ନୂଆପଡା: ସରକାର ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟର ଗୃହ ତିଆରି କରିବା ସହିତ ସୌନ୍ଦର୍ଯ୍ୟ କରଣ ପାଇଁ ଅର୍ଥ ମଞ୍ଜୁର କରି ଶିକ୍ଷାକୁ ଆଗେଇ ନେବାକୁ ଉଦ୍ୟମ ଜାରି ରଖିଛନ୍ତି । ହେଲେ ଏହାର ବ୍ୟତିକ୍ରମ ଦେଖା ଯାଇଛି ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବରଗା ପଞ୍ଚାୟତର ଶବର ପଡା ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଗୃହ ବିପଦ ପୁର୍ଣ୍ଣ ଭାବରେ ଥିବାରୁ ଅଭିଭାବକ ତାଲା ପକାଇ ବନ୍ଦ କରି ତୁରନ୍ତ ମରାମତି କରିବାକୁ ଦାବି କରିଛନ୍ତି । ଏହି ବିଦ୍ୟାଳୟ ୨୦୦୨ ମସିହାରେ ସ୍ଥାପିତ ହୋଇଥିଲା ଓ ବିଦ୍ୟାଳୟ ଗୃହ ନିର୍ମାଣ ମଧ୍ୟ ହୋଇଥିଲା । ହେଲେ ନିମ୍ନ ମାନର ବିଦ୍ୟାଳୟ ଗୃହ କାର୍ଯ୍ୟ ଯୋଗୁ ନିର୍ମାଣର କୋଡିଏ ବର୍ଷ ମଧ୍ୟରେ ବିଦ୍ୟାଳୟ ଗୃହର ସବୁ କାନ୍ଥ ଫାଟ ସୃଷ୍ଟି ହୋଇଛି ଓ ବର୍ଷା ହେଲେ ପାଣି ଝରୁଛି । ଏହି ବିଦ୍ୟାଳୟରେ ଏକରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ୬୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ଓ ଦୁଇ ଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି । ବର୍ତ୍ତମାନ ସ୍ଲାବ ଝଡି ବିପଦ ପୁର୍ଣ୍ଣ ଅବସ୍ଥାରେ ଥିବା ବେଳେ ଅନେକ ସମୟରେ ସ୍ଲାବ ଝଡି ଛାତ୍ରଛାତ୍ରୀ ଆହତ ହେଉଥିବା ଅଭିଯୋଗ କରିଛନ୍ତି । ବିଦ୍ୟାଳୟର ସ୍ଲାବ ଗୁଡିକ ବିପଦ ପୁର୍ଣ୍ଣ ଅବସ୍ଥାରେ ଥିବାରୁ ଶୁକ୍ରବାର ଅଭିଭାବକ ମାନେ ବିଦ୍ୟାଳୟକୁ ତାଲା ପକାଇ ବନ୍ଦ କରିବା ସହିତ ତୁରନ୍ତ ମରାମତି କରିବାକୁ ମନିରାମ ଶବର, ଧୋବୀ ଶବର, ଶ୍ୟାମଘନ ପଟେଲ, ବେଦବର ପଟେଲ, ଗଙ୍ଗା ଶବର ସମେତ କୋଡିଏରୁ ଅଧିକ ଅଭିଭାବକ ଦାବି କରିଥିଲେ । ଆଗାମୀ ଦିନରେ ଯଦି ମରାମତି କରା ନଯାଏ ତାହେଲେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଛାଡ଼ିବୁ ନାହିଁ ବୋଲି ପ୍ରକାଶ କରିଛନ୍ତି । ଏନେଇ ନୂଆପଡା ଡି ଇ ଓ ଙ୍କୁ ପଚାରିବାରୁ ସମସ୍ୟା ଦେଖି ବୁଝୁଛି ବୋଲି ପ୍ରକାଶ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ