ମହା ଭାରତୀୟ ଜାତୀୟତା,ଜାତୀୟ ଚେତନା ଓ ଜାତୀୟ ଐକ୍ୟର ପ୍ରତୀକ ଆମ ଜାତୀୟ ପତାକା ତ୍ରିରଙ୍ଗା l ଏହା ବହୁ ଭିନ୍ନତା ଭିତରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ,ସମସ୍ତ ଭାରତୀୟଙ୍କୁ ଜାତୀୟ ସ୍ରୋତ ସୂତ୍ରରେ ବାନ୍ଧିରଖିଛି l ଆମ ତ୍ରିରଙ୍ଗା ଆମ ଜାତିର ଗର୍ବ ଓ ଗୌରବ l ସମ୍ମାନ ଶ୍ରଦ୍ଧାର ସହିତ ଏଣୁ ଆମେ ଶ୍ରୀଶ୍ୟାମଲାଲ ପ୍ରସାଦଙ୍କ ଦେଶ ଭକ୍ତି ସଙ୍ଗୀତଟି ଗାଇଥାଉ
“ବିଜୟୀ ବିଶ୍ୱ ତ୍ରିରଙ୍ଗା ପ୍ୟାରା
ଝଣ୍ଡା ଉଚ୍ଚା ରହେ ହମାରା”
ଆମର ଏହି ଜାତୀୟପତାକା ସଂପୂର୍ଣ୍ଣ ଭାରତୀୟ ଉପ ମହାଦେଶକୁ ପ୍ରତିନିଧିତ୍ୱ କରୁଥିବା ଜାତୀୟ ଧ୍ଵଜା।ଗୋଟିଏ ଦେଶ ପାଇଁ ଗୋଟିଏ ଧ୍ବଜା ଏହା ପ୍ରଥମ ଥର ପାଇଁ ପରିକଳ୍ପନା କରିଥିଲେ, ସ୍ବାମୀ ବିବେକାନନ୍ଦ l ଏହାକୁ ରୂପ ଦେଇଥିଲେ ଭଗିନୀ ନିବେଦିତା ୧୯୦୫ମସିହାରେ। ବର୍ତ୍ତମାନର ଦୃଶ୍ୟମାନ ଆମର ଜାତୀୟ ପତାକାକୁ ୧୯୪୭ ଜୁଲାଇ ୨୨ ତାରିଖରେ ରୂପ ଦେଇଥିଲେ ପିଙ୍ଗଲି ଭେଙ୍କୟା l ପତାକା ପ୍ରସ୍ତୁତ ହେବାର ଏକ ନିର୍ଦ୍ଧିଷ୍ଟ ଶୈଳୀ ଓ ନିୟମ ରହିଛି l ଏହାର ପ୍ରତି ଅଂଶ ଏକ ଅର୍ଥକୁ ନିର୍ଦ୍ଦେଶ କରେ l
ପିଙ୍ଗଲି ଥିଲେ ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ ଓ ମହାତ୍ମା ଗାନ୍ଧିଙ୍କ ଦୃଢ ଅନୁଗତ l ସେ ଚାହୁଁଥିଲେ ଜାତୀୟ ପତାକାରେ, ଦେଶର ଜାତୀୟ ଭାବନା ପ୍ରତିଫଳିତ ହେଉ l ଏହି ମନୋଭାବ ନେଇ ସେ ୧୯୧୬ ରେ ଏକ ପୁସ୍ତକ ରଚନା କରିଥିଲେ, “A National Flag For India” ସେଥିରେ ସେ ୨୪ଟି ନମୁନା ପତାକା ପ୍ରସ୍ତାବ ଦେଇଥିଲେ l ଏହା ଥିଲା ତାଙ୍କର ୧୯୨୧ ମସିହା ଯାଏଁ ବିଭିନ୍ନ ଦେଶର ପତାକା ସମ୍ପର୍କରେ ଗବେଷଣା ପ୍ରସୂତ ସନ୍ଦର୍ଭ ଓ ପ୍ରସ୍ତାବ l ସେତେବେଳେ ପିଙ୍ଗଲି ଏହି ପତାକାରେ ଦୁଇଟି ରଙ୍ଗ ରଖିଥିଲେ ଲାଲ ଏବଂ ସବୁଜ l ଏହା ହିନ୍ଦୁ ଏବଂ ମୁସଲମାନ୍ ଦୁଇପ୍ରମୁଖ ସମ୍ପ୍ରଦାୟର ପ୍ରତୀକ ଥିଲା l ଏହି ଦୁଇ ସମ୍ପ୍ରଦାୟ ବ୍ୟତିରେକ ଅନ୍ୟ ଧର୍ମାବଲମ୍ବିମାନଙ୍କ ପାଇଁ ଏହି ପତାକାର ମଧ୍ୟ ଭାଗରେ ଧଳାରଙ୍ଗ ରଖିବା ପାଇଁ ମହାତ୍ମା ଗାନ୍ଧି ପ୍ରସ୍ତାବ ଦେଇଥିଲେ l
ଭାରତୀୟ ସ୍ୱାଧୀନତା କ୍ରାନ୍ତି ସମୟ ମଧ୍ୟରେ ଭାରତୀୟ ପତାକାର ନକ୍ସା ବହୁତ ପରିବର୍ତ୍ତନ ଦେଇ ଗତି କରିଥିଲା। ୧୮୫୭ ମସିହା ବିଦ୍ରୋହ ସମୟରେ ପ୍ରଥମେ ଜଣେ ଇଂରେଜ ଶାସକଙ୍କଦ୍ୱାରା ଭାରତର ଏକକୀୟ ପତାକା ନିର୍ମାଣର ପ୍ରସ୍ତାବ ଆସିଥିଲା। ଅତୀତରେ ବହୁ ପରିବର୍ତ୍ତନ ଘଟିବା ପରେ ଶେଷରେ ସ୍ୱାଧୀନ ଭାରତର ଜାତୀୟ ପତାକା ଭାବେ ତ୍ରିରଙ୍ଗାକୁ ଗ୍ରହଣ କରାଯାଇଛି । ଭାରତର ପ୍ରଥମ ଜାତୀୟ ପତାକା ୧୯୦୬ ମସିହା ଅଗଷ୍ଟ ୭ରେ କଲିକତାସ୍ଥିତ ପାର୍ସି ବାଗାନ ଛକ (ଗ୍ରୀନ ପାର୍କ)ରେ ଉତ୍ତୋଳନ କରାଯାଇଥିବା କୁହାଯାଏ । ସେତେବେଳେ ଏହି ପତାକାର ରଙ୍ଗ ଲାଲ, ହଳଦୀ ଓ ସବୁଜ ଥିଲା । ଦ୍ୱିତୀୟ ଜାତୀୟ ପତାକା ଜର୍ମାନୀର ଷ୍ଟୁଟଗାର୍ଟ ସହରରେ ୧୯୦୭ ମସିହା ଅଗଷ୍ଟ ୨୨ରେ ଉତ୍ତୋଳନ କରାଯାଇଥିଲା । ଏହାକୁ ସେତେବେଳେ ସପ୍ତର୍ଷି ପତାକା କୁହାଯାଉଥିଲା । ୧୯୦୬ ପତାକାଠାରୁ ଏହା ଦେଖିବାକୁ ଟିକେ ଭିନ୍ନ ଥିଲା । ଏହି ପତାକାର ଉପରେ ପଦ୍ମ ଚିହ୍ନ ଓ ସପ୍ତର୍ଷିଙ୍କୁ ଦର୍ଶାଉ ଥିବା ୭ଟି ତାରା ଥିଲା । ୧୯୧୭ରେ ୩ୟ ଥର ପାଇଁ ପତାକାର ପରିବର୍ତ୍ତନ ହୋଇଥିଲା । ଡ. ଆନିବେଶାନ୍ତଙ୍କ “ହୋମ ରୁଲ୍’ ଆନ୍ଦୋଳନ ସମୟରେ ପତାକାର ରଙ୍ଗ ଲାଲ ଓ ସବୁଜ ରଙ୍ଗ ଥିଲା । ୧୯୨୧ ମସିହାରେ ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ଜାତୀୟ କଂଗ୍ରେସ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ପିଙ୍ଗଳି ଭେଙ୍କୟା ନାମକ ଆନ୍ଧ୍ର ପ୍ରଦେଶର ଜଣେ ଯୁବକ ଭାରତୀୟ ଜାତୀୟ ପତାକାର ଏକ ଡିଜାଇନ ପ୍ରସ୍ତୁତ କରି ମହାତ୍ମା ଗାନ୍ଧୀଙ୍କୁ ପ୍ରଦାନ କରିଥିଲେ । ଏହି ପତାକାରେ ଲାଲ ଓ ସବୁଜ ଏହିପରି ୨ଟି ରଙ୍ଗ ଥିଲା । ଏହି ଦୁଇ ରଙ୍ଗ ହିନ୍ଦୁ ଓ ମୁସଲମାନ୍ ଦୁଇ ପ୍ରମୁଖ ଧର୍ମର ପ୍ରତୀକ ଥିଲା । ତେବେ ଏହି ଦୁଇ ସମ୍ପ୍ରଦାୟକୁ ଛାଡି ଅନ୍ୟ ଧର୍ମାବଲମ୍ବିଙ୍କ ପାଇଁ ମଝିରେ ଧଳା ରଙ୍ଗ ଦେବାକୁ ଗାନ୍ଧିଜୀ ପ୍ରସ୍ତାବ ଦେଇଥିଲେ । ୧୯୩୧ରେ କେଶରୀ, ଧଳା ଓ ସବୁଜ ରଙ୍ଗରେ ଜାତୀୟ ପତାକା ତିଆରି କରାଯାଇଥିଲା । ପତାକାର ମଝିରେ ଅରଟ ଚିହ୍ନ ଥିଲା । ତେବେ ଏହି ପତାକାର ପରିବର୍ତ୍ତନ କରାଯାଇଥିଲା । ଶେଷରେ ପତାକାର ଶୀର୍ଷ ଭାଗରେ କେଶରୀ, ମଝିରେ ଧଳା ଓ ନିମ୍ନ ଭାଗ ଘନ ସବୁଜ ରଙ୍ଗ ଓ ସମସ୍ତ ରଙ୍ଗ ସମାନ ପ୍ରକାକାର ଆୟତନରେ ସଜ୍ଜିତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ପତାକାର ମଝିରେ ୨୪ଟି ଅର ବିଶିଷ୍ଟ ନୀଳ ରଙ୍ଗର ଚକ୍ର ରହିବା ଆବଶ୍ୟକ । ଏହି ଆକୃତିର ପତାକାକୁ ୨୨ ଜୁଲାଇ ୧୯୪୭ରେ ସାମ୍ବିଧାନିକ କମିଟି ଗ୍ରହଣ କରି ନେଇଥିଲା । ସେହିଦିନଠାରୁ ଭାରତର ଜାତୀୟ ପତାକାକୁ ତ୍ରିରଙ୍ଗା କୁହାଯାଉଛି ।
ରଙ୍ଗ ଓ ଆକାର….
ଏହି ପତାକାର ଉପରେ ନାରଙ୍ଗୀ, ମଝିରେ ଧଳା ଓ ତଳେ ସବୁଜ ରହିଛି । ମଝିରେ ଥିବା ଧଳା ରଙ୍ଗ ଉପରେ ୨୪ ଅଖ ଥିବା ଅଶୋକ ଚକ୍ର ମଧ୍ୟ ରହିଛି । ପତାକାର ଉପରେ ଥିବା କେଶରୀ ରଙ୍ଗ ଦେଶବାସୀଙ୍କ ସାହସ ଓ ବୀରତ୍ୱକୁ ସୂଚାଇ ଥାଏ । ସେହିରି ମଝିରେ ଥିବା ଧଳା ରଙ୍ଗ ସତ୍ୟ ଓ ଶାନ୍ତିର ପ୍ରତୀକ ଏବଂ ନିମ୍ନରେ ଥିବା ଘନ ସବୁଜ ରଙ୍ଗ ଭ୍ରାତୃତ୍ୱର ପ୍ରତୀକ ବହନ କରେ । ମଝିରେ ଥିବା ଅଶୋକ ଚକ୍ର ଦେଶର ପ୍ରଗତିକୁ ସୂଚାଇ ଥାଏ । ପତାକାର ମଝିରେ ଶୋଭା ପାଉଥିବା ଅଶୋକ ଚକ୍ର ବା ଧର୍ମ ଚକ୍ର ଦେଶ ପ୍ରଗତିର ପ୍ରତୀକ । ଏଥିରୁ ନାଗରିକଙ୍କୁ ଦେଶ ଭକ୍ତିର ପ୍ରେରଣା ମିଳିଥାଏ । ମୌର୍ଯ୍ୟ ସମ୍ରାଟ ଅଶୋକ ସାରନାଥଠାରେ ଏକ ସିଂହ ସହ ଏହି ଚକ୍ରର ନିର୍ମାଣ କରିଥିଲେ ।ଏହାର ସବୁ ରଙ୍ଗ ମହାନତାର ପ୍ରତିକ ଅଛି ।
ଜାତୀୟ ପତାକା ଉଡ଼ାଇବା ବିଧି….
ଲାଲ କିଲ୍ଲା(ଦିଲ୍ଲୀ)ଠାରେ ଭାରତୀୟ ପତାକା
୨୬ ଜାନୁୟାରୀ ୨୦୦୨ରେ ଜାତୀୟ ପତାକା କୋଡରେ ସଂଶୋଧନ କରାଯାଇଥିଲା । ଜଣେ ନାଗରିକ ବା ଯେକୌଣସି ସରକାରୀ ଓ ବେସରକାରୀ ଅନୁଷ୍ଠାନ ଜାତୀୟ ପତାକା ଉଡ଼ାଇବାକୁ ଚାହୁଁଥିଲେ ନିମ୍ନୋକ୍ତ ନିୟମ ଅନୁକରଣ କରିବା ଉଚିତ୍:
ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଯେକୌଣସି ଦିନ ପତାକା ଉତ୍ତୋଳନ କରିପାରିବେ । ପତାକାର ଗରିମା ଯେପରି କ୍ଷୁଣ୍ଣ ନହୁଏ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।
ବିଦେଶୀ ନାଗରିକମାନେ ମଧ୍ୟ ଭାରତ ମଧ୍ୟରେ ପତାକା ଉତ୍ତୋଳନ କରିପାରିବେ । ସେମାନଙ୍କ ଘର ବା କାର୍ଯ୍ୟାଳୟ ଉପରେ ପତାକା ଲଗାଇ ପାରିବେ ।
କୌଣସି ନିର୍ଦିଷ୍ଟ ସମ୍ପ୍ରଦାୟ ପୃଥକ୍ ଭାବେ ଜାତୀୟ ପତାକା ବ୍ୟବହାର କରିପାରିବେ ନାହିଁ । ଏହା ବ୍ୟତୀତ ଜାତୀୟ ପତାକାରେ କୌଣସି ପୋଷାକ କିମ୍ବା ଅନ୍ୟ ବ୍ୟବହୃତ ବା ପରିଧାନ ସାମଗ୍ରୀ ପ୍ରସ୍ତୁତ କରିବା ଉଚିତ୍ ନୁହେଁ । ପାଗ ଯେପରି ହେଉ ନା କାହିକି ସୂର୍ଯ୍ୟୋଦୟ ପରଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଜାତୀୟ ପତାକା ଉଡ଼ାଇବା ବିଧି ରହିଛି ।
ପତାକାକୁ ଭୂମିରେ ଛୁଆଁଇବା କିମ୍ବା ପାଣିରେ ବୁଡ଼ାଇବା ବେଆଇନ । କୌଣସି ଗାଡି, ଟ୍ରେନ, ପାଣି ଜାହାଜ ଓ ଉଡ଼ାଜାହାଜରେ ଜାତୀୟ ପତାକା ଲଗାଇବା ଉଚିତ୍ ନୁହେଁ । ପତାକାଠାରୁ ଉଚ୍ଚରେ ଅନ୍ୟ କୌଣସି ଜିନିଷ ରଖିବା ବେଆଇନ ।
ଖଦି କିମ୍ବା ହସ୍ତତନ୍ତରେ ଜାତୀୟ ପତାକା ତିଆରି ହେବା ଆବଶ୍ୟକ । ଅନ୍ୟ କୌଣସି ସାମଗ୍ରୀରେ ପତାକା ପ୍ରସ୍ତୁତ କରିବା ବେଆଇନ । ଏଥିପାଇଁ ଜୋରିମାନା ସହ ୩ ବର୍ଷ ଜେଲ ହୋଇପାରେ।ଏହି ନିୟମରେ ପୁଣି ପରେ ବହୁ ସଂଶୋଧନ ହୋଇଛି l
ଆମର ରାଷ୍ଟ୍ରୀୟ ଧ୍ବଜା ତ୍ରିରଙ୍ଗା, ଆମର ସଂକଳ୍ପ, ସଂଘର୍ଷ, ବଳି ଦାନ, ତ୍ୟାଗ ଓ ପ୍ରେରଣାର ଉତ୍ସ l ଏହା ଆମକୁ ଶ୍ରଦ୍ଧା,ସୌହାର୍ଦ୍ଧ୍ୟ, ଧର୍ମନିରପେକ୍ଷତା ଓ ସ୍ୱାବଲମ୍ବନ ଶୀଳତାର ବାର୍ତ୍ତାରେ ଅନୁପ୍ରାଣିତ କରି ଥାଏ l ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ l ଆସନ୍ତୁ ଆମର କାମ୍ୟ ହେଉ।