ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

© ମଧୁମିତା ମିଶ୍ର ଙ୍କ କବିତା — ଫିନିକ୍ସ

ଫିନିକ୍ସ 

ସେଇ ଜଳୁଥିବା ନିଆଁ ଟିକକ
ତା’ ଆଖିରେ ଥିଲା 
ମୋ ଆଖିରେ ବି ଥିଲା
ମୋ ନିଆଁ ରୁଟିକୁ ସେକି ପାରୁଥିଲା
ଆଉ ତା’ ଅଗ୍ନି ଜଳିବାକୁ ଜଳେଇବାକୁ ତୟାର୍ ଥିଲା
ବୋହି ଯାଉଥିବା ଆଖିକୋଣର ପାଣି
ମୋତେ ବାରମ୍ବାର ଡୁବେଇ ବୁଡ଼ାଉଥିଲା
ତା’ ଆଖିର ଢେଉ କିନ୍ତୁ ଦୁନିଆ ଭସାଇବାକୁ ଲହଡ଼ି ଭାଙ୍ଗୁଥିଲା
ସେଇ ନାକପୁଡ଼ାର ପବନ ଟିକକ
ମୋ ନିଃଶ୍ୱାସ ହେଇ ଖାଲି କୋହ ଉତାରି ପାରୁଥିଲା
ତା’ ପ୍ରଶ୍ୱାସର ଉତ୍ତାପ ଲୁହା ପଥର ତରଲେଇ ପାରୁଥିଲା
ସେଇ ଅସୀମ ନୀଳାଭ ବ୍ୟୋମତଳେ
ମୋ ସ୍ବପ୍ନକୁ ବାନ୍ଧିଦେଇ ମୁଁ ଛାତଟେ ବାନ୍ଧୁଥିଲି
ସିଏ କିନ୍ତୁ ବନ୍ଧନ ଭାଙ୍ଗି ଆକାଶକୁ ବାନ୍ଧିବାକୁ ଆରମ୍ଭ କରୁଥିଲା
ପାଦତଳେ ଥିବା ସେ ସର୍ବଂସହା ଭୂଇଁପରେ
ହାରିଯାଇ ମୁଁ ଲୋଟି ପଡୁଥାଏ ବାରମ୍ବାର
ନିଜ ଶକ୍ତ ମୁଠାରେ ଭରା ଦେଇ ଉଠି ସେ ହେଉଥାଏ ନଭଶ୍ଚୁମ୍ବୀ 
ସମାଜ ଭୟରେ ମୁଁ ଗେଣ୍ଡା ପୋକଟେ ପରି ପଶି ଯାଉଥିଲି
ନିଜ ଚାରିକଡର ମିଛ ଖୋଳପା ଭିତରେ
କହୁଥିଲି ମୁଁ ସୁରକ୍ଷିତ…
ସେ ଚୂର୍ମାର କରୁଥିଲା ତା’ ଚାରିକଡର ଢାଲ
ଆଉ କହୁଥିଲା…ମୁଁ ଏଥର ଶକ୍ତ
ମୋ ଶବ୍ଦସବୁ ସୁଁ ସୁଁ ହେଇ ସକେଇ ହେଉଥିଲେ
ତା’ ନାଦ କିନ୍ତୁ ଗର୍ଜୁଥିଲା
ସେଇ ଅଗ୍ନି ଜଳ ନଭ ଭୂମି ବାୟୁ ବାଣୀ ଥିଲେ
ଆମରି ଭିତରେ 
ହେଲେ 
ଅଲଗା ଥିଲା ସେମାନଙ୍କର ଭାଗ୍ୟ…
ଏଥର …
ବାନ୍ଧିବୁନ୍ଧି ରଖିଥିବା ସ୍ବପ୍ନଡେଣାକୁ
ସତ ଭାବୁଥିବା ରଜ୍ଜୁରୁ ଖୋଲି ବଢେଇ ଦେଇ କହିଲି…
ଯା…ଉଡ୍
ଗର୍ଜିଉଠି ଭାଙ୍ଗ୍ ବନ୍ଧନ…
ଛୁଁ ଆକାଶକୁ…
ବନ୍ୟା ହେଇ ଯା…
ଜ୍ଵାଳା ହେଇ ଯା…
ମୁକ୍ତ ହେଇ ଯା…

© ମଧୁମିତା ମିଶ୍ର 

ଭୁବନେଶ୍ୱର
୯୪୩୮୪୭୦୮୦୭

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ// ଶିବଙ୍କ ଜଣାଣ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା  __ ନିରାଶ __

Sunil Chandra Nayak

ଅଚ୍ୟୁତାନନ୍ଦ ଧଳ ଙ୍କ କବିତା // ଆସିଛି ଜାଗର ପୂଜିବି ଶଙ୍କର

Sunil Chandra Nayak

Leave a Comment

error: Content is protected !!