କବିତା
ଅଦୃଶ୍ୟ ବଳୟେ ଅୟୁତ ମନରେ
କାହା ପ୍ରେମେ ବାନ୍ଧି ଯାଏ
ଅଗଣିତ ଶବ୍ଦ ସମାହାର ହୋଇ
କବିତାର ରୂପ ନିଏ । ୧
ସ୍ନିଗ୍ଧ ମୁଗ୍ଧ ଭରା ସିଏ ମଧୁଶାଳା
ପ୍ରୀତିର ଚୁମ୍ବନ ଦିଏ
ମତୁଆଲା ମନେ ନିବିଡ଼ତା ବଢେ
ନୀରବେ ବସି ଯାଏ ।୨
ସ୍ମୃତି ଫରୁଆରୁ କିଛି ଧରିଥାଏ
ଶବ୍ଦ କୋହେ ଭିଜି ଯାଏ
ଆଉ କେବେ ସିଏ ପୁନେଇଁ ଚାନ୍ଦର
ଜୋଛନାକୁ ମାଖି ଦିଏ । ୩
ତାରାଫୁଲ ତୋଳି ନିତି ଦେଉଥାଏ
ଆପଣାର ହୋଇଯାଏ
ଦୁହିଁଙ୍କ ଭିତରେ ନିବିଡ ବନ୍ଧନ
ଭାଷା ରଙ୍ଗେ ହସିଦିଏ । ୪
ଜୀବନ ସଙ୍ଗୀତ ଶୁଣିବା ପାଇଁତ
ଭାବ ନାବେ ବସିଯାଏ
ସୃଜନ ସମ୍ଭାରେ ମଧୁମତି ସାଜି
କଳ୍ପନାରେ ଭାସୁଥାଏ । ୫
ଅନ୍ତର ତଳର ଅକୁହା ବେଦନା
ଶବ୍ଦ ରଙ୍ଗ ଜ୍ୟୋତି ସିଏ
ଭାବନା ରାଇଜୁ ଆଣେ ପଦ ପଂକ୍ତି
କବିତାରେ ରୂପ ନିଏ । ୬
କଳ୍ପନା ଆଲୁଏ ଦୀପ୍ତିମୟୀ ସିଏ
ଜୀବନର ସାଥିଟିଏ
ଅନ୍ତରଙ୍ଗ ବୋଲି ପ୍ରତିକ୍ଷଣେ ଦେଖେ
ଶାନ୍ତି ତୃପ୍ତି ବନ୍ଧୁଟିଏ । ୭
ସ୍ନିଗ୍ଧା ସାମନ୍ତରାୟ,
ଚୁନଭାଟି,ଗୋପାଳ ଗାଁ, ବାଲେଶ୍ବର ।
ଭକ୍ତିଭଦ୍ରାୟ