【ସ୍ୱାଭିମାନ ଅଞ୍ଚଳର ଭିତିରି କଥା】
ନିଖୋଜ ନାୟିକାର ଇତିବୃତ୍ତ
ବାଲାଜି ସେଠୀ
ଜିତେନ୍ଦ୍ର ଓରଫ ଜିତୁ ସାର୍। ହାତରେ କିଛି ଜରୁରୀ ଔଷଧ ଓ ଡାକ୍ତରୀ ରିପୋର୍ଟ ଧରି ମେଡ଼ିକାଲର ଜେନେରାଲ ଫିମେଲ ୱାର୍ଡ କୁ ପସୁ ପସୁ ଗେଟ ପାଖରେ ଷ୍ଟୁଲ୍ ରେ ବସିଥିବା ମହିଳା ରକ୍ଷୀ ଜଣକ ହଠାତ ଠିଆ ହୋଇ ପଡି ଅତି ଭଦ୍ର ଓ ନମ୍ର ଭାବରେ ମଥା ନୁଆଇଁ ନମସ୍କାର କଲା। ଭଦ୍ରାମି ଦୃଷ୍ଟି ରୁ ଜିତୁ ସାର୍ ପ୍ରତିନମସ୍କାର ଜଣାଇ ଭିତରକୁ ଚାଲିଗଲେ। ୱାର୍ଡ ଭିତରେ ସାତ ନମ୍ବର ବେଡ଼ରେ ନର୍ସ ଜଣେ ବ୍ଲଡ଼ପ୍ରେସର ଚେକ କରୁଥିଲେ। ଜିତୁ ସାର୍ ନର୍ସ ହାତକୁ ମେଡ଼ିସିନ ପୁଡ଼ିଆଟି ବଢ଼ାଉ ବଢ଼ାଉ ପଚାରିଲେ ” ସିଷ୍ଟେର ଏବେ ପେସେଣ୍ଟର କାଣ୍ଡିସନ କେମିତି ଅଛି ?” ଇଂଜେକସନ ଏମ୍ପୁଲ୍ ଟି ଭାଙ୍ଗି ସିରିଞ୍ଜରେ ଲୋଡ଼ କରୁ କରୁ ସିଷ୍ଟେର କହିଲେ, ହାଇପୋଗ୍ଲାଇସେମିଆ ସହିତ ବ୍ଲଡ଼ପ୍ରେସର ଲୋ ହେଇ ଯାଇଥିବା ଯୋଗୁଁ ପେସେଣ୍ଟର ସେନ୍ସ ରହୁନି।ବ୍ୟସ୍ତ ହୁଅନ୍ତୁ ନାହିଁ। ସଲାଇନ ଲାଗିଛି।ଏଇ ଇଂଜେକସନ୍ ଟା ସେଥିରେ ମିଶେଇ ଦେଇଛି।ଘଣ୍ଟେ ଦୁଇ ଘଣ୍ଟା ମଧ୍ୟରେ ସେନ୍ସ ଆସିଯିବ। ନହେଲେ ସାର୍ (ଡାକ୍ତର) ଆସି ଦେଖିବେ ।” ତାପରେ ସଲାଇନ ଡ୍ରପକୁ କଂଟ୍ରୋଲ କରିଦେଇ ନର୍ସ ଜଣକ ଅନ୍ୟ ବେଡ଼ର ରୋଗୀ ପାଖକୁ ଚାଲିଗଲେ।
ରୋଗୀ ଜଣକ ଜିତୁ ସାର୍ ଙ୍କ ରକ୍ତ ସମ୍ପର୍କୀୟ ନହେଲେ ମଧ୍ୟ ଅତି ଆପଣାର। ଦନାଇ ଶିସା।ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଂଚଳର ଯୋଡ଼ାମ୍ବ ପଞ୍ଚାୟତର ଜନ୍ତୁରାଇ ସରକାରୀ ପ୍ରାଥମିକ ବିଦ୍ୟାଳୟର ରୋଷେୟା।ଏହି ବିଦ୍ୟାଳୟରେ ଜିତୁ ସାର୍ ଦୀର୍ଘ ଆଠ ବର୍ଷରୁ ଅଧିକ ହେବ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଏଇ ଛଅ ମାସ ହେଲା ସେ ସେଠାରୁ ବଦଳି ହୋଇ କରୁକୋଣ୍ଡା ବ୍ଲକର ସୁମନ୍ତପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆସିଛନ୍ତି।ସେ ଜନ୍ତୁରାଇ ରେ ଥିଲାବେଳେ ଏଇ ଦନାଇ ଶିସା ତାଙ୍କର ଖାଇବା, ପିଇବା ଠାରୁ ଆରମ୍ଭ କରି ଗାଧେଇବାକୁ ପାଣି,ଘର ଓଳା,ଡ୍ରେସ ସଫା କରିବା ଇତ୍ୟାଦି ଭଲ ମନ୍ଦ କଥା ବୁଝୁଥିଲା।ସିଏ ଜିତୁ ସାର୍ ଙ୍କୁ ନିଜ ପୁଅ ପରି ଦେଖୁଥିଲେ। ଖାଇଲା ବେଳେ ପାଖରେ ବସି ନାନା କଥା କହି ବଳେଇ ବଳେଇ ଖାଇବାକୁ ଦେଉଥିଲା।ସତେ ଯେମିତି ଛୋଟ ଅଝଟିଆ ଛୁଆକୁ ତାର ମାଆ ନାନାବାୟା କଥାରେ ଭୁଲେଇ ଭାଲେଇ ପେଟ ପୂରେଇ ଖୋଇଦିଏ।ଜିତୁ ସାର୍ ମଧ୍ୟ ଦନାଇକୁ ମାଆ ପରି ମାନୁଥିଲେ। “ନିନିମା” ବୋଲି ଡାକୁଥିଲେ।
ଦନାଇ ଶିସା । ଜୁଆନ ବୟସରୁ ବିଧବା ମଣିଷଟିଏ । ନାତୁଣୀ ରାଧିକା ଅର୍ଥାତ ତାର ଝିଅର ଝିଅକୁ ନେଇ ତାର ଦୁଇ ଜଣିଆ ପରିବାର। ବୟସ ପଚାଶ ଛୁଇଁଲାଣି। ଆଜିକାଲି ଆଉ ତାର ଦେହ ପା ଭଲ ରହୁନି।
ଜିତୁ ସାର୍ ଜଣେ ଅତ୍ୟନ୍ତ ଭଦ୍ର, ମେଳାପୀ ଓ ପରୋପକାରୀ ଦରଦୀ ମଣିଷଟିଏ। ସ୍କୁଲରେ ଯେମିତି ପାଠ ପଢ଼ାନ୍ତି । ସେମିତି ପିଲାମାନଙ୍କୁ ନୈତିକ ଶିକ୍ଷା ଦିଅନ୍ତି। ସେ ଏହି ସ୍କୁଲରେ ଶିକ୍ଷକ ଭାବରେ ଯୋଗ ଦେଲାଠୁ ଗାଁ ର ସବୁ ପିଲା ସ୍କୁଲ ମୁହାଁ ହେଇଛନ୍ତି। ଆହୁରି ମଧ୍ୟ ସେ ଗାଁ ଲୋକଙ୍କ ସୁଖ ଦୁଃଖରେ ସାମିଲ ହୁଅନ୍ତି।ତେଣୁ କାହାର କୋଉ ଅଫିସ କାମ ହେଉ କି ବେଙ୍କରେ ଅଥବା ମେଡ଼ିକାଲରେ ସବୁ କ୍ଷେତ୍ରରେ ଜିତୁ ସାର୍ ଙ୍କୁ ଖୋଜାପଡ଼େ। ସିଏ ମଧ୍ୟ ସମୟ ବାହାର କରି ଯଥାସମ୍ଭବ ଗାଁ ଲୋକଙ୍କୁ ସାହାଯ୍ୟ କରୁଥିଲେ। ସେଥିପାଇଁ କେବଳ ଜନ୍ତୁରାଇ କାହିଁକି ସେ ଆଖପାଖ ଅଞ୍ଚଳରେ ଜିତେନ୍ଦ୍ର ସାର୍ ଙ୍କୁ ସମସ୍ତେ ମାନନ୍ତି ଆଉ ସମ୍ମାନ ଦିଅନ୍ତି । ସେଠାରୁ ବଦଳି ହୋଇ ଯାଇଥିଲା ମଧ୍ୟ ଜନ୍ତୁରାଇ ଗାଁ ଲୋକ ମାନେ ଜିତୁ ସାର୍ ଙ୍କ ସହିତ ଯୋଗାଯୋଗ ଅବ୍ୟାହତ ରଖିଛନ୍ତି। ଦନାଇର ଅନାବିଳ ସ୍ନେହ ଜିତୁ ସାର୍ ଙ୍କ ସବୁବେଳେ ମନେ ପଡେ। ଏଇ ଦୁଇ ଦିନ ତଳେ ଅର୍ଥାତ ସ୍କୁଲର ଶୀତ ଛୁଟି ହେବାର ଦିନକ ପରର ଘଟଣା। ରାଧିକା କୁ ଖାଇବାକୁ ବାଢ଼ିଦେଇ ଦନାଇ ବାଉଁଶ ଡାଲା ରେ ମାଣ୍ଡିଆ ଧରି ଝୋଲାକୁ ଗଲା। ମଣ୍ଡିଆକୁ ଧୋଇଧାଇ ସଫା କରିକି ଆଣିଲେ ତାକୁ ସୁଖେଇ ଗୁଣ୍ଡ କରି ପେଜ ରାନ୍ଧିଥାନ୍ତା। ହେଲେ ସବୁ ଯେମିତି ଝରଣା ପାଣିରେ ଭାସିଗଲା। ସିଏ ଅଳ୍ପକେ ଜଳ ସମାଧି ହେବାରୁ ବର୍ତ୍ତିଗଲା । ଝୋଲା ରେ ଦୁଇ ଜଣ ମହିଳା ଉପସ୍ଥିତ ନଥିଲେ ଦନାଇର ଆଜି ମୃତ୍ୟୁ ସୁନିଶ୍ଚିତ ଥିଲା।ଝୋଲାକୁ ଓହ୍ଲାଇଲା ବେଳେ ଦନାଇ ର ମୁଣ୍ଡ ବୁଲେଇଲା। ଆଖିକୁ ଅନ୍ଧାର ଦିଶିଲା। ଗଛ କଟିଲା ପରି ସିଏ କଚାଡି ହେଇ ପଡ଼ିଲା। ଗଡି ଗଡି ପାଣି ଭିତରେ। ସେହି ମହିଳା ଦୁଇ ଜଣ ଙ୍କ ଦ୍ଵାରା ଚେତାଶୂନ୍ୟ ଅବସ୍ଥାରେ ଘରକୁ ବୁହା ହୋଇ ଆସିଲା। ରାଧିକା କାନ୍ଦି କାନ୍ଦି ନୟାନ୍ତ।ତା ବାଈ ର ଏ ଅବସ୍ଥା ଦେଖି ତାକୁ କିଛି ବୁଦ୍ଧି ବାଟ ଦିଶିଲା ନାହିଁ। ଛୋଟିଆ ଝିଅ ଟେ।ଦନାଇ କୁ ଛାଡିଦେଲେ ତାର ଆଉ କିଏ ବା ଅଛି ! କାନ୍ଦି କାନ୍ଦି ଧାଇଁଗଲା ଗାଁ ସେ ମୁଣ୍ଡକୁ ଦିଶାରୀ ଘରକୁ। ଦିଶାରୀ ଆସିଲେ।ଝଡା ଫୁଙ୍କା ଚାଲିଲା। ଦେଶୀ ଉପଚାର ବି ଚାଲିଲା ।ଗାଁ ରେ ତ ପ୍ରାୟ ସମସ୍ତେ ଅଶିକ୍ଷିତ।ନାନା ଲୋକଙ୍କ ନାନା ମତରେ ବିଶ୍ୱାସ କରି ଆଶା ବାନ୍ଧି ବସି ରହିଲା ରାଧିକା। ବକଟେ ଛୁଆ। ତାର ବା କେତେ ଆଉ ବୁଦ୍ଧି ବଳ।କିଛି ଫଳ ହେଲାନି।ଦନାଇ ଆଖି ଖୋଲୁନି। ଜୀଅନ୍ତା ଶବ ହେଇ ପଡି ରହିଛି। ସାହି ପଡୋଶୀଙ୍କୁ ନେହୁରା ହେଇ ଦନାଇ କୁ ଯୋଡ଼ାମ୍ବ ମେଡ଼ିକାଲକୁ ଆଣିଲା ବେଳକୁ ମୁହଁ ଅନ୍ଧାର ସଞ୍ଜ। ଡାକ୍ତର ନାହାନ୍ତି।ଦୁଇ ଜଣ ନର୍ସ ଅଛନ୍ତି ମାତ୍ର। ଆବଶ୍ୟକ ସରଞ୍ଜାମ ନ ଥିବା ସତ୍ତ୍ୱେ ସେମାନେ ଚିକିତ୍ସା ଆରମ୍ଭ କଲେ। ସଲାଇନ ଲଗେଇଲେ। ତଥାପି ଦନାଇ ଆଖି ଖୋଲୁନି।ରାତି ପାହି ସକାଳ ହେଲା। ଖଟିଆରେ ଦୋଳା କରି ଦନାଇକୁ ବୋହି ଆଣିଲେ କାଟୁଗଡା ଡଙ୍ଗା ଘାଟକୁ। ଅନ୍ୟ ଯାତ୍ରୀ ଙ୍କୁ ଅପେକ୍ଷା ନ କରି ଶୀଘ୍ର ବୋଟ ଛାଡିବାକୁ ବୋଟ ଡ୍ରାଇଭର ମନ୍ତ୍ରୀ ନନାକୁ ଅନୁରୋଧ କରିବାରୁ ବାଲିମେଳା ଜଳ ଭଣ୍ଡାରର ଜଳରାଶିର ପେଟ ଚିରି ବୋଟ ଆଗେଇ ଚାଲିଲା ଚିତ୍ରକୋଣ୍ଡା ମେଡ଼ିକାଲ ଅଭିମୁଖେ। ଏଇଠି ବି ଦନାଇ ର ସ୍ୱାସ୍ଥ୍ୟ ଅବସ୍ଥା ଯଥା ପୂର୍ବଂ ତଥା ପରଂ ।ତାପରେ ଆମ୍ବୁଲାନ୍ସ ରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଗଲା ଦନାଇକୁ। ଗାଁ ର ତିନିଜଣ ସହୃଦୟ ବ୍ୟକ୍ତିଙ୍କ ସହଯୋଗ ପାଇଁ ଦନାଇକୁ ବେହୋସ ଅବସ୍ଥାରେ ଏତେବାଟ ଅଣା ଯାଇପାରିଲା। ଜିତୁ ସାର୍ ଙ୍କୁ ଫୋନ କରି ସବୁ କଥା ଜଣାଇଲେ ସେମାନେ।ଜିତୁ ସାର୍ ଅବିଳମ୍ବେ ଯାଇ ମେଡ଼ିକାଲ ରେ ପହଁଚିଲେ। ତାପରେ ଦନାଇର ଚିକିତ୍ସା ଦାୟିତ୍ୱ ଜିତୁ ସାର୍ ଙ୍କ ହାତରେ ନ୍ୟସ୍ତ କରି ସେମାନେ ଗାଁ କୁ ଫେରିଗଲେ। ଦନାଇ ପାଖରେ କେବଳ ଜିତୁ ସାର୍ ଆଉ ରାଧିକା। ସ୍କୁଲ ଛୁଟି ହେଇ ଯାଇଥିବାରୁ ସାର୍ ଗାଁ କୁ ଯିବାକୁ ବସ୍ ରେ ଅଗ୍ରୀମ ଟିକେଟ କରି ସାରିଥିଲେ। କିନ୍ତୁ ଦନାଇ ର ଏ ଅବସ୍ଥା ଦେଖିବା ପରେ ଆଉ ତାଙ୍କର ଗାଁ କୁ ଯିବାକୁ ମନ ବଳିଲା ନାହିଁ। ସିଏ ଯଦି ତାଙ୍କର ନିଜ ମାଆ ହେଇଥାନ୍ତା ତାହେଲେ କଣ ତାକୁ ଛାଡି ଚାଲି ଯାଇ ପାରିଥାନ୍ତା ! ଅଟକି ଗଲେ ଜିତୁ ସାର୍।ଫେରେଇଦେଲେ ବସ୍ ର ଅଗ୍ରୀମ ଟିକେଟ,,,,,,,
,,,,,କ୍ରମଶଃ
ଚିତ୍ରକୋଣ୍ଡା, ମାଲକାନଗିରି