ଡାବୁଗାଁ, ୧୫/୮ (ମ.ନି.ସ.)- ଚଳିତ ବର୍ଷ ମୌସୁମୀ ଆଗମନ ବିଳମ୍ବ ହୋଇଥିବା ବେଳେ ସ୍ୱଳ୍ପ ବୃଷ୍ଟି ଚାଷୀ କୁଳ କୁ ହତାଶ କରିଛି । ରୁଆ ଓ ବେଉଷଣ ସରିଥିବା ଜମି ବର୍ଷା ଅଭାବ ରେ ଆଦ୍ରତା ଶୁଖି ବିଲ ମାଟି ରେ ଡ଼ାଙ୍ଗରା ଫାଟିଲାଣି । ଅଗଷ୍ଟ ମାସ ତୃତୀୟ ସପ୍ତାହ ଚାଲିଛି ଡାବୁଗାଁ ବ୍ଲକରେ ସ୍ୱଳ୍ପ ବୃଷ୍ଟି କୁ ନେଇ ଚାଷୀକୁଳ ହତାଶ ହେଉଛନ୍ତି । ଚଳିତ ବର୍ଷ ବ୍ଲକରେ ଦେଖାଦେଇଥିବା ଅଭାବୀ ବର୍ଷା ଓ ସମ୍ପ୍ରାତିକ ସ୍ଥିତିରେ ଧାନ ଚାଷ ବିଷୟରେ ଭରପ୍ରାପ୍ତ ବ୍ଲକ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ ଙ୍କ ସୂଚନାନୁଯାଇ ବ୍ଲକରେ ସ୍ଵାଭାବିକ ବୃଷ୍ଟି ଠାରୁ ଚଳିତ ବର୍ଷ ଜୁଲାଇ ଓ ଅଗଷ୍ଟ ମାସ ଆଜି ପର୍ଯ୍ୟନ୍ତ ୩୦ ପ୍ରତିଶତ ବୃଷ୍ଟି କମ ହୋଇଥିବା ଜଣାପଡିଛି । ଚଳିତ ବର୍ଷ ଜୁନ ମାସରେ ୧୮୮.୭ ମି.ମି ବର୍ଷା ହୋଇଥିବା ବେଳେ ଜୁଲାଇ ମାସରେ ୪୨୫ ମି.ମି ବର୍ଷା ହୋଇଛି । ଆଉ ଚଳିତ ଅଗଷ୍ଟ ମାସ ରେ ୧୧୨ ମି.ମି ବର୍ଷା ହୋଇଥିବା ସୂଚନା ମିଳିଛି । ପାଣିର ଅଭାବ ଯୋଗୁଁ ଚାଷୀ ଚିନ୍ତାରେ । କୃଷି ଅଧିକାରୀ ଙ୍କ ସୂଚନା ପ୍ରକାରେ ସ୍ୱଳ୍ପ ବୃଷ୍ଟି ଯୋଗୁ ବ୍ଲକରେ ରହିଥିବା ସମୁଦାୟ ଧାନ ଚାଷ ଜମି ୪୫୦୦ ହେକ୍ଟର ରହିଥିବା ବେଳେ ଅନ୍ୟପଟେ ଟିକିରା ଢେପ ଧାନ ଜମିରେ ଏଯାଏ ଧାନ ରୁଆ ହୋଇପାରିନାହିଁ । ଯେଉଁ ଖାଲ ଜମିରେ ଧାନ ରୁଆଓ ବୁଣା ସରିଛି ସେଥିରେ ଚାଷୀ ସାର ପକାଇ ପାରୁନି କି ବେଉଷଣ କାମ ମଧ୍ୟ କରିପାରୁନାହିଁ | ଏହିପରି ସ୍ୱଳ୍ପ ବୃଷ୍ଟି ଓ ଶୁଖିଲା ପାଗ ଆଉ ସପ୍ତାହ ସମୟ ଜାରି ରହେ ତାହାହେଲେ ଆଗାମୀ ଦିନରେ ଚାଷୀକୁଳ ଅଧିକ କ୍ଷତି ଗ୍ରସ୍ତ ହେବେ । ଡାବୁଗାଁ ବ୍ଲକରେ ୧୧୪୫ ହେକ୍ଟର ଜମି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ ହୋଇଛି | ଅନ୍ୟପଟେ ସରକାର ମରୁଡି ଅଞ୍ଚଳ ଘୋଷଣା କରିବା ସମ୍ଭାବନା ଅଧିକ ରହିଛି। ଶ୍ରମିକ ଅଭାବ ସମସ୍ୟା ଓ ସ୍ୱଳ୍ପ ବୃଷ୍ଟି ଯୋଗୁଁ କିଛି ଜମିରେ ଧାନ ରୁଆହୋଇ ନପାରି ଧାନ ତଳି ବୁଢା ହେଲାଣି । ରୁଆ ବେଉଷଣ ଜମିରେ ପାଣି ଅଭାବରେ ମାଟିର ଆଦ୍ରତା ଶୁଷ୍କ ଓ କଠିନ ହୋଇ ମାଟି ଫାଟିଲାଣି | ବର୍ତ୍ତମାନ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି | ଯେଉଁ ଜମିରେ ଜଳସେଚନ ସୁବିଧା ରହିଛି ଚାଷୀ ମାନେ ବର୍ଷାକୁ ଅପେକ୍ଷା ନକରି ପାଣି ମଡାଇ କରିଥିବା ଚାଷକୁ ରକ୍ଷା କରିବାକୁ ଚେଷ୍ଟା ଚଳାଇଛନ୍ତି |