ତଥାପି ଅନ୍ଧାର
ଭାଗବତ ପ୍ରସାଦ
କେତେ ବେଳୁ ଗୋଠରୁ ଫେରିଲେଣି ଗୋରୁଗାଈ ! ପଶ୍ଚିମ ଆକାଶର ଦିଗବଳୟ ତଳେ ଲୁଚିଗଲେଣି ଅସ୍ତଗାମୀ ସୂର୍ଯ୍ୟ ! କିଚିରିମିଚିରି ହେଇ ନିଜନିଜର ନୀଡ ଅଭିମୁଖେ ଡେଣା ଝାଡ଼ିଝାଡି ଉଡିଯାଉଛନ୍ତି ବିହଙ୍ଗମ କୁଳ ! ଅନତିଦୂରରେ ଥିବା ଆଶ୍ରମରୁ ଶୁଭିଯାଉଛି ସଂନ୍ଧ୍ୟା ଆଳତୀର ଘଣ୍ଟ ଘଣ୍ଟା ଆଉ ଶଙ୍ଖଧ୍ୱନି ! ଅସ୍ପଷ୍ଟ ଦେଖାଗଲାଣି ଗାଆଁ ର ରାସ୍ତା ! ତଥାପି ଘରର ଛାତ ଉପରେ ଗୋଟିଏ କୋଣକୁ ଆଉଜି ବସିଛି ଝିଅଟିଏ ! ଝିଅ ତ ନୁହେଁଁ, ସେଇ ଘରର ବୋହୂ ! ନାଆଁ ଟି ତାର ତୃପ୍ତି, ତୃପ୍ତିମୟୀ ଦାଶ ! ଆଖିରୁ ଝରୁଛି ଶ୍ରାବଣୀର ଅମାନିଆ ଧାର ! ଶୁଖିଯାଇଛି ପଦ୍ମ ଫୁଲିଆ ମୁଁହ ! ମଉଳିଯାଇଛି ମନର ସରାଗ ! ଅଯତ୍ନ କେଶବିନ୍ୟାସ ରୁ ଜଣା ପଡୁଛି ଯେ କିଛି ଗୋଟିଏ ଅଘଟଣ ଘଟିଯାଇଛି ବୋଲି ! କିନ୍ତୁ କଣ ସେ ଅଘଟଣ, ଯାହା କେବେ ଘଟିବ ବୋଲି କେହିବି ବିଶ୍ୱାସ କରିବା ତ ଦୂରର କଥା, ସ୍ୱପ୍ନରେ ବି କେହି କଳ୍ପନା କରିପାରିବେନି ! ଦୋମହଲା ରାଜ ଉଆସ ପରି କୋଠା ! ଘର ଆଗରେ ଚାରି ଚକିଆ, ଦୁଇ ଚକିଆ ଭେରାଇଟି ରକମର ଯାନ ଦେଖିଲେ ଯେକେହି ବି ଘରର ଖାନଦାନୀ ଜାଣି ଯିବ, ଏଥିରେ ସନ୍ଦେହ ନାହିଁ !
କିନ୍ତୁ ତୃପ୍ତି କାନ୍ଦୁଛି କଣ ପାଇଁ ?
____________________________________________
ବାପା ଚନ୍ଦ୍ରକାନ୍ତ ଦାଶ ପେସାରେ ଜଣେ ସରକାରୀ ଡ୍ରାଇଭର ! ସ୍ଥାନୀୟ ତହସିଲଦାରଙ୍କୁ ନେବା ଆଣିବା କରନ୍ତି ! ତୃପ୍ତିମୟୀ ତାଙ୍କର ଏକମାତ୍ର କନ୍ୟା ! ଅତି ଗେଲବସରରେ ବଢ଼ି ଆସିଛି ! ଅଭାବ ବୋଲି କଣ ଜାଣି ପାରିନି ! ଯାବତୀୟ ବିଷୟ ଝିଅ ପାଇଁ ଯୋଗେଇଥାନ୍ତି ଚନ୍ଦ୍ରକାନ୍ତ ! କେତେବେଳେ ହାଇସ୍କୁଲ ପଢାସାରି କଲେଜରେ ପଢ଼ିଲାଣି, ସେକଥା ସରକାରୀ କାର୍ଯ୍ୟରେ ରହି ଜାଣିପାରି ନାହାନ୍ତି ଚନ୍ଦ୍ରକାନ୍ତ ! ଝିଅ କଥା ବୁଝନ୍ତି ମା ରଜନୀ ଦେବୀ !
ଦିନକର କଥା ! ସେଦିନ ସରକାରୀ ଛୁଟି ଥାଏ ! ଘରକୁ ଆସିଥାନ୍ତି ଚନ୍ଦ୍ରକାନ୍ତ ! ସାଥିରେ ଆଣିଥିବା ରସଗୋଲା ରୁ ଗୋଟିଏ ଆଣି ସ୍ତ୍ରୀ ରଜନୀ ଦେବୀ ଙ୍କ ପାଟିରେ ଦେଇ କେତେ ଖୁସିରେ କହିଲେ, ” ଟିକେ ପାଟି ଖୋଲିଲ, ବଡକରି ଖୋଲ ମ “
ରଜନୀ ଦେବୀ ଅଧହସ ଟିଏ ହସି କହିଲେ ” ଆଜି କଣ ଭାରି ସୁହାଗରେ କହୁଛ, କଥା କଣ? “
ଚନ୍ଦ୍ରକାନ୍ତ ଙ୍କ କଥା କାଟି ନପାରି ରଜନୀ ଦେବୀ ଆଁ କରି ଦେବାରୁ ମିଠାଟିଏ ପାଟିରେ ଦେଇ କହିଲେ ! “ଗୋଟିଏ ଖୁସୀ ଖବର ଅଛି, ଶୁଣିଲେ ତମେ ବି ଖୁସିରେ ପାଗଳ ହେଇଯିବ !” ରଜନୀ ଦେବୀ ଚମକିଲା ପରି କହିଲେ ” ଏଁ, ପାଗଳ ହେଇଯିବି ? ତାହେଲେ କହିବା ଦରକାର ନାହିଁ “! “ଆରେ, ଶୁଣ ତ ଥରେ, ଆମ ଝିଅ ପାଇଁ ଗୋଟିଏ ଭଲ ପ୍ରସ୍ତାବ ଟିଏ ଅଛି ! ପୁଅ ଗୋଟିଏ କମ୍ପାନୀରେ ମ୍ୟାନେଜର ଅଛି ! ଚାଳିଶ ହଜାର ଦରମା ! ତାଛଡା ଦୁଇମାହାଲା କୋଠା ସାଙ୍ଗକୁ ପାଞ୍ଚ ଏକର ଜମି ! ଚାକର କୋଠିଆ ଚାଷବାସ କଥା ବୁଝନ୍ତି ମ ! ମୋର ତ ମନ ମାନି ଯାଇଛି, ଖାଲି ତମେ କହିଲେ ହେଲା ! କଣ କହୁଛ ?” ଏକ ନିଶ୍ୱାସରେ ନନଷ୍ଟପ୍ ଗପି ଗଲେ ଚନ୍ଦ୍ରକାନ୍ତ ! ରଜନୀ ଦେବୀ ଆପଲକ ନୟନରେ ଚାହିଁଥିଲେ ସ୍ୱାମୀକୁ ! ଆଉ ଅନୁଭବ କରୁଥିଲେ ତାଙ୍କର ଖୁସିକୁ ! ସ୍ୱାମୀର ଖୁସିରେ ସ୍ତ୍ରୀ ଖୁସୀ ହେବାଟା ବୋଧହୁଏ ସମସ୍ତଙ୍କ ପାଖରେ ନଥାଏ ! କିନ୍ତୁ ରଜନୀ ଦେବୀ ସ୍ୱାମୀଙ୍କ ପ୍ରସ୍ତାବକୁ ସମର୍ଥନ କରିଥିଲେ ! ତୃପ୍ତିମୟୀ ର ଅନିଚ୍ଛା ସତ୍ତ୍ୱେ ବାହାଘର ସ୍ଥିର ହେଇଗଲା ! ବାପା ମା’ ଙ୍କ ମନରେ ଦୁଃଖ ନଦେଇ ପ୍ରସ୍ତାବକୁ ସ୍ୱୀକାର କରିନେଲେ ତୃପ୍ତି !
____________________________________________
ବାହାଘର ତାରିଖ ସ୍ଥିର ହେଇଗଲା ! ଫାଲଗୁନ ଶୁକ୍ଲପକ୍ଷ ପ୍ରଥମ ତିଥିରେ ବିବାହ କାର୍ଯ୍ୟର ଶୁଭାଶୁଭ ଯୋଗ ଥିବାରୁ ଉଭୟ ପକ୍ଷ ଏହି ତିଥିକୁ ସ୍ଥିର ରଖିଲେ ! କିନ୍ତୁ ତୃପ୍ତି ମନରେ ଖୁସୀ ନଥାଏ ! ବିବାହ ତାରିଖ ଯେତେ ପାଖେଇ ଆସୁଥାଏ, ଅଜଣା ଭୟର ଆଶଙ୍କାରେ ଲୁଚିଲୁଛି କାନ୍ଦୁଥାଏ ତୃପ୍ତି ! କାରଣ କଲେଜରେ ପଢ଼ୁଥିବା ସହପାଠୀ ” ଶୁଭମ” ର ଚେହେରା ପ୍ରତି ମୁହୂର୍ତ୍ତରେ ମାନସ ପଟରେ ଝଲସି ଉଠୁଥାଏ ! ଶୁଭମ, କଲେଜରେ ପଢ଼ୁଥିବା ଯୁବକ ମାନଙ୍କ ମଧ୍ୟରେ ସବୁଠୁ ବେଶି ସୁନ୍ଦର ଚେହେରା ! ତୃପ୍ତି ସହିତ ଶୁଭମ ର ଯୋଡିକୁ ନେଇ ସର୍ବଦା ଚର୍ଚ୍ଚା ହୁଏ କଲେଜ କ୍ୟାମ୍ପସରେ ! କଲେଜ ର ପ୍ରତିଟି ପ୍ରୋଗ୍ରାମକୁ ସରସ ସୁନ୍ଦର କରାଇଥାନ୍ତି ତୃପ୍ତି ଆଉ ଶୁଭମ !
ଉଭୟ ଉଭୟଙ୍କୁ ଭଲପାଇ ବସନ୍ତି ନିଜନିଜର ଅଜାଣତରେ ! ସାଗପଖାଳରେ ବରଂ ସନ୍ତୁଷ୍ଟ ରହିବେ କିନ୍ତୁ ସଂସାର ନିଶ୍ଚୟ କରିବେ ! ସବୁ ଦୁଃଖକୁ ଆପଣେଇ ନେବେ, କିନ୍ତୁ ସାଥିହୋଇ ରହିବେ ! ଭଲପାଇବାର ସ୍ମାରକ ସାଜିବେ, କିନ୍ତୁ କେହି କାହାକୁ ଭୁଲି ଯିବେନି ! ଏସବୁ ଥିଲା କଲେଜ ସମୟର ପ୍ରତିଶୃତି ! ଏକଥା ତୃପ୍ତି କେମିତି ବା କହିବ ନିଜ ବାପା ମା’ କୁ ! ଗୋଟିଏ ପାଖେ ଜନ୍ମର ସମ୍ପର୍କ ଆରପଟେ ପ୍ରେମର ସମ୍ପର୍କ ! ଏସବୁ ଭିତରେ ଘାଣ୍ଟି ହେଉଛି ତୃପ୍ତି ! ଭାବିଭାବି ମୁକପ୍ରାୟ ହୋଇ ଗଲାଣି ! ୟା’ ରି ଭିତରେ ବାହାଘର ହେଇ ଯାଇଛି ତୃପ୍ତି ର ! ମିଶ୍ର ଘରର ବୋହୂ, ବଡ ଘର, ଭଲ ଚାକିରିଆ ବର ! ଚନ୍ଦ୍ରକାନ୍ତ ଆଉ ରଜନୀ ଦେବୀ ବହୁତ ଖୁସୀ !
______________________________________________
ବାହାଘର ର ଖବର ଯେତେ ବେଳେ ଶୁଭମ୍ ଜାଣିଲା, ତା ପାଦତଳୁ ବସୁଧା ଖସିଗଲା ପରି ଲାଗିଲା ! ଅବିଶ୍ୱାସ ପରି ମନେ ହେଉଥିଲେ ବି ସତ ଟାକୁ ଅସ୍ବୀକାର କରି ହେଉ ନଥିଲା ! ସବୁ ପ୍ରତିଶୃତି, ସବୁ ଭଲପାଇବା, ହସଖୁସି, ଥଟ୍ଟାମଜା ସବୁକିଛି ଶୁଭମ୍ କୁ ମରୀଚିକାର ଧୋକ୍କା ପରି ମନେ ହେଲା ! ଏତେ ଗୁଡିଏ ଭଲପାଇବା ହଠାତ ଦିବାସ୍ବପ୍ନ ପରି ଅପସରି ଯିବ , ଏକଥାକୁ ସହଜରେ ନିଜ ମନକୁ ବୁଝେଇ ପାରୁ ନଥିଲା ଶୁଭମ୍ ! ହଠାତ ଦିନେ ଖବର ପ୍ରଚାରିତ ହେଲା ଯେ, ନଦୀ ପାଖ ଝାଉଁ ଗଛରେ ଶୁଭମ୍ ନିଜକୁ ଫାସୀ ଦେଇ ଦେଇଛି !
________________________________________________
କୌଣସି ପ୍ରକାରେ ତୃପ୍ତି ଶାଶୂଘରେ ଛଅ ମାସ ବିତେଇ ଦେଲା ! ତାପରେ ଜଣାଗଲା ଯେ ତାର ସ୍ୱାମୀ ଅବକାଶ ମିଶ୍ର ଜଣେ ଘୋଡା ମଦୁଆ ! ଖାଲି ସେତିକି ନୁହେଁ, ଜଣେ ପରକୀୟା ପ୍ରୀତିରସିକ ! ତୃପ୍ତି ଜୀବନରେ ଆସିଗଲା ଅଶାନ୍ତିର ଝଡ ! କୋଉ ସ୍ତ୍ରୀ ଚାହିଁବ ଯେ ନିଜ ସ୍ୱାମୀ କୋଉ ପରସ୍ତ୍ରୀ ପାଖରେ ଖରାପ ସମ୍ପର୍କ ରଖୁ ! ପ୍ରତିବାଦ ର ସ୍ୱରକୁ ଚପେଇବା ପାଇଁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରତିଦିନ ଝଗଡା ଚାଲିଲା ! ଯୋଉ ଆଶାନେଇ ବାପା ଚନ୍ଦ୍ରକାନ୍ତ ଝିଅକୁ ବାହା ଦେଇଥିଲେ, ସେସବୁ ଭାବିଭାବି ରୋଗାକ୍ରାନ୍ତ ହୋଇଗଲେ ! ମା ରଜନୀ ଦେବୀ ହୃଦଘାତରେ ଚାଲିଗଲେ ଆରପାରିକି ! କଣ ବା ସୁଖ ରହିଲା ତୃପ୍ତିମୟୀ ର ଜୀବନରେ ? ବେଳେବେଳେ କୌଣସି ନା କୌଣସି ଭୂଲ ନିଷ୍ପତ୍ତି କାହା ଜୀବନକୁ ନର୍କମୟ କରିଦେଇଥାଏ ! ଭାବୁଛି ତୃପ୍ତି ! ଶୁଭମ୍ କୁ ଧୋକ୍କା ଦେବା ମହଙ୍ଗା ପଡିଲା ! ଭଲପାଇବାକୁ ଜଳାଞ୍ଜଳି ଦେଇ ବଡ ଭୂଲ କରିଛି ସେ ! ଯେବେ ବାପାମାଆଙ୍କୁ ଶୁଭମ୍ ବିଷୟରେ କହିଥାନ୍ତା, ତାହାହେଲେ ଏପରି ଅବସ୍ଥାରେ ଜୀବନ ଟା ହନ୍ତସନ୍ତ ହେଉ ନଥାନ୍ତା ! ଭୂଲ ସେ ନିଜେ କରିଛି, ପ୍ରାୟଶ୍ଚିତ ନିଜକୁ କରିବାକୁ ପଡିବ !
ଭାବନାର ଅନ୍ତ କେତେବେଳେ ହେବ କିଏ ବା କହିବ ! ସଂନ୍ଧ୍ୟା ଯାଇ ରାତି ଦଶଟା ବାଜିଲାଣି !ମଦ ଖାଇ ଅସଂଯତ ଅବସ୍ଥାରେ ପଡିଛି ସ୍ୱାମୀ ଅବକାଶ ମିଶ୍ର ! ଛାତ ଉପରୁ ଓହ୍ଲାଇଲା ତୃପ୍ତି ! କଣ ଭାବିଲା କେଜାଣି, ଏକାମୁହାଁ ହୋଇ ଚାଲିଲା ନଦୀ ବନ୍ଧ ଆଡେ ! ଅନ୍ଧାରକୁ ଖାତିର ନକରି ସେଇ ଝାଉଁ ଗଛ ଆଡଜୁ ଚାଲିଲା ଯୋଉଠି ଶୁଭମ୍ ଆତ୍ମହତ୍ୟା କରିଥିଲା !
ତାପରଦିନ ସକାଳୁ ସକାଳୁ ଚାରିଆଡେ ଖବର ବ୍ୟାପି ଗଲା –
ମିଶ୍ରଘର ବୋହୂ ନଦୀକୂଳ ଝାଉଁ ଗଛରେ ନିଜ ଲୁଗାରେ ଫାସୀ ଲଗେଇ ଦେଇଛି !!!!! ଏ କାହାଣୀ କେବଳ ଗୋଟିଏ ତୃପ୍ତିମୟୀ ଦାଶ ର ନୁହେଁ ! ଅନେକ ତୃପ୍ତି ଆଜି ଅତୃପ୍ତି ଅବସ୍ଥାରେ ସମୟ କାଟୁଛନ୍ତି ! ସେଇ ମାନଙ୍କ ଭବିଷ୍ୟତ ଜୀବନ ଏବେ ଅନ୍ଧାରରେ ! ଯେତେ ଚାହିଁଲେ ବି ଆଲୋକ ସ୍ପର୍ଶ କରି ପାରୁନି ବୟସର ସମର୍ପଣ କୁ ! ଭଲପାଇବା ଜିତୁଛି ସତ, ତଥାପି ଅନ୍ଧାର!!!!!!