ଆମେ ସବୁ ଭାରତୀୟ
ପୁଣ୍ଯ ସଲିଳା ସ୍ନେହ ସୁଧା ବୋଳା
ଭାରତ ଆମର ମାଆ,
ଏ ସାରା ଜଗତେ ତାହା ପରି ପୁଣି
କିଏ ହେବ ଆମ ସାହା l
ଚ଼ନ୍ଦନ ପରାୟେ ମାଟି ମାଆ ଧୂଳି
ମଥାରେ ହୋଇବା ବୋଳି,
ସେନେହ ଆଦର କୋଳ ଜନନୀର
ସରଗ ଠୁ ପରା ବଳି l
ଅଧର୍ମ ଦୁର୍ନୀତି ବଢ଼ିଚାଲେ ଏଠି
ଦାନଵ ପାଉଛି ପୂଜା,
ଧର୍ମ ନିରପେକ୍ଷ ରାଷ୍ଟ୍ର ବୋଲି ଜନେ
ଉଡ଼ାନ୍ତି ବିଜୟ ଧ୍ବଜା l
ଅସତ୍ୟ ପାଉଛି ସନମାନ ସଦା
ସତ୍ୟ ହୁଏ ଅନ୍ତର୍ଦ୍ଧାନ,
ଏହି ରୀତି ନୀତି ଦେଖି ଶୁଣି ନିତି
ଅଥିର ଲାଗଇ ମନ l
ଜାତି ଧର୍ମ ପାଇଁ ଚାଲିଛି ଲଢେଇ
ମନରେ ଉପୁଜେ ଭୟ,
ରକ୍ତର ପିପାସୁ ସାଜେ ଏଠି ନର
ମାନବତା ହୁଏ କ୍ଷୟ l
ଭାଇଚାରା ନାମେ ଆମରି ଦେଶରେ
ଚାଲିଅଛି ପ୍ରହସନ,
ଭାଇଭାଇ ମଧ୍ୟେ ସଂଘର୍ଷ ଚାଲିଛି
ସଂପର୍କର ନାହିଁ ମାନ l
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ
*ଆମେ ସବୁ ଭାରତୀୟ*,
ସତ୍ୟର ପଥରେ ଚାଲୁଥିବା ବାଟ
ପ୍ରଭୁପାଦେ ରଖି ଲୟ l
ସ୍ଵାଗତିକା ମିଶ୍ର
କଣ୍ଟାବାଞ୍ଜି ବଲାଙ୍ଗୀର
ତାରିଖ :-04.04.22