ବ୍ଯଙ୍ଗ ପସରା
ସୁକାନ୍ତ ଖଣ୍ଡା
ବାପା ଯଦି ନିତି ପେଟେ ମଦ ପିଇ
ଆସି ଗଣ୍ଡଗୋଳ କରେ
ପତ୍ନୀ ଯଦି ନିତି ପର ପୁରୁଷରେ
ଶୋଇବା ବିଛଣା ଧରେ
କାହାକୁ କହିବା କୁହ?
ଲୁଚେଇ ଲୁଚେଇ ପିଇବାକୁ ହେବ
ବହି ଯାଉଥିବା ଲୁହ।୧
ପୁଅ ଯଦି ନିତି ହତ୍ଯା କରିବାକୁ
ମନପ୍ରାଣ ଢାଳିଦିଏ
ଝିଅ ଯଦି ନିତି ରାତିରେ ବୁଲିକି
ତମାମ ଦିନଟା ଶୁଏ
କାହକୁ କହିବା କୁହ?
କୁଆଡେ଼ ଯାଉଛୁ କଅଣ କରୁଛୁ
କହି ହେଉନିରେ ରହ।୨
ନିଜର ଲୋକଟା ଯଦି ସାପ ପରି
ଫଣା ସଦା ଟେକୁଥାଏ
ପରକୁ ଆପଣା କରିବାଟା କେତେ
ଯୁକ୍ତିଯୁକ୍ତ ହୋଇଥାଏ
କାହାକୁ କହିବା କୁହ?
ସଂସାରଟା ମୋର ଉଜୁଡି଼ ଗଲାଣି
ଆଉ ନାହିଁ ମୋଟେ ମୋହ।୩
ଘର କୁକୁରଠି ଝିଅଟିର ମୋହ
କୁକୁଡା଼ ମୋହରେ ପୁଅ
ସଭିଏଁ ଯେମିତି ବିଶୃଙ୍ଖଳ ଏଠି
ନଦୀର ଯେମିତି ସୁଅ
କାହାକୁ କହିବା କୁହ?
ଥଣ୍ଡା ପିଇବି ନା ଉଷୁମ ଲୁହକୁ
ଘୂରେ ମନ ଚହଚହ।୪
କର୍ମର ଏ ଫଳ ଘର ପରିବାର
ଭୋଗି ଚାଲିଛନ୍ତି ଆଜି
ଭାବୁଛନ୍ତି ମନେ ନିଇତି ଖାଉଛୁ
ପଲାଉ ମାଉଁସ ଭୋଜି
କାହାକୁ କହିବା କୁହ?
ଭୋକ ତ ହେଲେ ହେଁ ଖାଇବାକୁ ହେବ
ଯଦିରେ ରୁଚିଲା ଗୁହ।୫
ଶିକ୍ଷକ ଟାଙ୍କରତଳି ମଣତା ଘଟଗାଁ କେନ୍ଦୁଝର