ଶାନ୍ତି ଶକ୍ତି ଭବନରେ ଆଧ୍ୟାତ୍ମିକ ସମାରୋହ; ଦାଦି ପ୍ରକାଶମଣିଙ୍କୁ ଶ୍ରଦ୍ଧା ସୁମନ ଏବଂ ଆସିକା ଉପକାରାଗାରରେ ଅନ୍ତେବାସୀଙ୍କୁ ରକ୍ଷାସୂତ୍ର
ଆସିକା, ୨୭/୮/୨୬ (ଶିବ ଶଙ୍କର ମିଶ୍ର ) ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତି ଶକ୍ତି ଭବନ ପରିସରରେ ପବିତ୍ର ରକ୍ଷାବନ୍ଧନ ପର୍ବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସମସ୍ତ ଭଉଣୀ ଭାଇ ସକାଳୁ ଗଭୀର ଯୋଗ-ତପସ୍ୟାରେ ନିମଗ୍ନ ହୋଇ ପରମାତ୍ମାଙ୍କ ସ୍ମୃତିରେ ବିଶ୍ଵକୁ ଶାନ୍ତି ଓ ଶକ୍ତିର ଦାନ କରିଥିଲେ। ରକ୍ଷା ବନ୍ଧନର ଆଧ୍ଯାତ୍ମିକ ଗୁରୁତ୍ଵ ପ୍ରକାଶ କରିବା ଅବସରରେ ସେବାକେନ୍ଦ୍ରର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଦିଦି ରକ୍ଷାବନ୍ଧନର ଆଧ୍ୟାତ୍ମିକ ରହସ୍ୟ ବର୍ଣ୍ଣନା କରିବା ଉଦ୍ଦେଶ୍ୟରେ ପ୍ରକାଶ କରିଥିଲେ ଯେ,ରକ୍ଷାସୂତ୍ର କେବଳ ଏକ ପରମ୍ପରା ନୁହେଁ, ବରଂ ସଦା କଲ୍ୟାଣକାରୀ ପରମାତ୍ମା ଶିବପିତାଙ୍କ ସ୍ମୃତିରେ ରହି ନିଜକୁ ମନୋବିକାର ରୂପୀ ନକାରାତ୍ମକତାରୁ ରକ୍ଷା କରିବାର ଏକ ଆଧ୍ୟାତ୍ମିକ ସଂକଳ୍ପ। ସେ ଉପସ୍ଥିତ ସମସ୍ତ ଭାଇଭଉଣୀଙ୍କୁ ରକ୍ଷାସୂତ୍ର ବାନ୍ଧିବା ସହ ପରିବାର, ସମାଜ ଓ ବିଶ୍ୱକଲ୍ୟାଣରେ ନିଜକୁ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ତତ୍କାଳୀନ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଦାଦି ପ୍ରକାଶମଣିଙ୍କ ୧୯ ତମ ଅବ୍ୟକ୍ତ ସ୍ମୃତି ଦିବସ ଉପଲକ୍ଷେ ଏକ ସ୍ମୃତି ସଭା ଆୟୋଜିତ ହୋଇଥିଲା l ଉକ୍ତ ସଭାରେ ଆସିକା ବାର ଆସୋସିଏସନର ପୂର୍ବତନ ସଭାପତି ସୁଧାଂଶୁ କୁମାର ପଣ୍ଡା, ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ ଦୁର୍ଗା ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ରଥ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମିହିର ମହାପାତ୍ର, ସମ୍ବାଦ ପ୍ରତିନିଧି ଗିରିଶ ତ୍ରିପାଠୀ ତଥା ସହରର ବୁଦ୍ଧିଜିବି ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ବରିଷ୍ଠ ନାଗରିକ ଉପସ୍ଥିତ ରହି ପୁଣ୍ୟପ୍ରଭା ଦାଦି ପ୍ରକାଶ ମଣିଙ୍କ ଉଦ୍ଦେଶ୍ଯରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଈଶ୍ୱରୀୟ ବିଶ୍ବବିଦ୍ୟାଳୟ ତରଫରୁ ଆସିକା ଉପକାରାଗାରରେ ମଧ୍ୟ ପବିତ୍ର ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜେଲର ଅଧ୍ୟକ୍ଷ ଖଗେଶ୍ୱର ସିଂହଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପକାରାଗାରର ସମସ୍ତ ଅନ୍ତେବାସୀଙ୍କୁ ରକ୍ଷାବନ୍ଧନର ଆଧ୍ୟାତ୍ମିକ ଉଦ୍ଦେଶ୍ୟ ସମ୍ପର୍କରେ ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତି ଦିଦି ଆଲୋକପାତ କରି ସମସ୍ତ ଅନ୍ତେବାସୀଙ୍କୁ ରକ୍ଷାସୂତ୍ର ବାନ୍ଧି ସୁସ୍ଥ, ଶାନ୍ତିପୂର୍ଣ୍ଣ ଓ ନିଶାମୁକ୍ତ ଜୀବନ ଆପଣେଇବା ପାଇଁ ସଂକଳ୍ପ କରାଇଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଉପ କାରାଗାରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ରାଜଯୋଗିନୀ ବ୍ରହ୍ମାକୁମାରୀ ସୁଜ୍ଞାନୀ ଅନ୍ତେବାସୀଙ୍କୁ ସହଜ ରାଜଯୋଗର ଅଭ୍ୟାସ କରାଇଥିଲେ।

