ।।
କଲା ନାରଖାର ସାରା ଦୁନିଆକୁ
ନିଜ ସ୍ବାର୍ଥ ପୂର୍ତ୍ତି ପାଇଁ
ହା ହା କାର ଶୁଭେ ଚଉଦିଗ ବ୍ୟାପି
ନ ପାରନ୍ତି କେହି ରହି ।।
ଉଜାଡି ଦେଲା ସେ ସାରା ପୃଥିବୀକୁ
ନ ରଖିଲା ଆଉ ବାକି
ଜଳ ସ୍ଥଳ ଜୀବ ପ୍ରକୃତି ସହିତେ
ଡାକଦେଲେ ତ୍ରାହି ତ୍ରାହି ।।
ଭୁଲିଗଲା ସେହୁ ଅଛି ଜଣେ କେହି
ଧରିଛି ନିକିତି ହାତେ
ସୃଷ୍ଟି କରେ ଯେହୁ ସଂହାର ବି କରେ
ନିଇତି ଜଗତ ହିତେ ।।
ଦେଖି ଏହି ରିତି ବିଧାତା ମନରେ
ଉପୁଜେ କ୍ରୋଧର ବହ୍ନ୍ନି
ମଣିଷ ନିଜର କୃତ କର୍ମ ଫଳ
ନିଶ୍ଚୟ ଭୋଗିବ ତେହ୍ନି ।।
ତେଣୁ ସିନା ଆଜି ଭୋଗୁଛି ମଣିଷ
ଦୁଃଖ ରୋଗ ଜରା ବ୍ୟାଧି
ପଡ଼ି ନାନା କଷ୍ଟେ ମହାମାରୀ ରିଷ୍ଟେ
ହେଉଅଛି କେତେ ସାଧି ।।
ବିଧାତା ର ଏହି ବିକଳ୍ପ ବିଚାର
ଶୁଣ ଥରେ ଦେଇ କର୍ଣ୍ଣ
ପାଣି ଥାଉ ବନ୍ଧ ବାନ୍ଧ ହେ ବହନ
ହୋଇଯାଅ ସାବଧାନ ।।
ଅନୁସୂୟା ଦେବତା,
ବିଜ୍ଞାନ ଶିକ୍ଷୟିତ୍ରୀ,ଅତାବିରା, ବରଗଡ଼