ରୁପ୍ରା, (ମନିସ) : ନର୍ଲା ବ୍ଲକ ଅଧିନ ରୁପ୍ରା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଆଜି ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ, ୨୦୨୧/୨୨ ର ବାର୍ଷିକ ପରୀକ୍ଷା ଫଳ ଘୋଷଣା ଓ ସମାବର୍ତ୍ତନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସୂଚନାଥାଉକି କରୋନା ମହାମାରୀ ପ୍ରଭାବରେ ଦୀର୍ଘ ଦୁଇବର୍ଷ ହେଲା ବିଦ୍ୟାଳୟ ମାନଙ୍କରେ କୌଣସି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇନଥିଲା, ଫଳରେ ଉକ୍ତ କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ମାନେ ଉତ୍ସାହିତ ଥିବାସହ ଆଡମ୍ୱର ସହକାରେ ପାଳନ କରିଥିଲେ । ପରିଚାଳନା କମିଟିର ସଭାପତି ଶୋଭାକର ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରୁପ୍ରା ଗ୍ରାମ ପଞ୍ଚାୟତ ସରପଞ୍ଚ ଡଲି ବେହେରା ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ବେଣୁଧର ବିଶ୍ୱାଲ ଓ ସମ୍ପାଦକ ବୁଡୁ ମହାଲିଙ୍ଗ ଯୋଗଦାନ କରି ମଞ୍ଚାସୀନ ଥିଲେ। ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ଦେଶ ନିର୍ମାତା ରୂପରେ ଦେଶ ଗଠନରେ ନିଜକୁ ସମର୍ପିତ କରିବା ଓ ଉତ୍ତମ ଚରିତ୍ର ଗଠନ ସହ ଉତ୍ତମ ନାଗରିକ ହେବାକୁ ଅତିଥିଗଣ ମତବ୍ୟକ୍ତ କରିଥିଲେ ।
ସମାବର୍ତ୍ତନ ହୋଇଥିବା ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀମତି ବେହେରା ପୁରସ୍କାର ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୫୦ଜଣ ଅଭିଭାବକ ଓ ଅଭିଭାବିକା ଯୋଗଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।
previous post