୨୧ ମାସର ଶିଶୁକନ୍ୟା ରକ୍ତ କର୍କଟରେ ପୀଡ଼ିତ, ଚିକିତ୍ସା ପାଇଁ ଅର୍ଥ ବାଧକ
କେନ୍ଦ୍ରାପଡ଼ା :-ବିବାହର ୪ ବର୍ଷ ପରେ କୋଳକୁ ଆସିଲା ଝିଅଟିଏ। ପରିବାର ହସଖୁସିରେ ଫାଟି ପଡ଼ିଥିଲା। ହେଲେ ହସଖୁସିର ମାହୋଲ ସବୁଦିନ ପାଇଁ ରହି ନଥିଲା । ୨୧ ମାସର ନିଷ୍ପାପ ଶିଶୁ କନ୍ୟାଟି ଏବେ ରକ୍ତ କର୍କଟରେ ପୀଡ଼ିତ ହୋଇ ଜୀବନ ସହ ସଂଗ୍ରାମ କରୁଛି। ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ବ୍ୟୟବହୁଳ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। କୁନି ଝିଅର ଜୀବନ ରକ୍ଷା କରିବା ପାଇଁ ଆକୁଳ ପ୍ରାର୍ଥନା କରିଛନ୍ତି ବାପ ବାପା-ମା’ । ଏଭଳି ଏକ ଦୁଃଖଦ । ଦୃଶ୍ୟ ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ବଡ଼ପଡ଼ା ଗ୍ରାମରେ। ସ୍ତ୍ରୀ ଝିଲି ଲତା ଦାସ ଓ ଭୁଧେନ୍ଦ୍ର ପ୍ରତାପ ଦାଶଙ୍କ ତେଲଲୁଣର ସଂସାରରେ ବିବାହର ୪ବର୍ଷ ପରେ ଜନ୍ମ ନେଇଥିଲା ଏକ ଅଲିଅଳି କନ୍ୟା ତେଜସ୍ବିନୀ। କୁନିଝିଅକୁ ମାତ୍ର ୧୮ ମାସ ହୋଇଥିବା ବେଳେ ହଠାତ୍ ଜ୍ଵର ଆରମ୍ଭ ହୋଇଥିଲା। ଯେତେ ଚିକିତ୍ସା କଲେ ମଧ୍ୟ ଜ୍ଵର ଭଲହୋଇନଥିଲା। ଶେଷରେ ବାପାମାଆ କୁନିଝିଅକୁନେଇ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ। ସେଠାରେ ବିଭିନ୍ନ ପରୀକ୍ଷା ନିରୀକ୍ଷଣ ପରେ ଝିଅ ରକ୍ତ କର୍କଟରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ି ଥିଲା। ଏବେ ଭୁବନେଶ୍ୱର ଏମ୍ଭରେ ତେଜସ୍ବିନୀଙ୍କ ଚିକିତ୍ସା ଚାଲିଛି। ଝିଅର ଜୀବନ ବଞ୍ଚାଇବା। ପାଇଁ ବାପା-ମା’ କରଜ କରି ଚିକିତ୍ସା ଜାରି ରଖିଛନ୍ତି। ହେଲେ ଆଉ ଚିକିତ୍ସା ଲାଗି ତାଙ୍କ ପାଖରେ ଅର୍ଥ ନାହିଁ । ତେଣୁ ଉପାୟଶୂନ୍ୟ ବାପା- ମା’ ଏକମାତ୍ର ଝିଅର ଜୀବନ ରକ୍ଷା ପାଇଁ ସରକାରୀ ଓ ବେସରକାରୀ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି। ତେଜସ୍ପି ନୀଙ୍କ ଜୀବନ ବଞ୍ଚାଇବା ପାଇଁ କୌଣସି ବଦାନ୍ୟ ବ୍ୟକ୍ତି, ସରକାରୀ ବା ବେସରକାରୀ ଅନୁଷ୍ଠାନ ସାହାଯ୍ୟର ହାତବଢେଇବା ପାଇଁ ପିତା ମାତା ଅନୁରୋଧ କରିଛନ୍ତି।