ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସନ୍ତୁ କଳି ଯୁଗର ୫ଟି ବାସସ୍ଥାନ ବିଷୟରେ ଜାଣିବା

ଆସନ୍ତୁ କଳି ଯୁଗର ୫ଟି ବାସସ୍ଥାନ ବିଷୟରେ ଜାଣିବା

 

      ପାଣ୍ଡବମାନେ ବାନପ୍ରସ୍ତ ଗମନ କରିବା ପରେ ଉତ୍ତରା ଏବଂ ଅଭିମନ୍ୟୁଙ୍କ ପୁତ୍ର ପରୀକ୍ଷିତଙ୍କୁ ହସ୍ତିନାପୁରର ରାଜସିଂହାସନ ପ୍ରାପ୍ତ ହେଲା । ସେ ଧର୍ମ ପୂର୍ବକ ଶାସନ କଲେ । ଏହି ସମୟରେ ରାଜା ପରୀକ୍ଷିତ ଶୁଣିଲେ ଯେ ତାଙ୍କ ରାଜ୍ୟରେ କଳି ପ୍ରବେଶ କରିଛି । ସେ ତୁରନ୍ତ କଳିକୁ ତଡିଦେବା ଲାଗି ବାହାରିଲେ । କଳିକୁ ଖୋଜି ଖୋଜି ରାଜା ପରୀକ୍ଷିତ ବିଭିନ୍ନ ନଗର, ଗ୍ରାମ, ବନସ୍ତ ବୁଲିଲେ । କିନ୍ତୁ କେଉଁ ସ୍ଥାନରେ ସେ କଳିଯୁଗର ପ୍ରଭାବ ଦେଖିପାରିଲେ ନାହିଁ। ଗୋଟିଏ ସ୍ଥାନରେ ସେ ଏକ ଗାଈ ଏବଂ ବଳଦକୁ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉଥିବା ଶୁଣିଲେ । ବଳଦର ୪ ଗୋଡ଼ ମଧ୍ୟରୁ କେବଳ ଗୋଟିଏ ଭଲ ଥିଲା । ଅନ୍ୟ ୩ଟି ଭାଙ୍ଗି ଯାଇଥିଲା । ସେହି ବଳଦକୁ ଗାଈ ପଚାରୁଥିଲା- ବୃଷଭଦେବ, ଆପଣଙ୍କ ତିନୋଟି ଗୋଡ଼ କିଭଳି ଭାଙ୍ଗିଗଲା । ବଳଦ କହିଲା- କଲ୍ଯାଣୀ, ଏବେ କଳିଯୁଗର ଆଗମନ ହୋଇସାରିଛି । କଳି ଆସି ମୋର ତିନି ଗୋଡ଼ ଭାଙ୍ଗି ଦେଇଛି ଏବଂ ମୋତେ ଲାଗୁଛି ଯେ ଶେଷ ଗୋଟିଏ ଗୋଡ଼ ମଧ୍ୟ ଖୁବ୍ ଶୀଘ୍ର ଭାଙ୍ଗିଯିବ । ଗାଈ ପଚାରିଲା, ଏମିତି କାହିଁକି ? ବଳଦ କହିଲା, କଳି ହିଁ ଏପରି କରିପାରେ ।

     ପରୀକ୍ଷିତ ସେହି ଗାଈ ଏବଂ ବଳଦର ବାର୍ତ୍ତାଳାପ ଶୁଣିଥିଲେ । ତାଙ୍କୁ ଏହା ଅଜବ ଲାଗିଲା । ସେ ହାତଯୋଡି କହିଲେ, ହେ ମାତା ଏବଂ ଦେବତା, ଆପଣ ସାଧାରଣ ଗାଈ, ବଳଦ ଭଳି ଦେଖାଯାଉ ନାହାନ୍ତି । ଦୟାକରି ନିଜର ପରିଚୟ ଦିଅନ୍ତୁ । ଏହାପରେ ପରୀକ୍ଷିତ ଜାଣିଲେ ଯେ ସେହି ଗାଈ ହେଉଛନ୍ତି ପୃଥିବୀ ଏବଂ ବଳଦ ହେଉଛନ୍ତି ଧର୍ମ । ଧର୍ମର ଚାରିଟି ଗୋଡ଼ ଚରଣ – ସତ୍ୟ, ଶୌଚ, କରୁଣା ଏବଂ ସେବା ମଧ୍ୟରୁ ତିନୋଟି ଚରଣ ନଷ୍ଟ ହୋଇସାରିଛି । ପୃଥିବୀ ମଧ୍ୟ କ୍ଷୀଣ ହୋଇଗଲାଣି ।

       ଏହାପରେ ରାଜା ସେମାନଙ୍କୁ କଳିଯୁଗର ବାସସ୍ଥାନ କେଉଁଠି ବୋଲି ପଚାରିଲେ । ଧର୍ମ କହିଲେ, କଳି ମନରେ ରହିଥାଏ ଏବଂ ସେ ହିଁ ମନୁଷ୍ୟକୁ ବିଭ୍ରାନ୍ତି କରିଥାଏ । ତେଣୁ କଳିର ପ୍ରଭାବରେ ଧର୍ମପୂର୍ଣ୍ଣ ହୃଦୟ ଅଧର୍ମ କରିବା ଲାଗି ବାଧ୍ୟ ହୋଇଥାଏ । ପରୀକ୍ଷିତ କଳିକୁ ଖୋଜିଲେ ଏବଂ ଏକ ଶିଶୁ ରୂପରେ ତାକୁ ଦେଖିବାକୁ ପାଇଲେ । ତାକୁ ମାରିବା ଲାଗି ରାଜା ଉଦ୍ଯତ ହେଲେ ।

     କଳି ଚିତ୍କାର କଲା ଏବଂ କହିଲା- କ୍ଷମା କରନ୍ତୁ ମହାରାଜ ! ମୁଁ ଆପଣଙ୍କ ଶରଣାପନ୍ନ । ପରୀକ୍ଷିତ ତାକୁ ଅଭୟ ବର ଦେଇ କହିଲେ, ମୁଁ ତୁମକୁ ଗୋଟିଏ ସର୍ତ୍ତରେ କ୍ଷମା କରିପାରେ । ତୁମେ ଏହି ପୃଥିବୀ ଛାଡି ଚାଲିଯାଅ । କଳି ନିଜ ନିରାଶା ଜାହିର କରି କହିଲା – କୁଆଡ଼େ ଯିବି ? ବିଧାତା ମୋତେ ପୃଥିବୀରେ ରହିବା ଲାଗି ଆଦେଶ ଦେଇଛନ୍ତି । ହଁ ଏତିକି କରିପାରେ ଯେ ଆପଣ ମୋତେ ଯେଉଁ ୫ଟି ସ୍ଥାନ ଦେବେ , ମୁଁ ସେଇଠି ରହିବି । ତିଳେମାତ୍ର ସେହି ସ୍ଥାନରୁ ଏପଟ ସେପଟ ହେବି ନାହିଁ ।

      ପରୀକ୍ଷିତ କହିଲେ – ଠିକ୍ ଅଛି, ତା ହେଲେ ତୁ ଦ୍ଯୁତ(ଛଳ), ମଦ୍ୟପାନ(ବ୍ଯସନ), ପରସ୍ତ୍ରୀ ସଙ୍ଗ(ବ୍ଯଭିଚାର), ହିଂସା ଏବଂ ସୁବର୍ଣ୍ଣ(ଭୋଭ) ମଧ୍ୟରେ ଯାଇ ରହ । ରାଜା ପରୀକ୍ଷିତ ଏହା କହିବା କ୍ଷଣି କଳିଯାଇ ଏହି ୫ଟି ସ୍ଥାନରେ ରହିଲା । ରାଜା ଭୁଲି ଯାଇଥିଲେ ଯେ ତାଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ଥିଲା ।

      ଦିନେ ରାଜା ପରୀକ୍ଷିତ ମୃଗୟାକୁ ଯିବା ସମୟରେ ଶମିକ ଋଷିଙ୍କ ଆଶ୍ରମରେ ପହଞ୍ଚିଲେ । ସେଠାରେ ସେ ତପସ୍ୟାରତ ଋଷିଙ୍କୁ ପାଣି ମାଗିଲେ । ମାତ୍ର ଧ୍ଯାନରେ ବସିଥିବାରୁ ସେ କିଛି ଜାଣିପାରିଲେ ନାହିଁ । କ୍ରୋଧର ବଶବର୍ତ୍ତୀ ହୋଇ ସେ ଋଷିଙ୍କ ଗଳାରେ ଏକ ମୃତ ସର୍ପ ଟାଙ୍ଗିଦେଇ ଆସିଲେ । ଏହାପରେ ଋଷିଙ୍କ ଅଭିଶାପ ଯୋଗୁ ରାଜା ପରୀକ୍ଷିତଙ୍କର ତକ୍ଷକ ଦଂଶନରେ ମୃତ୍ୟୁ ଘଟିଲା ।।

 

ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର

Related posts

ବାଲେଶ୍ବର – ଆମ୍ବଗଡିଆ ବିକାଶମଞ୍ଚ ପକ୍ଷରୁ ବୃକ୍ଷରୋପଣ ସମ୍ବର୍ଦ୍ଧନା ସଭା

ଶିକ୍ଷା ବିଭାଗର ବିକଳ ଚିତ୍ର..ଜଣେ ଶିକ୍ଷକରେ ଚାଲିଛି ରାଜ୍ୟରେ ୧୬୭୨ ସ୍କୁଲ

Sunil Chandra Nayak

ଭାରା ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ବଦଳି ଦାବୀ ରେ ବେହେରା କେଜିବିଭି ରେ ତାଲା ବନ୍ଦ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!