ସେ କାଳ ପଖାଳ
ପ୍ରଶାନ୍ତ କୁମାର ନାଥ
ସେ କାଳ ପଖାଳ ନାହିଁ ଲୋ ସଜନୀ
ସେ କାଳ ପଖାଳ ନାହିଁ
ନାହିଁ ହାଣ୍ଡି ଚୁଲି ନାହିଁ ସେ ଚାଉଳ
ପଖାଳ ଗଣ୍ଡିକ ପାଇଁ।
ଏଵେ ହାଇଁ ପାଇଁ ହେଉଅଛି ମନ
ପଖାଳ ଗଣ୍ଡିକ ପାଇଁ
ପାଶ୍ଚାତ୍ୟରେ ପଡି ଭୋଗେ ପଶ୍ଚ୍ୟାତାପ
ଆମରି ଓଡିଶା ଭୂଇଁ।
ସକାଳ ପଖାଳ ଦେହକୁ ଯେ ବଳ
ଧନୀଠୁ ଗରିବ ପାଇଁ
ଓଡିଶା ମାଟିର ଆପଣାର ଖାଦ୍ୟ
ଭୁଲିଯାଓ କାହିଁ ପାଇଁ।
ବାସୀ ପଖାଳରେ ଅଛି ଯେଉଁ ଶକ୍ତି
ପଲାଉରେ ନାହିଁ କିଛି
ଆଜି ଯେଉଁ ନର ଦେଖ ହୃଷ୍ଟପୁଷ୍ଟ
ହଜାର ରୋଗରେ ଅଛି।
ବାର ମାସ ଛଅ ଋତୁରେ ସର୍ବଦା
ଓଡ଼ିଆ ହାଣ୍ଡିରେ ଥାଏ
ବେଳ କି ଅବେଳ ନାହିଁ ତା’ର କାଳ
ପାକଶାଳେ ରହି ଥାଏ।
କୃଷକର ପାଇଁ ଟଙ୍କ ତୋରାଣି ତା
କୈବଲ୍ୟ ପରିକା ପାଏ
ବର୍ଷା ଝଡ଼ି ଖରା ଖାତିରି ନକରି
ପଖାଳକୁ ସଦା ଖାଏ।
ଅତୃପ୍ତ ମନକୁ ତୃପ୍ତ କରେ ସିଏ
ବୈଶାଖ ପ୍ରସାଦ ହୋଇ
ପୁରଠୁ ସହର ହସେ ଖିଲି ଖିଲି
ମୁଠାଏ ପଖାଳ ଖାଇ।
ଏ ଆମ ପଖାଳ ଆମେ ତା ନିଜର
ଭୁଲି ଯାଓ ନାହିଁ ଭାଇ
ସେ କାଳ ପଖାଳ ଫେରୁ ହାଣ୍ଡି ଶାଳେ
ଆପଣାର ହେଇ ଯାଇ।।
ପ୍ରଶାନ୍ତ କୁମାର ନାଥ ଜୁଣଗଡି (ରାଜନଗର )କେନ୍ଦ୍ରାପଡ଼ା।