ଲାଞ୍ଜିଗଡ଼,୧୯/୧୨( )-ଲାଞ୍ଜିଗଡ ବ୍ଲକ ପାହାଡପଦର ଗ୍ରାମପଞ୍ଚାୟତର ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଦେବାନନ୍ଦ ସାଗର ବ୍ୟାପକ ପରିମାଣର ସରକାରୀ ଅନୁଦାନ ରାଶି ହଡପ କରିଥିବା ନେଇ ଅଭିଯୋଗ ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନାନୁଯାୟୀ, ପାହାଡପଦର ଗ୍ରାମପଂଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଦେବାନନ୍ଦ ପଂଚାୟତକୁ ଆସିଥିବା ପଂଚଦଶ କେନ୍ଦ୍ରୀୟ ଅର୍ଥ କମିଶନର ୨୪ ଲକ୍ଷ ୭୦ ହଜାର ୭୧୩ ଟଙ୍କା ଚେକ୍ ଜରିଆରେ ଉଠାଣ କରି ବ୍ୟକ୍ତିଗତ ଭାବେ ହଡପ କରିଛନ୍ତି । ସେହିପରି ପଂଚମ ରାଜ୍ୟ ଅର୍ଥ କମିଶନର ଅନୁଦାନ ପାଣ୍ଠି ୧୭ ଲକ୍ଷ ୧୫ ହଜାର ୨୦୬ ଟଙ୍କା ମଧ୍ୟ ସେ ବେଆଇନ ଭାବେ ଉଠାଣ କରି ନେଇଥିବା ଅଭିଯୋଗ ହୋଇଛି । ଏପରିକି ପାହାଡପଦର ଭଳି ଦୁର୍ଗମ ଅଂଚଳର ବୃଦ୍ଧବୃଦ୍ଧା ମାନେ ମାସିକ ଭତା ଭାବେ ପାଇବାକୁ ଥିବା ୫ ଲକ୍ଷ ୩୨ ହଜାର ଟଙ୍କା ମଧ୍ୟ ସେ ଚେକ୍ ଜରିଆରେ ଉଠାଇ ନେବା ସହିତ ଆତ୍ମସାତ କରି ଫେରାର ହୋଇଯାଇଛନ୍ତି । ତେବେ ସରପଞ୍ଚ ଲକ୍ଷ୍ମଣ ମାଝୀଙ୍କ ଜାଲ୍ ଦସ୍ତଖତ କରି ୪୭ ଲକ୍ଷ ୧୭ ହଜାର ୯୭୯ ଟଙ୍କା ସେ ଆତ୍ମସାତ କରିଥିବାବେଳେ କେବଳ ପାହାଡପଦର ନୁହେଁ ସମଗ୍ର ଜିଲ୍ଲାରେ ପଂଚାୟତ ନିର୍ବାହୀ ଅଧିକାରୀଙ୍କ କଳା କାରନାମାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଏ ସଂପର୍କରେ ସରପଂଚ ଲକ୍ଷ୍ମଣ ମାଝୀ, ସମିତିସଭ୍ୟ ଜଗଦୀଶ ବେନିଆଁ ପ୍ରମୁଖ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଡିଓ ଶ୍ରୀ ମିଶ୍ର ଏହି ଘଟଣାରେ ତୁରନ୍ତ ପଦକ୍ଷେପ ନେବା ସହିତ ବିଶ୍ୱନାଥପୁର ଏସ୍ବିଆଇ ଶାଖାରେ ଥିବା ପଂଚାୟତ ଏକାଉଣ୍ଟକୁ ହୋଲ୍ଡ କରିବାକୁ ଚିଠି ଲେଖିଛନ୍ତି । ସେହିପରି ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ ସହିତ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କୁ ସଂପୃକ୍ତ ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ସୁପାରିଶ କରାଯାଇଛି । ଅପରପକ୍ଷରେ ପାହାଡପଦର ସରପଂଚ ଲକ୍ଷ୍ମଣ ମାଝୀ ଦେବାନନ୍ଦଙ୍କ ବିରୁଦ୍ଧରେ ବିଜେପୁର ଥାନାରେ ଏତଲା ଦାୟର କରିଥିବାବେଳେ ଦସ୍ତଖତ ଜାଲିଆତି ଓ ମୋଟା ଅଙ୍କର ସରକାରୀ ଅର୍ଥ ହେରଫେର ମାମଲାକୁ କଳାହାଣ୍ଡି ଭିଜିଲାନ୍ସ ଦ୍ୱାରା ତଦନ୍ତ କରାଯିବ ବୋଲି ଜଣାପଡିଛି । ଏନେଇ ଖୁବ୍ ଶୀଘ୍ର ଭିଜିଲାନ୍ସ ତଦନ୍ତ କରାଯିବା ସହ ଦେବାନନ୍ଦଙ୍କ ସରକାରୀ ଅର୍ଥ ଚଳୁ ଅଭିଯୋଗ ସହିତ ତାଙ୍କର ସ୍ଥାବର ଅସ୍ଥାବର ସଂପତି ଯାଂଚ ଏବଂ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ସୂଚନା ମିଳିଛି ।