ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ବିଦେଶ

ତୁର୍କୀ ଓ ସିରିୟାରେ ଭୟଙ୍କର ଭୂକମ୍ପ…  ଗଲାଣି ୮ହଜାରରୁ ଅଧିକ ଜୀବନ, ଏବେ ବି ଧ୍ୱଂସ ସ୍ତୁପ ତଳେ ଫସିରହିଛନ୍ତି ହଜାର ହଜାର ଲୋକ

ତୁର୍କୀ ଓ ସିରିଆରେ ଭୟଙ୍କର ଭୂକମ୍ପରେ ଗଲାଣି ୮ହଜାରରୁ ଅଧିକ ଜୀବନ । ଏବେ ବି ଧ୍ୱଂସ ସ୍ତୁପ ତଳେ ଫସି ରହିଛନ୍ତି ହଜାର ହଜାର ଲୋକ । ସାମ୍ନାକୁ ଆସିଛି ଭୂକମ୍ପ ପରର ଛାତିଥରା ଦୃଶ୍ୟ । କଂକ୍ରିଟ୍ ଚାଦର ତଳେ ପ୍ରତି ମୁହୁର୍ତ୍ତରେ ଚାଲିଛି ମୃତ୍ୟୁ ସହ ସଂଗ୍ରାମ । କିଏ ଧ୍ୱାଂସାବଶେଷ ତଳୁ ହାତ ହଲାଇ ପ୍ରାଣ ଭିକ୍ଷା କରୁଛି ତ କିଏ ଥମିଯାଉଥିବା ସ୍ୱରରେ ତ୍ରାହି ତ୍ରାହି ଡାକୁଛି । ଏଭଳି ଦୃଶ୍ୟରେ ବିଚଳିତ ନହୋଇ ଉଦ୍ଧାରକାରୀ ଦଳ ଜୀବନ ଖୋଜିବାରେ ଲାଗି ପଡ଼ିଛନ୍ତି । ହେଲେ ଏହି ଧ୍ୱଂସ ଲୀଳା ଭିତରେ ବି କିଛି ଜୀବନ ରହିଛି ସୁରକ୍ଷିତ ।

 ସାରା ବିଶ୍ୱରୁ ତୁର୍କୀକୁ ସହାୟତାର ହାତ ଛୁଟିଛି । ମହାସଙ୍କଟର ମୁକାବିଲା ପାଇଁ ତୁର୍କୀ ଅନ୍ତର୍ଜାତୀୟ ସହାୟତା ନିମନ୍ତେ ଅନୁରୋଧ କରିଛି ଏବଂ ଭାରତ ସମେତ ୭୦ରୁ ଅଧିକ ରାଷ୍ଟ୍ର ଏବଂ ୧୪ ଅନ୍ତର୍ଜାତୀୟ ସଂଗଠନ ତୁର୍କୀକୁ ସହାୟତାର ହାତ ବଢ଼ାଇଛନ୍ତି ।

ଭୟଙ୍କର ହେଉଛି ମାନବୀୟ ସଙ୍କଟ, ଖାଦ୍ୟ ନାହିଁ , ପିଇବାକୁ ପାଣି ନାହିଁ…

ଦକ୍ଷିଣ ତୁର୍କୀ ଏବଂ ଉତ୍ତର ସିରିୟାରେ ଭୂକମ୍ପ ପରବର୍ତ୍ତୀ ସ୍ଥିତି ଅତି ଭୟଙ୍କର ରହିଛି। ତୁର୍କୀରେ ଗତକାଲି ୩ ଥର ଭୂକମ୍ପ ଯୋଗୁଁ ପ୍ରଳୟଙ୍କରୀ ସ୍ଥିତି ଲାଗି ରହିଥିବା ବେଳେ ଆଜି ପୁଣିଥରେ କେନ୍ଦ୍ରୀୟ ତୁର୍କୀରେ ଦୁଇ ଥର ୫.୬ ଓ ୫.୭ ତୀବ୍ରତାର ଭୂକମ୍ପ ‌ଅନୁଭୂତ ହୋଇଛି।

ମହାସଙ୍କଟର ମୁକାବିଲା ପାଇଁ ତୁର୍କୀ ଅନ୍ତର୍ଜାତୀୟ ସହାୟତା ନିମନ୍ତେ ଅନୁରୋଧ କରିଛି ଏବଂ ଭାରତ ସମେତ ୭୦ ରୁ ଅଧିକ ରାଷ୍ଟ୍ର ଏବଂ ୧୪ ଅନ୍ତର୍ଜାତୀୟ ସଂଗଠନ ତୁର୍କୀକୁ ସହାୟତାର ହାତ ବଢ଼ାଇଛନ୍ତି। ତୁର୍କୀରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲେ ସୁଦ୍ଧା ପ୍ରବଳ ଥଣ୍ଡା ଏବଂ ବରଫ ବର୍ଷା ପାଇଁ ଉଦ୍ଧାର କାର୍ଯ୍ୟ‌ରେ ବାଧା ସୃଷ୍ଟି ହୋଇଛି। ଭୂକମ୍ପରୁ ବଞ୍ଚିଯାଇଥିବା ଲୋକମାନେ ଏବେ ଭୀଷଣ ଥଣ୍ଡା, ଘନ ଅନ୍ଧାର ଓ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି। ସେମାନଙ୍କ ପାଖରେ ଖାଇବାକୁ ଖାଦ୍ୟ ନାହିଁ କି ପିଇବାକୁ ପାଣି ମ‌ୁନ୍ଦେ ବି ନାହିଁ। ପ୍ରବଳ ଶୀତ ଏବଂ ବରଫ ବର୍ଷା ଅତି ଶୋଚନୀୟ ସ୍ଥିତି ସୃଷ୍ଟି କରିଛି।

ତୁର୍କୀ ରାଷ୍ଟପ୍ରତି ଏର୍ଡୋଗାନ ଆଜି ୧୦ ଭୂକମ୍ପ ପ୍ରଭାବିତ ପ୍ରଦେଶରେ ୩ ମାସ ପାଇଁ ଜରୁରୀ ସ୍ଥିତି ଘୋଷଣା କରିଛନ୍ତି। ଅତ୍ୟଧିକ ଥଣ୍ଡା ଭଗ୍ନ କୋଠା ତଳେ ଫସି ରହିଥିବା ଲୋକମାନଙ୍କ ପାଇଁ ଅତି ଜଟିଳ ସ୍ଥିତି ସୃଷ୍ଟି କରିଛି। ୮ ହଜାରରୁ ଅଧିକ ଲୋକଙ୍କୁ ଭଗ୍ନାବଶେଷ ତଳୁ ଜୀବିତ ଉଦ୍ଧାର କରାଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଉଭୟ ତୁର୍କୀ ଏବଂ ସିରିୟାରେ ହଜାର ହଜାର କୋଠା ମାଟିରେ ମିଶି ଯାଇଛି ।

ପୂର୍ବରୁ ମାନବୀୟ ସହାୟତା ଉପରେ ନିର୍ଭରଶୀଳ ଥିବା ସିରିୟାରେ ୪୦ ଲକ୍ଷରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଛି। ତୁର୍କୀ କେବଳ ଏହାର ଇତିହାସରେ ନୁହେଁ ବରଂ ସମଗ୍ର ବିଶ୍ବରେ ସବୁଠାରୁ ବଡ଼ ବିପର୍ଯ୍ୟୟ ସାମ୍ନା କରୁଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ର ବରିଷ୍ଠ ଅଧିକାରୀମାନେ କହିଛନ୍ତି, ସିରିୟା ପୂର୍ବରୁ ସଙ୍କଟରେ ରହିଛି। ସିରିୟାକୁ ଏବେ ଅଧିକ ମାତ୍ରାରେ ମାନବୀୟ ସହାୟତା ଆବଶ୍ୟକ‌। ‘ହୁ’ ମୁଖ୍ୟ ଟେଡ୍ରସ ଆଦନମ କହିଛନ୍ତି, ଏବେ ସମୟ ବିରୋଧରେ ଦୌଡ଼ିବାର ସମୟ। ପ୍ରତି ମିନିଟ୍‌ ଏବଂ ପ୍ରତି ଘଣ୍ଟା ଗୁରୁତ୍ବପୂର୍ଣ୍ଣ। ଲୋକଙ୍କୁ ଜୀବିତ ଉଦ୍ଧାର କରିବା ସମ୍ଭାବନା କମିଯାଉଛି। ବିଶେଷ କରି ତୁର୍କୀ ଏବଂ ସିରିୟାର ଯେଉଁ ଅଞ୍ଚଳରେ ଭୂକମ୍ପ ପରଠାରୁ କିଛି ଖବର ନାହିଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସେଥିପାଇଁ ସବୁଠାରୁ ଅଧିକ ଚିନ୍ତିତ ଅଛନ୍ତି।

ତୁର୍କୀରେ ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ୫୪ ହଜାର ଅସ୍ଥା‌ୟୀ ଟେଣ୍ଟ ପ୍ରତିଷ୍ଠା ହୋଇଛି। ୧୦୨,୦୦୦ ବେଡ୍‌ ପଠାଯାଇଛି। ପ୍ରାୟ ୫୪ ହଜାର ଲୋକ ଉଦ୍ଧାର କାର୍ଯ୍ୟରେ ଅଂଶଗ୍ରହଣ କରିଛନ୍ତି। ତୁର୍କୀ ଅପେକ୍ଷା ସିରିୟାରେ ଉଦ୍ଧାର କାର୍ଯ୍ୟ ଅଧିକ ଚ୍ୟାଲେଞ୍ଜିଂ ହୋଇଛି। ଭୂକମ୍ପରେ ଶତାଧିକ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି। ପ୍ରଳୟଙ୍କରୀ ଭୂକମ୍ପ ଯୋଗୁଁ ସିରିୟାର କେତେକ ଅଞ୍ଚଳ ବାହ୍ୟ ଜଗତରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ଏବଂ ଜାତିସଂଘର ସହାୟତା ସେଠାରେ ପହଞ୍ଚି ପାରୁନି।

କେବେ କେଉଁଠି ଭୂମିକମ୍ପ……

ଧ୍ବଂସର ଖେଳ ରଚିଛି ପ୍ରକୃତି । ଆଉ ପୂରା ସହର ପାଲଟିଗଲା ଶ୍ମଶାନ । ତୁର୍କୀ‌ରେ ହୋଇଥିବା ଭୂମିକମ୍ପ ଆଜି ଅତୀତର ଭୟଙ୍କର ଓ ଶକ୍ତିଶାଳୀ ଭୂମିକମ୍ପ ସଂପର୍କିତ ସ୍ମୃତିକୁ ତା‌ଜା କରିଦେଇଛି। ମନେ ପକେଇ ଦେଇଛି ଲୋକଙ୍କ ଆର୍ତ୍ତ ଚିତ୍କାର । ଆଉ ସେ ଅଶୁଭ ଦିନର କାହାଣୀ । ଜାଣନ୍ତୁ ଏପରି ବିଶ୍ବରେ ଚହଳ ଖେଳାଇଥିବା କିଛି ବଡ଼ ଧରଣର ଭୂମିକମ୍ପ ସମ୍ପର୍କରେ…

୧୯୫୨ ରୁଷିଆ ଭୂମିକମ୍ପ: ରୁଷିଆର କାମଚଟକା ନିକଟରେ ୧୯୫୨ ମସିହାରେ ୯.୦ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଏଥିରେ ୨୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ବଡ଼ ଧରଣର ସୁନାମି ସୃଷ୍ଟି ହୋଇଥିଲା ।

୧୯୬୦ ଚିଲି ଭୂମିକମ୍ପ : ୧୯୬୦ ମସିହା ମେ ମାସରେ ଚିଲିର ବାୟୋ-ବାୟୋ ଠାରେ ଏକ ବଡ଼ ଧରଣର ଭୂମିକମ୍ପ ହୋଇଥିଲା। ଦୁଇଥର ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ଯଥାକ୍ରମେ ୯.୪ ଏବଂ ୯.୬ ରହିଥିଲା। ପ୍ରାୟ ୧୦ ମିନିଟ ଧରି ଭୂମି ଥରିଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୬୦୦୦ ପର୍ଯ୍ୟନ୍ତ ଲୋକଙ୍କ ମୃତ୍ୟୁ ହୋଇଥିଲା। ଆଜି ପର୍ଯ୍ୟନ୍ତ ରେକର୍ଡ ହୋଇଥିବା ଭୂମିକମ୍ପ ମଧ୍ୟରେ ଏହାର ମାତ୍ରା ସବୁଠୁ ଅଧିକ ବୋଲି କୁହାଯାଇଥାଏ।

୧୯୬୪ ଆଲାସ୍କା ଭୂମିକମ୍ପ: ୧୯୬୪ ମସିହାର ଗୁଡ୍‌ ଫ୍ରାଇଡେ ଦିନ ଏକ ଶକ୍ତିଶାଳୀ ଭୂମିକମ୍ପ ଆଲାସ୍କା ଅଞ୍ଚଳରେ ହୋଇଥିଲା। ଏହାର ତୀବ୍ରତା ୯.୨ ରହିଥିଲା। ୫ ମିନିଟରୁ କମ୍ ସମୟ ପାଇଁ ହୋଇଥିଲେ ମଧ୍ୟ ଉତ୍ତର ଆମେରିକାରେ ଆଜି ପର୍ଯ୍ୟନ୍ତ ହୋଇଥିବା ଭୂମିକମ୍ପ ମଧ୍ୟରେ ଏହା ସବୁଠୁ ଶକ୍ତିଶାଳୀ। ଭୂମିକମ୍ପରେ ଏହି ଅଞ୍ଚଳରେ କେବଳ ୯ ଜଣଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ବିଶ୍ବର ବିଭିନ୍ନ ସ୍ଥାନରେ ସୁନାମି ଯୋଗୁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

୨୦୦୧ ଭୁଜ୍‌ ଭୂମିକମ୍ପ: ୨୦୦୧ ମସିହାରେ ଗୁଜରାଟର ଭୁଜ୍‌ରେ ହୋଇଥିବା ଭୂମିକମ୍ପ ବିଶ୍ବର ତୃତୀୟ ବୃହତ୍ ଏବଂ ୨୦୦ ବର୍ଷ ମଧ୍ୟରେ ଭାରତର ଦ୍ବିତୀୟ ବିଧ୍ବଂସକାରୀ। ଏଥିରେ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ହଜାର ଲକ୍ଷ ଲକ୍ଷ ଲୋକ ଗୃହଶୂନ୍ୟ ହୋଇଥିଲେ।

୨୦୦୪ ସୁମାତ୍ରା ଭୂମିକମ୍ପ ଓ ସୁନାମି: ୨୦୦୪ ମସିହାରେ ସୁମାତ୍ରାରେ ହୋଇଥିବା ୯.୧ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଦକ୍ଷିଣ ଏସିଆର ଏକ ବଡ଼ ବିପର୍ଯ୍ୟୟ ଭାବେ ବିବେଚନା କରାଯାଏ। ଏହାଫଳରେ ଭାରତ ସମେତ ଅନେକ ଦେଶରେ ୧୦୦ ଫୁଟ ପର୍ଯ୍ୟନ୍ତ ସୁନାମି ଦେଖିବାକୁ ମିଳିଥିଲା। ୧୪ଟି ଦେଶରେ ପ୍ରାୟ ୨,୨୭,୦୦୦ ଲୋକଙ୍କର ଏହି ସୁନାମି ଫଳରେ ମୃତ୍ୟୁ ହୋଇଥିଲା। ଭାରତରେ ପ୍ରାୟ ୪୨ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା।

୨୦୧୧ ଜାପାନ ଭୂମିକମ୍ପ: ୨୦୧୧ ମାର୍ଚ୍ଚ ୧୧ରେ ଜାପାନରେ ହୋଇଥିବା ଭୂମିକମ୍ପ ଏବଂ ସୁନାମି ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହାର ତୀବ୍ରତା ୯.୦ ରହିଥିଲା। ୧,୨୦,୦୦୦ କୋଠା ଭାଙ୍ଗିଥିଲା।

୨୦୧୫ ନେପାଳ ଭୂମିକମ୍ପ: ୨୦୧୫ ମସିହାରେ ନେପାଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଏହାାର ପ୍ରଭାବ ଭାରତ ସମେତ ଚୀନ, ପାକିସ୍ତାନ ଓ ବାଂଲାଦେଶରେ ଅନୁଭୂତ ହୋଇଥିଲା। ୮୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଏଥିରେ ହୋଇଥିଲା। ଏହା ପୂର୍ବରୁ ନେପାଳରେ ୧୯୩୪ରେ ଏକ ବଡ଼ ଧରଣର ଭୂମିକମ୍ପ ହୋଇ ୧୭ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା।

ବିଦ୍ୟାଧର ସାହୁଙ୍କ ଉପସ୍ଥାପନା…..

Related posts

ଜଣା ଅଜଣା – ଯୁଦ୍ଧବିମାନ ନିଜେ ନିଜର ଶତ୍ରୁ..

Sunil Chandra Nayak

ଧର୍ମଗୁରୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ…

Sunil Chandra Nayak

ଆମ ସଙ୍ଗେ ଦୁଷ୍କର୍ମ କରନାହିଁ: ‘କାନ୍‌ସ୍‌ ରେଡ୍‌ କାର୍ପେଟ୍‌’ରେ ପ୍ରତିବାଦ ପ୍ରଦର୍ଶନ କଲେ ଅର୍ଦ୍ଧନଗ୍ନ ଯୁବତୀ

Leave a Comment

error: Content is protected !!