ଜହ୍ନରେ ଦିଶୁଛ ତୁମେ
॥୧॥
ମନ ଇଲାକାର ସୌମ୍ୟ କାନନରେ
ଅବିଧ୍ୱଂସୀ ପ୍ରୀତି ତୁମେ,
ଅବସ୍ଥାନ କରି ହୃଦୟ କନ୍ଦରେ
ଆବଦ୍ଧ କରିଛ ପ୍ରେମେ l
॥ ୨॥
ପୁନେଇଁ ରଜନୀ ଦୂର ଅନ୍ତରୀକ୍ଷେ
ଅତୁଳ ଦିଶଇ ଜହ୍ନ,
ତାହା ମଧ୍ୟେ ତୁମ ଉଦ୍ଗୀର୍ଣ୍ଣ ପ୍ରତିମା
ଆକର୍ଷେ ମୋ ତନୁ ମନ l
॥ ୩॥
ବିଚଳିତ ହୁଏ ମିଳନର ଆଶେ
ତୁମ ସ୍ପର୍ଶ ଅନ୍ୱେଷଣେ,
ହଜି ଯାଇଥାଏ କଳାକର ସାଥେ
ତାହାକୁ ମୋ ପ୍ରିୟ ମଣେ
॥ ୪॥
ଅରବିନ୍ଦ ଯେହ୍ନେ ଶଶାଙ୍କର ବିନେ
ହୋଇଥାଏ ଅସମ୍ପୂର୍ଣ୍ଣ,
ତୁମରି ବିହୁନେ ତୁମଏ ବାନ୍ଧବୀ
ବିରହିଣୀ ପ୍ରତିକ୍ଷଣ l
॥ ୫ ॥
ଇନ୍ଦ୍ରକିରଣରେ ଆଲୋକିତ ହୁଏ
ମାୟାବିନୀ ରାତି ସାରା,
ଚନ୍ଦ୍ରମାରେ ତୁମ ପ୍ରତିଛବି ଦେଖି
ଲାଗେ ଅଧୁରା ଅଧୁରା l
॥ ୬ ॥
ପ୍ରଣୟର ଉର୍ମି ସୃଷ୍ଟି ହୋଇଥାଏ
ହୃଦୟର ପାରାବାରେ,
ତୁମ୍ଭରି ଈପ୍ସାରେ ନିଦ୍ରାକୁ ପାଶୋରି
କାଗଜରେ କାଳି ଭରେ l
॥ ୭॥
ତୁମ ପ୍ରତୀକ୍ଷାରେ ଅତିରେକ ପରେ
ବସିଛି ତୁମକୁ ଚାହିଁ,
ସତ୍ୱର ଆସିବ ସଙ୍ଗେ ଘେନିଯିବ
ମୋ ପ୍ରାଣ ହେଉଛି ଦହି l
॥ ୮ ॥
ମନଖୋଲି ଦୁଇ ପ୍ରେମ ସୁଧା ପିଇ
ପ୍ରେମାଲୋକେ ବିହରିବା ,
କାମନା ନଦୀରେ ବନ୍ୟା ଆସିଯିବ
ଆମେ ଦୁହେଁ ଭାସିଯିବା ll
ସ୍ଵାଗତିକା ମିଶ୍ର
କଣ୍ଟାବାଞ୍ଜି
ବଲାଙ୍ଗୀର
ତାରିଖ:-06.04.22