ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଯୋଗଜନ୍ମା ପୁରୁଷ -” ଗଡଜାତ ଗାନ୍ଧୀ ” ସାରଙ୍ଗଧର “

ଯୋଗଜନ୍ମା ପୁରୁଷ -” ଗଡଜାତ ଗାନ୍ଧୀ ” ସାରଙ୍ଗଧର “

        (୧୩୮ ତମ ଜନ୍ମଜୟନ୍ତୀ ଉପଲକ୍ଷେ )

ଭାରତବର୍ଷ ରେ ଯେଉଁ କେତେକ ଯୋଗଜନ୍ମା ପୁରୁଷ ତାଙ୍କରି ମଧ୍ୟରୁ ଅନ୍ୟତମ ଥିଲେ ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସ ।୧୮୮୭ ମସିହା ଅକ୍ଟୋବର ୧୭ ତାରିଖ ରେ ଢେ଼ଙ୍କାନାଳ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀ ହରେକୃଷ୍ଣପୁର ଗ୍ରାମରେ ପିତା ହରେକୃଷ୍ଣ ଓ ମାତା ମାଣିକ ଦେବୀ ଙ୍କ ଔରସରୁ ଜନ୍ମ ଗ୍ରହଣ କରନ୍ତି ସାରଙ୍ଗଧର । ୧୯୦୫ ମସିହାରେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉଚ୍ଚ ଶିକ୍ଷା ପାଇଁ ରେଭେନ୍ସା କଲେଜ ରେ ନାମ ଲେଖାଇଲେ । ସାରଙ୍ଗ ଧର ହଷ୍ଟେଲରେ ରହି ପାଠ ପଢୁଥିବା ଅବସ୍ଥାରେ ତାଙ୍କ ସଙ୍ଗେ ରହୁଥିଲେ ପଣ୍ଡିତ ନୀଳକଣ୍ଠ ଦାସ । ନୀଳକଣ୍ଠ ଙ୍କ ଜରିଆରେ ସେ ଗୋପବନ୍ଧୁ ଓ ଆଚାର୍ଯ୍ୟ ହରିହର ଙ୍କ ସହ ଘନିଷ୍ଠ ହୋଇଥିଲେ । ସାରଙ୍ଗଧର ୧୧ ବର୍ଷ ବୟସରେ ତାଙ୍କ ପିତା ହରେକୃଷ୍ଣ ଙ୍କୁ ହରାଇଥିଲେ ।ରେଭେନ୍ସା ରେ ପାଠ ପଢୁଥିବା ବେଳେ ତାଙ୍କର ବଡ଼ ଭାଇ ଗଦାଧର ଓ ଭଉଣୀ ସାବିତ୍ରୀ ହଇଜାରେ ମୃତ୍ୟୁ ବରଣ କରିଥିଲେ । ମଝିଆଁ ଭାଇ ଗଙ୍ଗାଧର ଗାଁ ରେ ଚାଷ ବାସ କଥା ବୁଝୁଥିଲେ ।ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ସାରଙ୍ଗଧର ପାଠ ପଢା ଖର୍ଚ୍ଚ ତୁଲାଇବାକୁ ମଝିଆଁ ଭାଇ ଗଙ୍ଗାଧର ଙ୍କୁ ଅନେକ କଷ୍ଟ କରିବାକୁ ପଡ଼ୁଥିଲା ତେଣୁ ରେଭେନ୍ସା କଲେଜରୁ ପାଠପଢା ଶେଷ କରି ଗୋପବନ୍ଧୁ ଦାସ ଙ୍କ ପ୍ରେରଣାରେ ନୀଳଗିରିରେ ଏକ ସ୍କୁଲରେ ଶିକ୍ଷକତା କରିଥିଲେ ।ସାରଙ୍ଗଧରଙ୍କ ଉଚ୍ଚ ଅଭିଳାଷ ତାଙ୍କୁ ଶିକ୍ଷକତା ଚାକିରି ଭିତରେ ବାନ୍ଧି ରଖି ପାରିନଥିଲା । କଲିକତା ର ଏକ ଛାତ୍ର ସହାୟକ ସଂସ୍ଥା ମେଧାବୀ ଛାତ୍ର ମାନଙ୍କୁ ଛାତ୍ର ବୃତ୍ତି ଦେଇ ବିଦେଶ ରେ ବୈଷୟିକ ଶିକ୍ଷା ପାଇଁ ଛାତ୍ର ବୃତ୍ତି ଦେଉଥିବାର ଖବର ପାଇଁ ସେ ଆବେଦନ କରି କୃଷି ବିଜ୍ଞାନରେ ଜାପାନ ଯିବାକୁ ଦୁଇ ବର୍ଷ ପାଇଁ ମାସିକ ୨୫ ଟଙ୍କା ଲେଖାଏଁ ପାଇବାକୁ ଯୋଗ୍ୟ ବିବେଚିତ ହେଲେ । ସାରଙ୍ଗ ଧର ଙ୍କ ବଡବାପା ବନମାଳୀ ଦାସଙ୍କ ଢେ଼ଙ୍କାନାଳ ରାଜପରିବାର ସାଙ୍ଗରେ ଭଲ ସମ୍ପର୍କ ଥିବାରୁ ରାଜା ମାସିକ ବୃତ୍ତି ଦେବାକୁ ପ୍ରତିଶ୍ରୁତି ଦେବାପରେ ଗୋପବନ୍ଧୁ ଦାସ ଓ ଆଚାର୍ଯ୍ୟ ହରିହର ଦାସ କିଛି ଅର୍ଥ ସହାୟତା କରିଥିଲେ ।

ସାରଙ୍ଗଧର ଉଚ୍ଚଶିକ୍ଷା ପାଇଁ ୧୯୦୭ ମସିହାରେ ଜାପାନ ଗଲେ ।ସେତେବେଳେ ସେ ବିଦେଶ ଶିକ୍ଷା ପାଇଁ ଯିବାରେ ପ୍ରଥମ ଓଡ଼ିଆ ଥିଲେ ।ସେଠାରେ ପହଞ୍ଚି ସେ ପ୍ରଥମେ ଦିଆସିଲି ଶିଳ୍ପ ସମ୍ପର୍କରେ ଶିକ୍ଷା ଲାଭ କଲେ । ଚିନି,ସିମେଣ୍ଟ ଓ କାଗଜ ଶିଳ୍ପ ପାଇଁ ରସାୟନ ବିଦ୍ୟା ର ଆବଶ୍ୟକତା ଥିବାରୁ ରସାୟନ ଶାସ୍ତ୍ର ରେ ଜ୍ଞାନ ଅର୍ଜନ ପାଇଁ ଜାପାନର ଟୋକିଓ ସହରରେ ନାମ ଲେଖାଇଲେ ।ତାପରେ ୬ ମାସ ପରେ ଆମେରିକା ଯାଇ କାଲିଫର୍ଣ୍ଣିଆର ଷ୍ଟେନଫୋର୍ଡ ବିଶ୍ଵ ବିଦ୍ୟାଳୟରେ ଅଧ୍ୟୟନ କଲେ । ସେହି ସମୟରେ ସୁଇଡେନର ଏକ ଝିଅ ଫ୍ରୀଡା ହାଉସରିଥ ଙ୍କ ସଙ୍ଗେ ବନ୍ଧୁତା ହୋଇଥିଲା । କାଲିଫର୍ଣ୍ଣିଆ ରେ ଚିନିଶିଳ୍ପ ରେ ବିଦ୍ୟା ହାସଲ ପରେ କିଛି ଦିନ ପାଇଁ ହାୱାଇ ଦ୍ଵିପ ରେ ଏକ ଚିନି କାରଖାନା ରେ ଚିଫ କେମିଷ୍ଟ ହିସାବରେ କାମ କରିଥିଲେ ।୧୯୧୭ ମସିହାରେ ସାରଙ୍ଗଧର ଙ୍କ ର ସେଠାରେ ବାହାଘର ହୋଇଥିଲା । ୧୯୨୦ ମସିହାରେ ସାରଙ୍ଗଧର ତାଙ୍କ ମା ଙ୍କ ଦେହ ଅସୁସ୍ଥ ଥିବା ଏକ ଚିଠି ପାଇଲା ପରେ ଭାରତ ଆସି ବାକୁ ମନ ସ୍ଥିର କଲେ । 

ନିଜର ଅଭିଜ୍ଞତା କୁ ଭିତି କରି ନିଜ ମାଟି ରେ ଏକ ଚିନି କଳ ସ୍ଥାପନ କରିବାକୁ ମନସ୍ଥ କରିଥିଲେ । ସେହି ବର୍ଷ ନିଜର ବିଦେଶିନୀ ପତ୍ନୀ ଫ୍ରୀଡ଼ା ଙ୍କୁ ଧରି ସାରଙ୍ଗଧର ବମ୍ବେ ରେ ପହଞ୍ଚିଲେ । ବମ୍ବେ ଆସିବା ପରେ ସାରଙ୍ଗଧର କୋଚିନ ଠାରେ ଏକ ଚିନି ଶିଳ୍ପ ରେ ପୁଣି ଏକ ଚାକିରି ମିଳିଗଲା ।୧୯୨୨ ମସିହାରେ ସାରଙ୍ଗଧର ଓ ଫ୍ରିଡ଼ା କୋଚିଁନ ଅଭିମୁଖେ ଯାତ୍ରା କଲେ ଓ ସେଠାରେ ପ୍ରାୟ ୨ ବର୍ଷ ରହିଲେ କିନ୍ତୁ ନିଜେ ଢେ଼ଙ୍କାନାଳ ମାଟିରେ ଏକ ଚିନି କାରଖାନା ର ସ୍ବପ୍ନ ଦେଖିଥିବା ଯୋଗୁ ୧୯୨୪ ମସିହାରେ ଚାକିରି ଛାଡ଼ି ଚିନି କାରଖାନା କାମ ଆରମ୍ଭ କରିବାକୁ ଢେ଼ଙ୍କାନାଳ ରେ ପହଞ୍ଚିଲେ । ଢେ଼ଙ୍କାନାଳ ର ରାଜା ସୁରପ୍ରତାପ ମହିନ୍ଦ୍ର ବାହାଦୁର ଙ୍କ ପ୍ରୋତ୍ସାହନ ରେ ଜାପାନ ଯାଇଥିବା ସାରଙ୍ଗଧର ଢେ଼ଙ୍କାନାଳ ଫେରିଲା ବେଳକୁ ରାଜା ଙ୍କ ର ମୃତ୍ୟୁ ହୋଇ ଯାଇଥାଏ ଓ ନୂତନ ରାଜା ଭାବେ ଯୁବରାଜ ଶଙ୍କର ପ୍ରତାପ ନା ବାଳକ ହୋଇଥିବା ଦୃଷ୍ଟିରୁ ବ୍ରିଟିଶ ସରକାର ଙ୍କ ପଲିଟିକାଲ ଏଜେଣ୍ଟ ଙ୍କ ଦ୍ଵାରା ରାଜ ଶାସନ ଚାଲୁଥାଏ ।ସାରଙ୍ଗଧର ସେହି ରାଜନୈତିକ ପ୍ରତିନିଧି ଙ୍କ ଠାରୁ ଚିନି କଳ ପାଇଁ କାମାକ୍ଷାନଗର ର ବ୍ରହ୍ମକୁଣ୍ଡ ଜଳ ପ୍ରପାତ ପାଖରେ ଆଖୁ ଚାଷ ଓ ଚିନି ଶିଳ୍ପ ପାଇଁ ଜମି ପଟ୍ଟା ହାସଲ କରିଥିଲେ ।ସେହି ଜମି ରେ ଜଙ୍ଗଲ ସଫା କରି ଆଖୁଚାସ ପାଇଁ ପ୍ରସ୍ତୁତି କରି ଜାପାନ ରୁ ଚିନି କଳ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ମଧ୍ୟ ମଗାଇବା ଆରମ୍ଭ କରିଥିଲେ । କାରଖାନା ପାଇଁ ସେତେବେଳେ ପ୍ରାୟ ଦୁଇ ଲକ୍ଷ ଟଙ୍କାର ଯନ୍ତ୍ରପାତି ଆସି ସାରିଥାଏ ।ତାହାର ରକ୍ଷଣା ବେକ୍ଷଣ ପାଇଁ ସାରଙ୍ଗଧର ଲାହୋର ର ଏକ ଯୁବ ଇଞ୍ଜିନିୟର ମନୋହର ଲାଲ ଖାନ୍ନା ଙ୍କୁ ନିଯୁକ୍ତି ଦେଇଥାନ୍ତି । ସାରଙ୍ଗଧର ଙ୍କ ଭଣଜା ନରୋତ୍ତମ ତାଙ୍କୁ ସହାୟତା କରିଥାନ୍ତି ।

ସାରଙ୍ଗଧର ନିଜ ବିଦେଶିନୀ ପତ୍ନୀ ଙ୍କ ସହ ଏକ ଚାଳ ଘରେ ବ୍ରହ୍ମକୁଣ୍ଡ ନିକଟ ଡମ ଶାଳ ଗ୍ରାମରେ ରହିବାକୁ ଯେଉଁ ସ୍ବପ୍ନ ନେଇ ଆସିଥିଲେ ତାହା ଖୁବ୍ କମ ଦିନରେ ଧୂଳିସାତ ହେବାକୁ ଲାଗିଲା । ବିଦେଶିନୀ ପତ୍ନୀ ଫ୍ରୀଡା ସେଠାରେ ସାମାଜିକ ବାସନ୍ଦ ର ଶିକାର ହେଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ତାଙ୍କ ପାଇଁ ସାରଙ୍ଗଧର କଷ୍ଟ ପାଉଥିବା ଅନୁଭବ କରି ସେ ସାରଙ୍ଗଧର ଙ୍କୁ ଛାଡି ପୁଣି ଆମେରିକା ଫେରିଗଲେ ।୧୯୩୦ ମସିହାରେ ସାରଙ୍ଗଧର ଙ୍କ ବିଦେଶିନୀ ପତ୍ନୀ ଫ୍ରୀଡ଼ା ଆମେରିକା ଫେରିଗଲା ପରେ ଦୁଇଟି ବହି My marriage to India , My Hindu Husband ନାମରେ ପ୍ରକାଶିତ କରି ଢେ଼ଙ୍କାନାଳ ରେ ତାଙ୍କର ଅନୁଭୂତି ଓ ରାଜ ପରିବାର ର ଅତ୍ୟାଚାର ବିଷୟରେ ପୁଙ୍ଖାନୁପୁଙ୍ଖ ବିବରଣୀ ରଖିଛନ୍ତି ।

ସେତେବେଳେ ଢ଼େଙ୍କାନାଳ ରେ ନୂଆ ରାଜା ରୂପେ ଶଙ୍କର ପ୍ରତାପ ଶାସନ ଆରମ୍ଭ ସମୟରେ ଅରାଜକତା ସୃଷ୍ଟି ହେଲା । ଲୋକ ମାନଙ୍କୁ ବେଠି ଖଟାଇବା , ଜୋର୍ ଜବର ଦସ୍ତ୍ ପ୍ରଜା ଙ୍କ ଜମି ରୁ ଫସଲ ନେଇଯିବା ,ପୋଖୋରି ରୁ ମାଛ ମାରିନେବା ଓ ଢେ଼ଙ୍କାନାଳ ର ଝିଅ ବୋହୂ ଙ୍କୁ ଅତ୍ୟାଚାର କରିବା ଆରମ୍ଭ ହୋଇ ଯାଇଥାଏ । ସେହି ସମୟରେ ଢେ଼ଙ୍କାନାଳ ରାଜା ସାରଙ୍ଗଧର ଙ୍କୁ ସନ୍ଦେହ ଦୃଷ୍ଟି ରେ ଦେଖିବାକୁ ଆରମ୍ଭ କଲେ ଯେ ସାରଙ୍ଗ ଧର ରାଜ ଶାସନ ବିରୁଦ୍ଧରେ ଲୋକ ଙ୍କୁ ମତାଉଛନ୍ତି । ସାରଙ୍ଗଧର ଢେ଼ଙ୍କାନାଳ ର ରାଜ ଅତ୍ୟାଚାର ର କାହାଣୀ କୃଷକ ପତ୍ରିକା ରେ ” ନଣ୍ଡା ଦେହୁରୀ” ଛଦ୍ମ ନାମ ରେ ପ୍ରକାଶ କରୁଥାନ୍ତି । ସାରଙ୍ଗ ଧର ମେଲେରିଆ ରୋଗ ରେ ଆକ୍ରାନ୍ତ ହୋଇ କଲିକତା ଚିକିତ୍ସା ପାଇଁ ଗଲେ । ସେହି ସମୟରେ ରାଜା ଙ୍କ ନିର୍ଦ୍ଦେଶ କ୍ରମେ ଆଖୁ ଚାଷ ପାଇଁ ଲିଜ ପାଇଥିବା ଜମି କୁ ବାତିଲ କରିଦିଆଗଲା ଓ ଚିନି କଳ ମେସିନ ଗୁଡ଼ିକ ରାଜା ପରିବାର ନିର୍ଦ୍ଦେଶ ରେ ନଷ୍ଟ ଭ୍ରଷ୍ଟ କରି ଦିଆଗଲା । ଢେ଼ଙ୍କାନାଳ ହରେକୃଷ୍ଣ ପୁର ରେ ଥିବା ତାଙ୍କ ଚାଳ ଘରେ ନିଆଁ ଲଗେଇ ଦିଆ ଗଲା। ଢେ଼ଙ୍କାନାଳ ରେ କରିବାକୁ ଥିବା ଚିନି କାରଖାନା ର ସ୍ବପ୍ନ ସବୁଦିନ ପାଇଁ ଧୂଳିସାତ ହୋଇଗଲା । ରାଜା ଙ୍କ ଠାରୁ ଚିନି କାରଖାନା ପାଇଁ ନେଇଥିବା ଋଣ ଆଦାୟ ପାଇଁ ନୋଟିସ ଲଗାଇ ମକଦ୍ଦମା କରାଗଲା । ସାରଙ୍ଗଧର କଲିକତା ରୁ ଫେରି ଢେ଼ଙ୍କାନାଳ ରେ ଶିଳ୍ପାୟନ ର ପ୍ରତିବନ୍ଧକ ହେଉଛନ୍ତି ରାଜ ପରିବାର ବୋଲି ଅନୁଭବ କଲେ ଓ ରାଜ ତନ୍ତ୍ର ଲୋପ ନହେଲେ ରାଜ୍ୟ ରେ କୃଷି ଓ ଶିଳ୍ପ ର ଉନ୍ନତି ହେବ ନାହିଁ ବୋଲି ସାରଙ୍ଗଧର ଉପଲବ୍ଧି କଲେ ।

ଆଖୁ ଚାଷ ଓ ଚିନି କଳ ପାଇଁ ସାରଙ୍ଗଧର ଅନେକ ଋଣ କରିଥିବାରୁ ତାହା ପରିଶୋଧ ପାଇଁ ତାଙ୍କୁ ପୁଣି କଲିକତା ଓ ବିହାର ର ଚଂପରାନ ଜିଲ୍ଲାରେ ଚିନି କାରଖାନା ରେ କାମ କରିବାକୁ ପଡିଲା ।ଚମ୍ପରାନ ଠାରେ ସାରଙ୍ଗଧର ଙ୍କ ଗାନ୍ଧିଜୀ ଙ୍କ ସହ ସାକ୍ଷାତ ହେଲା ପରେ ସେ ଭାରତ ବର୍ଷ ର ସ୍ଵାଧୀନତା ସଂଗ୍ରାମ ଓ ଗଡ ଜାତ ଆନ୍ଦୋଳନ ରେ ଝାସ ଦେଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସାରଙ୍ଗଧର ନବକୃଷ୍ଣ ଚୋଧୁରି ,ମାଳତୀ ଚୌଧୁରୀ ,ଭଗବତୀ ଚରଣ ପାଣିଗ୍ରାହୀ ,ସୁରେନ୍ଦ୍ର ନାଥ ଦ୍ବିବେଦୀ , ଅନନ୍ତ ଚରଣ ପଟ୍ଟନାୟକ , ସଚି ରାଉତରାୟ, ବୈଷ୍ଣବ ପଟ୍ଟନାୟକ ପ୍ରମୁଖ ବିପ୍ଳବୀ ନେତୃବୃନ୍ଦ ଙ୍କ ସହିତ ଯୋଗ ଦେଇ ଗଡଜାତ ଆନ୍ଦୋଳନ କୁ ଅଧିକ ତୀବ୍ରତର କରାଇଥିଲେ । ତାଙ୍କର ଏହି ଆନ୍ଦୋଳନ ପାଇଁ ପାଇଁ ସାରଙ୍ଗଧର ଙ୍କୁ ଗଡଜାତ ଗାନ୍ଧୀ ନାମରେ ନାମିତ କରାଗଲା । ସାରଙ୍ଗଧର ସର୍ବ ଭାରତୀୟ ଗଡଜାତ ଆନ୍ଦୋଳନ ରେ ସାମିଲ ହୋଇ ଗଲେ। ପଣ୍ଡିତ ନେହେରୁ ଙ୍କ ନିର୍ଦ୍ଦେଶ ରେ ସିତଭିପଟାରମେୟା ସଭାପତ୍ ଓ ସାରଙ୍ଗଧର ସମ୍ପାଦକ ରୁପେ ମନୋନୀତ ହୋଇଥିଲେ ।

୧୯୩୮ ମସିହା ସେପ୍ଟେମ୍ବର ୧ ତାରିଖ ରେ ଜେନାପୁର ଠାରେ ଏକ ବିରାଟ ଚାଷୀ ସମାବେଶ ହୋଇଥିଲା ଓ ସେହି ସମାବେଶ ରେ ଢେ଼ଙ୍କାନାଳ ରୁ ୨୦ ହଜାର ଚାଷୀ ଯୋଗ ଦେଇଥିଲେ ।ଏହି ସଭାରେ ଢେ଼ଙ୍କାନାଳ ପ୍ରଜାମଣ୍ଡଳ ଗଠନ ହେଲା ଓ ସାରଙ୍ଗଧର ଏହାର ଉପଦେଷ୍ଟା ହେଲେ । ୧୯୪୨ ମସିହା ରେ ମହାତ୍ମା ଗାନ୍ଧୀ ଙ୍କ ” ଭାରତ ଛାଡ ଆନ୍ଦୋଳନ ” ଯୋଗ ଦେଇ କାରା ବରଣ କରିଥିଲେ ସାରଙ୍ଗଧର । ୧୯୪୬ ମସିହାରେ ସାରଙ୍ଗଧର କଂଗ୍ରେସ ଟିକେଟ ରେ ତିର୍ତ୍ତୋଲ – ଏରସମା ବିଧାନ ସଭା ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ରୂପେ ନିର୍ବାଚିତ ହୋଇ ରାଜ୍ୟ ରେ କିପରି କୃଷି ଓ ଶିଳ୍ପ ର ଉନ୍ନତି ହେବ ତାହା ଆଲୋଚନା କରିଥିଲେ । କଂଗ୍ରେସ ନେତୃତ୍ବ ସାଙ୍ଗରେ ମନୋ ମାଳିନ୍ୟ ହେବାରୁ ସେ କଂଗ୍ରେସ ଦଳ ରୁ ଓ ବିଧାନ ସଭା ରୁ ଇସ୍ତଫା ଦେଇ ୧୯୪୮ ମସିହାରେ ସୋଷିଆଲିଷ୍ଟ ପାର୍ଟି ରେ ଯୋଗଦାନ କରି ଥିଲେ । ୧୯୫୨ ମସିହାରେ ସ୍ଵାଧୀନ ଭାରତ ର ପ୍ରଥମ ନିର୍ବାଚନ ରେ ସାରଙ୍ଗଧର ଢେ଼ଙ୍କାନାଳ – ପଶ୍ଚିମ କଟକ ର ଲୋକ ସଭା ସାଂସଦ ରୂପେ ନିର୍ବାଚିତ ହୋଇ ଲୋକ ସଭା ରେ ସୋସିଲିଷ୍ଟ ପାର୍ଟି ର ନେତା ରୂପେ ନିର୍ବାଚିତ ହୋଇଥିଲେ ।ଲୋକ ସଭା ରେ ଭାରତ ବର୍ଷ ରେ ଚିନି ଶିଳ୍ପ ଓ କୃଷି ର ଅଗ୍ରଗତି ନିମନ୍ତେ ଅନେକ ସାରଗର୍ଭକ ଭାଷଣ ଦେଇଥିଲେ ଯାହା ଆଜି ବି ଅନବିସ୍କୃତ ହୋଇଅଛି । ଲୋକସଭା ସଦସ୍ୟ ଥିବା ବେଳେ ୧୯୫୭ ମସିହା ରେ ଅସୁସ୍ଥ ହୋଇ ମୃତ୍ୟୁ ବରଣ କଲେ । ତାଙ୍କ ମୃତ୍ୟୁ ପୂର୍ବରୁ ସାରଙ୍ଗଧର ତାଙ୍କର ସମସ୍ତ ସମ୍ପତ୍ତି କୁ ଦୁଇଟି ଟ୍ରଷ୍ଟ ମାଧ୍ୟମରେ ଦାନ କରି ଯାଇଛନ୍ତି । ସେ ତାଙ୍କର ଶେଷ ଇଚ୍ଛା ପତ୍ର ରେ ତାଙ୍କର ସମ୍ପତି ରୁ ଆୟ ଧନ ରେ ସମାଜର ନାରୀ ଓ ଶିଶୁ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବା ପାଇଁ ସ୍ଥିର କରି ଏହି ଟ୍ରଷ୍ଟ ରେ ଢେ଼ଙ୍କାନାଳ ଜିଲ୍ଲାପାଳ ଙ୍କୁ ଟ୍ରଷ୍ଟି ରୂପେ ମନୋନୀତ କରିଯାଇଛନ୍ତି ।ଏହି ଟ୍ରଷ୍ଟ ର ସଭ୍ୟ ରୂପେ ସୁରେନ୍ଦ୍ର ନାଥ ଦ୍ବିବେଦୀ,ବିଶ୍ଵନାଥ ପଣ୍ଡିତ , ତାଙ୍କ ସମ୍ପର୍କୀୟ ନରୋତ୍ତମ ଦାସ ଙ୍କୁ ସଭ୍ୟ ରୂପେ ମନୋନୀତ କରିଯାଇଥିଲେ । ଏହି ଟ୍ରଷ୍ଟ ର ସମସ୍ତ ସଭ୍ୟ ଙ୍କ ମୃତ୍ୟୁ ବରଣ କରି ସାରି ଥିଲେ ବି ଟ୍ରଷ୍ଟ ର ପୁନର୍ଗଠନ ଅଦ୍ୟାବଧି ହୋଇ ପାରିନଥିବା ଦୃଷ୍ଟିରୁ କିଛି ମୁଷ୍ଟିମେୟ ଲୋକ ଏହି ଟ୍ରଷ୍ଟ କୁ ଏବେ ନିଜ ଅଧୀନରେ ରଖି ସ୍ୱର୍ଗତ ସାରଙ୍ଗଧର ଙ୍କ ଯେଉଁ ମହାନ୍ ଉଦ୍ଦେଶ୍ୟ ରେ ଟ୍ରଷ୍ଟ କରିଯାଇଥିଲେ ତାହା ସାଧନ କରିବାରେ ବିଫଳ ହୋଇ ଛନ୍ତି ଓ ତାଙ୍କର ଇଛା ଆଜି ପର୍ଯ୍ୟନ୍ତ ଫଳବତୀ ହୋଇ ପାରିନାହିଁ। ବିଗତ ୬୮ ବର୍ଷ ରେ ହୋଇଥିବା ଆୟ ଓ ବ୍ୟୟ ର ଅଡିଟ ବି ହୋଇନାହିଁ । ତାଙ୍କର ଯେଉଁ ମହତ୍ ଇଚ୍ଛା ଥିଲା ସେ ବାବଦ ରେ ଟ୍ରଷ୍ଟ ର ଆୟ ରୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇ ନାହିଁ । ସାରଙ୍ଗଧର ଢେ଼ଙ୍କାନାଳ ହରେକୃଷ୍ଣ ପୁର ରେ ୧୭୦ ଏକର ଜମି ଟ୍ରଷ୍ଟ କୁ ଦାନ କରିଥିଲେ । ଗୋଟିଏ ଟ୍ରଷ୍ଟ ର ନାମ ” ଜାନକୀ ଦେବୀ ନାରୀ ଓ ଶିଶୁ କଲ୍ୟାଣ ସମିତି ଓ ଅନ୍ୟଟି ଗଙ୍ଗାଧର ଶିଶୁ କଲ୍ୟାଣ ସମିତି ଅଟେ ।ଦୁଃଖ ର ସହ କହିବାକୁ ପଡୁଛି ଯେ ସାରଙ୍ଗଧର ଙ୍କ ଭଳି ମହାନ୍ ବ୍ୟକ୍ତିତ୍ଵ ବିପ୍ଳବୀ ଜନନେତା ଙ୍କୁ ପୂର୍ବ ସରକାର ମାନେ ଯେତିକି ସମ୍ମାନ ଦେବା କଥା ଦେଇ ପାରିନାହାଁନ୍ତି ।କେବଳ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉଦ୍ୟମରେ ଏକ ଡାକ ଟିକଟ ପ୍ରଚଳନ ଗତ ୨୦୨୩ ମସିହାରେ ପ୍ରଚଳନ କରିଛନ୍ତି । ସ୍ୱର୍ଗତ ସାରଙ୍ଗଧର ଙ୍କ ଆଦର୍ଶ କୁ ଆମ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବାକୁ ଆମକୁ ଅନେକ ଉଦ୍ୟମ କରିବାକୁ ପଡ଼ିବ । ଚଳିତ ବର୍ଷ ଠାରୁ ରାଜ୍ୟରେ ମୋହନ ମାଝୀ ଙ୍କ ସରକାର ପ୍ରତି ବର୍ଷ ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ ଙ୍କ ଶ୍ରାଦ୍ଧ ଓ ଜନ୍ମ ଦିନ ରାଜ୍ୟ ସ୍ତରରେ ପାଳନ କରିବାକୁ ନିଷ୍ପତି ନେଇ ଥିବାରୁ ମୁଁ ସରକାର ଙ୍କୁ ଆନ୍ତରିକ ଧନ୍ୟବାଦ୍ ଦେଉଛି ।

 ଆଲେଖ୍ୟ _ନବିନ ନନ୍ଦ,ପୂର୍ବତନ ବିଧାୟକ ,ଢେ଼ଙ୍କାନାଳ

 

Related posts

ଆଜିର ଦିବସର ଅନୁଚିନ୍ତା : ଏପ୍ରିଲ୍ ୧୩ ତାରିଖ : ନୂତନ ଆଶା ଓ ସମୃଦ୍ଧିର ପଥ

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା : ଏପ୍ରିଲ୍ ୧୨ ତାରିଖ : ମାନବୀୟ ସଫଳତାର ଏକ ଅନନ୍ୟ ଦିଗନ୍ତ

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା : ଏପ୍ରିଲ ୧୬ ତାରିଖ :  ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ

Sunil Chandra Nayak

Leave a Comment

error: Content is protected !!