ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜ୍ଞାପନରେ ଠକିବା ମହଙ୍ଗା ପଡ଼ିବ, ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ

ସରକାର ଆଣିଲେ ନୂଆ ଗାଇଡ୍‌ଲାଇନ୍,

ସରକାରୀ ବିଜ୍ଞାପନ ପାଇଁ ବି ଲାଗୁ ହେବ,

ସରୋଗେଟ୍ ବିଜ୍ଞାପନ ନିଷିଦ୍ଧ…….

ବିଜ୍ଞାପନରେ ଅବାସ୍ତବ ଦାବି କରୁଥିବା କିମ୍ବା ଲୋକମାନଙ୍କୁ ବିଭ୍ରାନ୍ତ କରିବାକୁ ପ୍ରୟାସ କରୁଥିବା କଂପାନିଗୁଡ଼ିକ ପାଇଁ ତାହା ମହଙ୍ଗା ସାବ୍ୟସ୍ତ ହେବ। ବିଭ୍ରାନ୍ତିକର ବିଜ୍ଞାପନ ଉପରେ ରୋକ ଲଗାଇବା ଲାଗି କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ନୂଆ ଗାଇଡ୍‌ଲାଇନ୍ ଜାରି କରିଛି। ସରୋଗେଟ୍ ବିଜ୍ଞାପନକୁ ଏଥିରେ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ବିଜ୍ଞାପନ ଶେଷରେ ଯେଉଁ ବିବରଣୀ ବା ଡିସ୍‌କ୍ଲେମର ଦିଆଯାଉଛି ସେଥିରେ ସ୍ବଚ୍ଛତା ଆଣିବାକୁ ମଧ୍ୟ ନୂଆ ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ଏହି ଗାଇଡ୍‌ଲାଇନ୍‌କୁ ତତ୍କାଳ ଭିତ୍ତିରେ ଲାଗୁ କରାଯାଇଛି।

ଟିଭି, ସମ୍ବାଦପତ୍ର ଓ ଅନଲାଇନ୍ ସବୁ ପ୍ରକାର ମାଧ୍ୟମର ବିଜ୍ଞାପନ ଲାଗି ଏହି ଗାଇଡ୍‌ଲାଇନ୍‌ ଲାଗୁ ହେବ। ଯେଉଁମାନେ ଏହାର ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ଆଇନ (ସିସିପିଏ)ରେ ରହିଥିବା ବ୍ୟବସ୍ଥା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେବଳ ଘରୋଇ ସଂସ୍ଥା ନୁହେଁ ସରକାରୀ ବିଜ୍ଞାପନ ପାଇଁ ମଧ୍ୟ ଏହି ଗାଇଡ୍‌ଲାଇନ୍ ଲାଗୁ ହେବ। ଏହି ଗାଇଡ୍‌ଲାଇନ୍ ଉଲ୍ଲଂଘନ କଲେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ବାରମ୍ବାର ଉଲ୍ଲଂଘନ କଲେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡ଼ିବ। ସରକାର ଆଣିଥିବା ନୂଆ ଗାଇଡ୍‌ଲାଇନ୍‌ରେ ବିଭ୍ରାନ୍ତିକର ବିଜ୍ଞାପନ କ’ଣ ତାହା ସ୍ପଷ୍ଟ ଭାବେ ବର୍ଣ୍ଣନା କରାଯାଇଛି। କେଉଁ ବିଜ୍ଞାପନଗୁଡ଼ିକ ବୈଧ ତାହାର ମାନଦଣ୍ଡ ମଧ୍ୟ ଧାର୍ଯ୍ୟ କରାଯାଇଛି। ସରୋଗେଟ୍‌ ବା ପରୋକ୍ଷରେ ବାର୍ତା ପହଞ୍ଚାଉଥିବା ବିଜ୍ଞାପନଗୁଡ଼ିକୁ ନିଷିଦ୍ଧ କରାଯାଇଛି। ଯେଉଁ ବିଜ୍ଞାପନରେ ପ୍ରକୃତ ଉତ୍ପାଦକୁ ପ୍ରଦର୍ଶନ ନକରି ଏକ ଭିନ୍ନ ଢଙ୍ଗରେ ଉପସ୍ଥାପନ କରାଯାଏ ତାହାକୁ ସରୋଗେଟ୍ ବିଜ୍ଞାପନ କୁହାଯାଉଛି। ବିଶେଷ କରି ମଦ କଂପାନିଗୁଡ଼ିକୁ ସଙ୍ଗୀତ ସିଡି ଓ ସୋଡ଼ା ଆଦି ଜରିଆରେ ପରୋକ୍ଷରେ ନିଜର ପ୍ରଚାର କରିବାକୁ ଉଦ୍ୟମ କରିଥାନ୍ତି। ସେଗୁଡ଼ିକ ହେଉଛି ସରୋଗେଟ୍‌ ବିଜ୍ଞାପନ।

ସରକାର ସ୍ପଷ୍ଟ କରିଛନ୍ତି ଯେ ବିଜ୍ଞାପନରେ ଏଭଳି କିଛି ତଥ୍ୟ ନରହୁ ଯାହା ପିଲାମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପାଇବ। ପାରମ୍ପରିକ ଓ ପ୍ରାକୃତିକ ଖାଦ୍ୟ ତୁଳନାରେ କୌଣସି ଉତ୍ପାଦ ବା ସେବା ଭଲ ବୋଲି ବିଜ୍ଞାପନରେ ଦାବି କରାଯାଇପାରିବ ନାହିଁ। ଏକ ବିଜ୍ଞାପନରେ ଉତ୍ପାଦନକାରୀ, ସେବା ପ୍ରଦାନକାରୀ, ବିଜ୍ଞାପନଦାତା ଓ ବିଜ୍ଞାପନ ଏଜେନ୍ସିର କ’ଣ ଭୂମିକା ରହିବା ଦରକାର ତାହା ମଧ୍ୟ ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ କରାଯାଇଛି। କୌଣସି ବିଜ୍ଞାପନରେ ଯଦି କିଛି ସର୍ବେକ୍ଷଣ ବିଷୟରେ ସୂଚନା ଦିଆଯାଉଛି ତାହାର ଉତ୍ସ ଜଣାଇବାକୁ ସରକାର କହିଛନ୍ତି।

ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ନିୟାମକ ସଂସ୍ଥା ବର୍ତ୍ତମାନ ସୁଦ୍ଧ‌ା ୧୧୩ ନୋଟିସ୍ ଜାରି କରିଛି। ଏହା ପରେ ୧୪ଟି କଂପାନି ନିଜ ବିଜ୍ଞାପନ ପ୍ରତ୍ୟାହାର କରିଛନ୍ତି। ତିନିଟି କଂପାନି ଉପରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଲାଗୁ କରାଯାଇଥିବା ବେଳେ ଗୋଟିଏ କଂପାନିକୁ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ କୁହାଯାଇଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଲଘୁଚାପଜନିତ ବର୍ଷା ଯୋଗୁଁ ଘର ଭୁଶୁଡିବା ଫଳରେ ବାସଶୂନ୍ୟ ଦୁଇ ପରିବାର 

Sunil Chandra Nayak

ପୂର୍ବତନ୍ ମୁଖ୍ୟମନ୍ତ୍ରୀ ଡକ୍ଟର୍ ସଦାଶିବ ତ୍ରିପଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ

Sunil Chandra Nayak

ସାଧନା ପଣ୍ଡା ଙ୍କ କବିତା ଚିଠି

Sunil Chandra Nayak

Leave a Comment

error: Content is protected !!