ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଏଇମିତି ବର୍ଷାରାତି

ଏଇମିତି ବର୍ଷାରାତି

              ଜ୍ୟୋତ୍ସ୍ନା ରାଣୀ ଦେବୀ

ଏଇମିତି ବର୍ଷାରାତି ଭିଜୁଥିଲା ଗଗନେ
 ମନ ମୋର ଭିଜୁଥିଲା ଲହଡିର ସପନେ
କେମିତି କେଜାଣି ସତେ ବାଉଳା ସେ ପବନ
ଆଲୁଳା କେଶକୁ ଚୁମି ଛୁଉଁଥିଲା ଲପନ ।
    ଆନମନା ମନ ମୋର
ଭାବନା ରାଇଜେ ବସି ଆଙ୍କୁଥିଲା ଛବି ତାର ।
ଥିରଥିରି ଛୁଉଁଥିଲା ପରାଣର ସ୍ପନ୍ଦନ
ଶିହରିତ ତନୁମନ ଭିଜାଇ ଏ ବର୍ଷଣ
ଅମାନିଆ ମନ ତଳେ ତୋଳୁଥିଲା ନିଶାଣ
ସ୍ମୃତିର ଗହନ ବନେ କରି କେତେ କର୍ଷଣ
     ଲାଜଲାଜ ଭାବନଈ
ସାଗର ବେଳାକୁ ଧିରେ ଯାଉଥିଲା ଛୁଇଁଛୁଇଁ ।
ଏଇମିତି ଭିଜିଭିଜି ଗାଉଥିଲି ସଂଗୀତ
କଳ୍ପନାର ରଜାପୁଅ ଥିଲା ପାଶେ ସତତ
ଉଡୁଥିଲୁ ବୁଡୁଥିଲୁ ବରଷାର ସାଥିରେ
ମାଟିର ସୁଗନ୍ଧ ଧରି ଭିଜାଭିଜା ରାତିରେ
    ଚୁପଚୁପି କାନେ ମୋର
କେତେ କଥା କହୁଥିଲା ରିମିଝିମି ବର୍ଷାଧାର ।
ଗହନ ଲତିକା କୋଳେ ଭିଜିଭିଜି କୁସୁମ
ଝୁଲଝୁଲି ଫୁଲିଫୁଲି ନାଚୁଥିଲା ଅସୀମ
ଝୁମିଝୁମି ଝରଣାଟା ଧାଉଁଥିଲା ଆଗକୁ
ପ୍ରୀତିର ଗହଣା ପିନ୍ଧି ତୋଳୁଥିଲା ରାଗକୁ
    ଏଇମିତି ବରଷାରେ
ଅମାନିଆ ମନ ମୋର ଝୁରିଝୁରି ତାକୁ ମରେ ।
ଏଇମିତି ବର୍ଷା ତୁ ରେ ଆସୁଥା ମୋ ଗାଁ ରେ
ଏଇମିତି ଭିଜୁଥିବି ହଜୁଥିବି କାହାରେ
ନ ସରୁ ପ୍ରତୀକ୍ଷା ମୋର ଅନ୍ତହୀନ ଦିଗନ୍ତ
ନ ସରୁ ତୋ ଝଙ୍କାରରେ ମଙ୍ଗଳର ସଂଗୀତ
    ତୁ ଥିବୁ ପାଶେପାଶେ
ହଜୁଥିବି ଭିଜୁଥିବି ନିର୍ବାଣ ନ ଥିବ ଆଶେ ।

  ବ୍ରହ୍ମପୁର, ଗଂଜାମ

Related posts

ଜିଲ୍ଲା ଜଜଙ୍କ ଚନ୍ଦାହାଣ୍ଡି କୋର୍ଟ ପରିଦର୍ଶନ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ପାଳଭୂତ ସାଙ୍ଗେ କଥା

Sunil Chandra Nayak

ଦୁର୍ଘଟଣା କୁ ହାତଠାରି ଡାକୁଛି ମୁଣ୍ଡରା ନଦୀ ବ୍ରିଜ ର ଫାଟ, ଜାତୀୟ ରାଜପଥ ବିଭାଗ ନିଦାବିଷ୍ଣୁ

Sunil Chandra Nayak

Leave a Comment

error: Content is protected !!