ପିଲାଙ୍କ ପାଇଁ ଦିନଟିଏ
ଆଜିର ଶିଶୁ, ଆସନ୍ତାକାଲିର ନାଗରିକ। ଦେଶ ନିର୍ମାଣରେ ଶିଶୁମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶିଶୁଟିର ସରଳ ନିଷ୍ପାପ ହସ ଓ ଛନ୍ଦକପଟହୀନତାର ସମାହାର ତାକୁ ବାଟ କଢ଼ାଇନିଏ ଆଗକୁ ଆଗକୁ। ପରିବାର ଭିତରୁ ହିଁ ସେ ଜୀବନର ମଧୁରତା ସଂଗ୍ରହ କରିଥାଏ। ଏକ ଶାନ୍ତ, ସୁସଂପନ୍ନ, ସେହ୍ନସିକ୍ତ ପରିବାରରେ ବଢ଼ିଥିବା ଶିଶୁଟିଏ ଭବିଷ୍ୟତର ସୁନାଗରିକ ଓ ସୁସଂହତ ସମାଜ ସଂଗଠନରେ ମୁଖ୍ୟଭୂମିକା ଗ୍ରହଣ କରିଥାଏ। ଏହି କଥାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ପଣ୍ଡିତ ଜବାହରଲାଲ ନେହରୁ। କୁନି କୁନି ପିଲାଙ୍କୁ ସେ ଅଜସ୍ର ସ୍ନେହ କରୁଥିଲେ । ସେଥିପାଇଁ ପିଲାମାନେ ତାଙ୍କୁ ସ୍ନେହରେ ‘ଚାଚା ନେହରୁ’ ବୋଲି ଡାକୁଥିଲେ। ତାଙ୍କ ମତରେ ‘ଶିକ୍ଷା ହିଁ ପ୍ରଗତିର ମୂଳପିଣ୍ଡ’।
ତେଣୁ ଭବିଷ୍ୟତର ନାଗରିକମାନଙ୍କ ଶିକ୍ଷା ଉପରେ ସେ ବିଶେଷ ଧ୍ୟାନ ଦେଇଥିଲେ। ସେହି ମହାନ ରାଷ୍ଟ୍ରନେତାଙ୍କର ଜନ୍ମଦିନକୁ ସାରାଦେଶ ଶିଶୁ ଦିବସ ଭାବେ ପାଳନ କରୁଛି। ଦେଶର କୋଣ ଅନୁକୋଣରେ, ପଲ୍ଲୀଠୁ ଦିଲ୍ଲୀ ସବୁଠି ଶିଶୁ ଦିବସକୁ ବେଶ୍ ଆନନ୍ଦ ଉତ୍ସାହର ସହ ପାଳନ କରାଯାଏ । ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାରା ଦେଶ ପାଳିଥାଏ ଏହି ଦିବସ। ଶିଶୁ ଦିବସ ଅବସରରେ ସ୍କୁଲଗୁଡ଼ିକରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା ଏବଂ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ଏହି ଦିନ ସ୍କୁଲ୍ ଏବଂ ବିଭିନ୍ନ ଅନୁଷ୍ଠାନରେ ପିଲାମାନଙ୍କୁ ଚକଲେଟ୍, ମିଠା ଆଦି ବଣ୍ଟା ଯାଇଥାଏ। ଜବାହରଲାଲ ନେହରୁ ଉତ୍ତର ପ୍ରଦେଶର ଆହ୍ଲାବାଦ ସହରରେ ଏକ କଶ୍ମୀର ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ।
ତାଙ୍କ ପିତାଙ୍କ ନାମ ମୋତିଲାଲ ନେହରୁ ଓ ମାତାଙ୍କ ନାମ ସ୍ୱରୂପାରାଣୀ ଥିଲା। ସେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୬୪ ମସିହା ମଇ ମାସ ୨୭ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ନେହରୁଙ୍କ ଦେହାନ୍ତ ପରେ ପିଲାଙ୍କ ପ୍ରତି ତାଙ୍କ ଭଲ ପାଇବାକୁ ସମ୍ମାନ ଜଣାଇ ତାଙ୍କ ଜନ୍ମଦିବସକୁ ଶିଶୁ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏ ସମ୍ପର୍କରେ ସଂସଦରେ ଏକ ପ୍ରସ୍ତାବ ପାରିତ କରାଯାଇଥିଲା। ଏହାପରେ ପ୍ରଥମ ଥର ପାଇଁ ୧୯୬୫ରେ ଶିଶୁ ଦିବସ ପାଳନ କରାଯାଇଥିଲା। ୧୯୬୪ ପୂର୍ବରୁ ୨୦ ନଭେମ୍ବରକୁ ଶିଶୁ ଦିବସ ଭାବେ ପାଳନ କରାଯାଉଥିଲା। କାରଣ ମିଳିତ ଜାତିସଂଘ ଦ୍ବାରା ୧୯୫୪ ମସିହାରେ ୨୦ ନଭେମ୍ବରକୁ ଶିଶୁ ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା। ଶିଶୁର ଶାରୀରିକ ଓ ମାନସିକ ବିକାଶ ହେଉଛି ଦେଶ ବିକାଶର ପ୍ରକୃତ ମାପକାଠି ।
ଆଜି ଆମ ଦେଶରେ ପ୍ରତିବର୍ଷ ଅନେକ ପିଲା ଖାଦ୍ୟ ଅଭାବରୁ ଭିନ୍ନ ରାସ୍ତାରେ ପାଦ ଦେଉଛନ୍ତି। ଆଜିକାଲିର ଅନଲାଇନ୍ ଯୁଗରେ ଅନେକ ଶିଶୁ ପଥଭ୍ରଷ୍ଟ ମଧ୍ୟ ହେଉଛନ୍ତି। ଏହି ବୟସରେ ସେମାନଙ୍କୁ ଅଧିକରୁ ଅଧିକ ସମୟ ନିଜ ପରିବାର ସହ ଓ ଖେଳକୁଦରେ ବିତେଇବାର ଆବଶ୍ୟକତା ରହିଛି। କିନ୍ତୁ ସେମାନେ ଇଣ୍ଟରନେଟ୍ ଏବଂ ମୋବାଇଲ ଫୋନ ସହ ଅଧିକ ସମୟ ବିତାଇବା ପାଇଁ ପସନ୍ଦ କରୁଛନ୍ତି। ଯାହାଦ୍ୱାରା ସେମାନଙ୍କ ବ୍ୟବହାରରେ ଅନେକ ପରିବର୍ତ୍ତନ ଦେଖାଦେଉଛି। ଶିଶୁ ଦିବସ ପାଳନ ଅବସରରେ ଶିଶୁମାନଙ୍କ ପ୍ରତି ସମସ୍ତଙ୍କର ଦାୟିତ୍ବବୋଧ ରହିେଲ ସେମାେନ ପରିପୂର୍ଣ୍ଣ ଭାବେ ବିକଶିତ ହୋଇ ଦେଶର ସୁନାଗରିକ ହୋଇପାରିବେ। ଶିଶୁମାନେ ହିଁ ଦେଶର ଶକ୍ତି ଓ ପ୍ରଗତିର ସୂତ୍ରଧର।
ରାଜ କିଶୋର ବାରିକ୍ ଙ୍କ ରିପୋର୍ଟ୍


