ନବରଙ୍ଗପୁର—(ମସିହା)ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି , କେଉଁଠି ପିଇବା ପାଣି ପାଇଁ ତ କେଉଁଠି ରାସ୍ତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି , କିନ୍ତୁ ଏମିତି କିଛି ଗ୍ରାମ ରହିଛି କି ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେଉନାହିଁ , ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଖୁଟୁବାଇ ପଞ୍ଚାୟତରେ । ଗତ ୩୦ ବର୍ଷରୁ ଅଧିକ ସମୟ ପୂର୍ବେ ଖୁଟୁବାଇ ଗ୍ରାମ ଠାରୁ ମଲେକୋଟ ପର୍ଯ୍ୟନ୍ତ ପ୍ରାୟ ୭ କିଲୋମିଟର ରାସ୍ତା କୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯାଇ ରାସ୍ତା ନିର୍ମାଣ କରାଯାଇଥିଲା । ସେହଦିନଠାରୁ ଏହି ରାସ୍ତା ଉପରେ ଖୁଟୁବାଇ, ଦାମାପାଲା, ସାନ ଦାମାପାଲା, ଶିରାଗୁଡ଼ା, ଜଲକୋଟଗୁଡା,ଫୁଲପଦର ସହ ଡଙ୍ଗରା ପଞ୍ଚାୟତ ର ପାଖାପାଖି ୧୦ ହଜାରରୁ ଉର୍ଦ୍ଧ୍ବ ଲୋକ ନିର୍ଭର କରିଥାନ୍ତି । ସ୍କୁଲ, କଲେଜ, ଗର୍ଭବତୀ ମହିଳା, ରୋଗୀ ତଥା ସାଧାରଣ ଜନତା ପ୍ରତିଦିନ ଏହି ରାସ୍ତା ଦେଇ ବ୍ଲକ ସଦରମହକୁମା କିମ୍ବା ଜିଲ୍ଲା ସଦର ମହକୁମା କୁ ଯିବା ଆସିବା କରିଥାନ୍ତି । କିନ୍ତୁ ଗତ ୧୫ ବର୍ଷ ରୁ ଉର୍ଦ୍ଧ ସମୟ ହେଲା ଉକ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି , ସ୍ଥାନେ ସ୍ଥାନେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇ ବର୍ତ୍ତମାନ ଏହି ୭ କିଲୋମିଟର ରାସ୍ତା ମରଣ ଯନ୍ତା ପାଲଟିଛି । ଏହି ରାସ୍ତା ର ଅବସ୍ଥା ଏମିତି ହେଇଛି କି ଚାଲି ଯିବା ମୁସ୍କିଲ ହୋଇପଡିଛି । ଅନେକ ସମୟରେ ଏହି ରାସ୍ତା ରେ ଛୋଟ ବଡ ଦୁର୍ଘଟଣା ଘଟିଥିବା ନଜିର ମଧ୍ୟ ରହିଛି । ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ଆସିବା ମୁସ୍କିଲ ହେଇପଡିଛି । ଅଞ୍ଚଳ ର କୌଣସି ରୋଗୀ ଡାକ୍ତରଖାନା ଯିବାକୁ ହେଲେ କିଛି ଦୂର ଚାଲିବାକୁ ପଡ଼ିଥାଏ ବୋଲି କହିଛନ୍ତି ଅଞ୍ଚଳବାସୀ । ଏନେଇ ଅଞ୍ଚଳବାସୀ ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଧାୟକ, ସାଂସଦ, ସରପଞ୍ଚ ଙ୍କୁ ରାସ୍ତା ମରାମତି ପାଇଁ ଗୁହାରି କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ ବୋଲି କହିଛନ୍ତି ଅଞ୍ଚଳବାସୀ । କିଛି ଦିନ ତଳେ ଉକ୍ତ ରାସ୍ତାର କିଛି ଦୂର ମାଟି ଢାଳି ଦେଇଥିବା ଦେଖିବାକୁ ମିଳିଛି , ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି କି ଗାଁ ଗାଁରେ ମାଟି ରାସ୍ତା ଗୁଡ଼ିକୁ ସରକାର ପିଚୁ ରାସ୍ତା ରେ ପରିଣତ କରୁଥିବା ବେଳେ ଆମ ରାସ୍ତା ପୂର୍ବରୁ ପିଚୁ ରାସ୍ତା ଥିଲା, କିନ୍ତୁ ବର୍ତ୍ତମାନ ଏହି ରାସ୍ତା ମାଟି ରାସ୍ତା ହେଇଗଲା କେମିତି…. ?
ଆଗକୁ ସାଧାରଣ ନିର୍ବାଚନ , ପୁଣି ନେତା ମନ୍ତ୍ରୀ ଗାଁ ମୁହାଁ ହେବେ , ପୁଣି ଲୋକଙ୍କୁ ପ୍ରତିଶ୍ରୁତି ଦିଅନ୍ତି , ଏପରି ନିର୍ବାଚନ ପରେ ନିର୍ବାଚନ ହେଇଚାଲେ କିନ୍ତୁ ଲୋକଙ୍କ ସମସ୍ୟା କେହି ହେଲେ ଦୂର କରନ୍ତି ନାହିଁ । ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଏହି ସବୁ ସମସ୍ୟା ରହିଥିଲେ ମଧ୍ୟ କେହି ହେଲେ ସମସ୍ୟା ଦୂର କରିବାକୁ ଉଦ୍ୟମ କରୁନଥିବା ରୁ ସାଧାରଣ ଜନତା ବହୁତ ହଇରାଣ ହେଉଛନ୍ତି । ଯଦି ଯଥା ଶୀଘ୍ର ଏହି ୭ କିମି ରାସ୍ତା ମରାମତି କରାନଯାଏ ତେବେ ଆଗାମୀ ନିର୍ବାଚନରେ କୌଣସି ନେତା ମନ୍ତ୍ରୀ ଙ୍କୁ ଗ୍ରାମ ଗୁଡିକରେ ପଶିବାକୁ ଦେବୁନାହିଁ , ଦରକାର ପଡିଲେ ଅଞ୍ଚଳବାସୀ ସାଧାରଣ ନିର୍ବାଚନ ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି ।