ରାଉରକେଲା ପୋଲିସ୍ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଓଡିଶା – ୨୦୨୫
ରାଉରକେଲା ୨୫/୧୦, “ରୁହନ୍ତୁ. ଯାଞ୍ଚ କରନ୍ତୁ. ସୁରକ୍ଷିତ ରୁହନ୍ତୁ” ସ୍ଲୋଗାନକୁ ନେଇ ରାଉରକେଲା ପୋଲିସ୍ ପକ୍ଷରୁ ଆଜି ସିଭିକ୍ ସେଣ୍ଟର୍ ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଶୁଭାରମ୍ଭ କରାଯାଇଛି ସାଇବର ସୁରକ୍ଷା ଅଭିଯାନ ଓଡିଶା-୨୦୨୫।
ଏହି ଉତ୍ସବ ଆରମ୍ଭରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ।ଅତିଥିମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ସୁନ୍ଦରଗଡ ଜିଲ୍ଲାପାଳ ଡ ଶୁଭଙ୍କର ମହାପାତ୍ର, ପଶ୍ଚିମାଞ୍ଚଳ ରେଞ୍ଜ ପୋଲିସ୍ ଡିଆଇଜି ବ୍ରିଜେଶ କୁମାର ରାୟ, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ, ରାଉରକେଲା ଡିଏଫଓ ଯଶୋବନ୍ତ ସେଠୀ ଏବଂ ପୋଲିସ୍ ପ୍ରଶାସନର ବରିଷ୍ଠ ଅଧିକାରୀ।
ବର୍ତ୍ତମାନର ସାଇବର ଠକେଇକୁ ନେଇ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ବ୍ଯକ୍ତିବିଶେଷଙ୍କୁ ସତର୍କ ରହିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ସାଇବର ଠକେଇ କିପରି ଭାବରେ ହେଉଛି ସେ ବିଷୟରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସେଥିମଧ୍ୟରେ ଡିଜିଟାଲ ଆରେଷ୍ଟ ଠକେଇ ଅନ୍ଯତମ। ଏହି ଠକେଇରେ ପୀଡିତଙ୍କୁ ପୋଲିସ୍, ସିବିଆଇ କିମ୍ବା କୋରିଅର ସେବାର ଅଧିକାରୀ କହି ଏକ କଲ୍ ଆସିଥାଏ ଏବଂ କୌଣସି ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ କରାଯାଏ। ଠକମାନେ ପୀଡ଼ିତଙ୍କୁ ଏକ ଭିଡିଓ କଲରେ ରହିବାକୁ ବାଧ୍ୟ କରନ୍ତି, ଜାମିନ କିମ୍ବା ଯାଞ୍ଚ ପାଇଁ ଟଙ୍କା ମାଗିଥାନ୍ତି ଏବଂ ଟଙ୍କା ନ ଦେଲେ ଗିରଫ କରିବାର ଧମକ ଦିଅନ୍ତି।
ନିବେଶ ଏବଂ ଟ୍ରେଡିଂ ଠକେଇ, ଏଥିରେ ଠକମାନେ ହ୍ଵାଟ୍ସଆପ୍ କିମ୍ବା ଟେଲିଗ୍ରାମ୍ ଗ୍ରୁପ୍ କିମ୍ବା ସୋସିଆଲ୍ ମିଡିଆ ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ଷ୍ଟକ୍ ଟ୍ରେଡିଂ, କ୍ରିପ୍ଟୋ କରେନ୍ସି କିମ୍ବା ପାର୍ଟ-ଟାଇମ୍ ଚାକିରିରେ ଅଧିକ ଲୋଭର ପ୍ରତିଶ୍ରୁତି ଦେଇ ଆକର୍ଷିତ କରିଥାନ୍ତି। ନକଲି ଟ୍ରେଡିଂ ଆପ୍ ଏବଂ ୱେବସାଇଟ୍ ମାଧ୍ୟମରେ ମିଥ୍ୟା ଲାଭ ଦେଖାଯାଏ ଏବଂ ପ୍ରାରମ୍ଭିକ ଜମା ପରେ ଟଙ୍କା ଉଠାଣକୁ ବନ୍ଦ କରିଦିଆଯାଇଥାଏ।
ପାର୍ସଲ କିମ୍ବା କଷ୍ଟମ୍ସ ଠକେଇ, ଏଥିରେ ପୀଡ଼ିତଙ୍କୁ କଲ୍ କରି କୁହାଯାଏ ଯେ ତାଙ୍କ ନାମରେ ଏକ ପାର୍ସଲ କଷ୍ଟମ୍ସରେ ଅଟକି ରହିଛି କିମ୍ବା ସେଥିରେ ବେଆଇନ ସାମଗ୍ରୀ ଅଟକି ରହିଛି। ଠକମାନେ ନିଜକୁ କଷ୍ଟମ୍ସ କିମ୍ବା ପୋଲିସ ଅଧିକାରୀ ବୋଲି ପରିଚୟ ଦେଇଥାନ୍ତି ଏବଂ ପାର୍ସଲ ଛଡ଼ାଇବା ପାଇଁ କ୍ଲିୟରାନ୍ସ ଚାର୍ଜ କିମ୍ବା ଜୋରିମାନା ଦାବି କରିଥାନ୍ତି।
ଚତୁର୍ଥ ପ୍ରକାର ଠକେଇ ହେଲା ସେକ୍ସଟୋର୍ସନ ଫାନ୍ଦ, ଏଥିରେ ସାଇବର ଅପରାଧୀମାନେ ସୋସିଆଲ ମିଡିଆରେ ପୀଡ଼ିତଙ୍କ ସହ ଯୋଗାଯୋଗ କରନ୍ତି ଏବଂ ଏକ ବ୍ୟକ୍ତିଗତ ଭିଡିଓ କଲରେ ଯୋଗ ଦେବାକୁ ମନାଇଥାନ୍ତି । ଏହି କଲକୁ ଗୁପ୍ତରେ ରେକର୍ଡ କରାଯାଏ ଏବଂ ପରେ ସେହି ଭିଡିଓକୁ ସାର୍ବଜନୀନ କରିବାର ଧମକ ଦେଇ ଟଙ୍କା ଆଦାୟ କରାଯାଇଥାଏ।
ନକଲି ଋଣ କିମ୍ବା ତତ୍କାଳ କ୍ରେଡିଟ୍ ଆପ୍, ଏଥିରେ ପୀଡ଼ିତମାନେ ଶୀଘ୍ର ବ୍ୟକ୍ତିଗତ ଋଣ ଦେବାର ପ୍ରତିଶ୍ରୁତି ଦେଉଥିବା ଆପ୍ ଡାଉନଲୋଡ଼ କରନ୍ତି। ଫୋନ୍ କଣ୍ଟାକ୍ଟ ଏବଂ ଫଟୋର ଆକ୍ସେସ୍ ନେବା ପରେ, ଠକମାନେ ସର୍ବସାଧାରଣରେ ଅପମାନିତ କରିବାର ଧମକ ଦେଇ ହଇରାଣ କରନ୍ତି, ବ୍ଲାକମେଲ୍ କରନ୍ତି ଏବଂ ଟଙ୍କା ଆଦାୟ କରନ୍ତି।
ନକଲି ପରିଚୟ ଏବଂ ଓଟିପି ମାଧ୍ୟମରେ ଠକେଇ, ଏହି ସାଇବର ଠକେଇରେ ଠକମାନେ ନିଜକୁ ବ୍ୟାଙ୍କ ଅଧିକାରୀ, ସରକାରୀ ଏଜେଣ୍ଟ କିମ୍ବା ଡେଲିଭରି କର୍ମଚାରୀ କହି ଓଟିପି କିମ୍ବା ବ୍ୟକ୍ତିଗତ ବିବରଣୀ ହାସଲ କରିବାକୁ ଚେଷ୍ଟା କରିଥାନ୍ତି। ଏହା ପାଇବା ପରେ, ସେମାନେ ଆକାଉଣ୍ଡରୁ ଟଙ୍କା ଖାଲି କରିଦିଅନ୍ତି କିମ୍ବା ଡିଭାଇସକୁ ଠିକ୍ ସେବା ସହିତ ଲିଙ୍କ୍ କରିଦିଅନ୍ତି ।
ଚାକିରି ଏବଂ ଘରୁ କାମ କରିବାର ଠକେଇ, ଏଥିରେ ପୀଡ଼ିତମାନଙ୍କୁ ଅଧିକ ଦରମାରେ ସହଜ ଅନଲାଇନ୍ କାମର ଅଫର୍ ଦିଆଯାଏ। ବିଶ୍ବାସ ସୃଷ୍ଟି କରିବା ପାଇଁ ପ୍ରଥମେ କିଛି ଟଙ୍କା ଦିଆଯାଏ, କିନ୍ତୁ ପରେ ଠକମାନେ ସୁରକ୍ଷା ଜମା କିମ୍ବା ସଦସ୍ୟତା ଶୁକ୍ଳ ମାଗି ଅନ୍ତର୍ଦ୍ଧାନ ହୋଇଯାଇଥାନ୍ତି।
ଇ-କମର୍ସ ରିଫଣ୍ତ କିମ୍ବା ଅଫର୍ ଠକେଇ, ଏଥିରେ ପୀଡ଼ିତମାନଙ୍କୁ ରିଫଣ୍ତ, କ୍ୟାସବ୍ୟାକ୍ ଅଫର୍ କିମ୍ବା ଅର୍ଡର ବାତିଲ ବିଷୟରେ ନକଲି କଲ୍ କିମ୍ବା ମେସେଜ୍ ଆସିଥାଏ। ଠକମାନେ ମାଲିସିୟସ୍ ଲିଙ୍କ୍ ପଠାଇଥାନ୍ତି କିମ୍ବା ବ୍ୟାଙ୍କ ବିବରଣୀ ମାଗିଥାନ୍ତି, ଯାହାଦ୍ବାରା ଅନଧିକୃତ ଭାବେ ବ୍ଯାଙ୍କ୍ ଆକାଉଣ୍ଟରୁ ଟଙ୍କା କଟିଯାଇଥାଏ।
ଏହି ସମସ୍ତ ସାଇବର ଠକେଇରୁ ବର୍ତ୍ତିବା ପାଇଁ ବକ୍ତାମାନେ ପ୍ରତିଦିନ ସାଇବର ସୁରକ୍ଷା ପାଇଁ ଆବଶ୍ୟକୀୟ ସାବଧାନୀ ଆପଣାଇବାକୁ ପରାମର୍ଶ ଦେଇଥିଲେ। ସେଥିମଧ୍ୟରେ ସତର୍କ ରୁହନ୍ତୁ ଏବଂ ମୋବାଇଲରେ କ୍ଲିକ୍ କରିବା ପୂର୍ବରୁ ଭାବିବାକୁ ସତର୍କ କରାଇଥିଲେ। ଓଟିପି, ପିନ୍ କିମ୍ବା ବ୍ୟାଙ୍କିଂ ପାସୱାର୍ଡ କେବେ ବି କାହାକୁ ସେୟାର କରନ୍ତୁ ନାହିଁ। ଏପରିକି ଯଦି କେହି ନିଜକୁ ଆପଣଙ୍କ ବ୍ୟାଙ୍କ କିମ୍ବା ପୋଲିସର କର୍ମଚାରୀ ବୋଲି କହୁଥାନ୍ତି, ତାଙ୍କୁ ମଧ୍ଯ ସେୟାର କରନ୍ତୁ ନାହିଁ। ସନ୍ଦେହଜନକ ଲିଙ୍କ୍ ଉପରେ କ୍ଲିକ୍ କରିବା କିମ୍ବା ଅଜଣା ଫାଇଲ୍ ଡାଉନଲୋଡ୍ କରିବା ଠାରୁ ଦୂରେଇ ରହିବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ।
ଆପଣଙ୍କ ଡିଭାଇସକୁ ସୁରକ୍ଷିତ ରଖନ୍ତୁ, ସମସ୍ତ ଗୁରୁତ୍ୱପୂର୍ଣ୍ଣ ଆକାଉଣ୍ଟ ପାଇଁ ଶକ୍ତିଶାଳୀ, ସ୍ଵତନ୍ତ୍ର ପାସୱାର୍ଡ ବ୍ୟବହାର କରନ୍ତୁ ଏବଂ ଟୁ-ଫ୍ୟାକ୍ଟର୍ ଅଥେଣ୍ଟିକେସନ୍(2FA) ସକ୍ଷମ କରନ୍ତୁ। ଆପଣଙ୍କ ଫୋନ୍ ଆପ୍ ଏବଂ ଆଣ୍ଟିଭାଇରସ୍ ସଫ୍ଟୱେରକୁ ସର୍ବଦା ଅପଡେଟ୍ ରଖନ୍ତୁ।
ସୁରକ୍ଷିତ ବ୍ୟାଙ୍କିଙ୍ଗ୍ ଅଭ୍ୟାସ, ଇ-ମେଲ କିମ୍ବା ମେସେଜରେ ଆସିଥିବା ଲିଙ୍କରେ କ୍ଲିକ କରିବା ପରିବର୍ତ୍ତେ, ସବୁବେଳେ ଆପଣଙ୍କ ବ୍ୟାଙ୍କ କିମ୍ବା ପେମେଣ୍ଟ ଆପର୍ ଠିକଣା (URL) ନିଜେ ଟାଇପ କରନ୍ତୁ। ଟ୍ରାଞ୍ଜାକସନ ଆଲର୍ଟ (କାରବାର ସମ୍ବନ୍ଧୀୟ ସୂଚନା) ସକ୍ଷମ କରନ୍ତୁ ଏବଂ ନିୟମିତ ଭାବେ ଆକାଉଣ୍ଟ ଷ୍ଟେଟମେଣ୍ଟ ଯାଞ୍ଚ କରନ୍ତୁ।
ସୋସିଆଲ ମିଡିଆରେ ସତର୍କତା, ଆପଣ ସାର୍ବଜନୀନ ଭାବେ ସେୟାର କରୁଥିବା ବ୍ଯକ୍ତିଗତ ତଥ୍ଯକୁ ସୀମିତ ରଖନ୍ତୁ। ଅଜଣା ବ୍ଯକ୍ତିଙ୍କ ଠାରୁ ଫ୍ରେଣ୍ଡ୍ ରିକ୍ଯୁଏଷ୍ଟ ଭିଡିଓ କଲ୍ କିମ୍ବା ମେସେଜ୍ ପ୍ରତି ସାବଧାନ ରୁହନ୍ତୁ। ଏହା ବ୍ଲାକମେଲ୍ କରିବାର ଏକ ପ୍ରୟାସ ହୋଇପାରେ ବୋଲି ବକ୍ତାମାନେ ସୂଚନା ଦେଇଥିଲେ ।
କଲ୍ ଏବଂ ମେସେଜ୍ ସଚେତନତା, ସରକାର, ପୋଲିସ ଏବଂ ବ୍ୟାଙ୍କ୍ କେବେବି ପରିଚୟ ଯାଞ୍ଚ ପାଇଁ ଟଙ୍କା, OTP କିମ୍ବା ଭିଡିଓ କଲ୍ ପାଇଁ କୁହନ୍ତି ନାହିଁ। ଯଦି କୌଣସି କଲ୍ କରୁଥିବା ବ୍ଯକ୍ତି ଗିରଫ କରିବାର ଧମକ ଦିଏ କିମ୍ବା ଟଙ୍କା ଦାବି କରେ, ତୁରନ୍ତ କଲ୍ କାଟି ଦିଅନ୍ତୁ ଏବଂ ପୋଲିସକୁ ଜଣାନ୍ତୁ।
ସୁରକ୍ଷିତ ଅନଲାଇନ୍ ସପିଂ କରିବାକୁ ହେଲେ କେବଳ ଭେରିଫାଏଡ୍ (ଯାଞ୍ଚ ହୋଇଥିବା) ଇ-କମର୍ସ ପ୍ଲାଟଫର୍ମରୁ ସପିଂ କରନ୍ତୁ। ଅଜଣା ବିକ୍ରେତାଙ୍କୁ ଆଗୁଆ ଟଙ୍କା ଦିଅନ୍ତୁ ନାହିଁ କିମ୍ବା ଯେଉଁ ଅଫର୍ ବିଶ୍ବାସ କରିବାକୁ କଷ୍ଟ ଲାଗୁଥାଏ, ତାହାଠାରୁ ଦୂରେଇ ରହିବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ।
କୌଣସି କମ୍ପାନୀ, ଚାକିରି ଅଫର୍ ଏବଂ ନିବେଶ ପ୍ଲାଟଫର୍ମ ସହିତ ଜଡ଼ିତ ହେବା ପୂର୍ବରୁ ସେମାନଙ୍କ ପ୍ରୋଫାଇଲକୁ ଭଲ ଭାବେ ଯାଞ୍ଚ କରନ୍ତୁ। ମେସେଜରେ ଆସିଥିବା ନମ୍ବର ପରିବର୍ତ୍ତେ ସିଧାସଳଖ କମ୍ପାନୀର ଅଫିସିଆଲ୍ ୱେବସାଇଟରୁ କଷ୍ଟମର୍-କେୟାର୍ ନମ୍ବର ବାହାର କରି ଯୋଗାଯୋଗ କରନ୍ତୁ।
କୌଣସି ସନ୍ଦେହଜନକ କାର୍ଯ୍ୟକଳାପ କିମ୍ବା ଆର୍ଥିକ କ୍ଷତି ହେଲେ, ଗୋଲ୍ଡେନ୍ ଆୱାର୍ (ପ୍ରଥମ ଘଣ୍ଟା) ମଧ୍ୟରେ ଜାତୀୟ ସାଇବର୍ ହେଲ୍ସଲାଇନ୍ ୧୯୩୦ରେ କଲ୍ କରି ଜଣାନ୍ତୁ କିମ୍ବା https://cybercrime.gov.inରେ ଇ-ମେଲ କରିବାକୁ ଆଜିର ସାଇବର ସୁରକ୍ଷା ଅଭିଯାନ ଓଡିଶା-୨୦୨୫ରେ ବକ୍ତାମାନେ ପରାମର୍ଶ ଦେଇଥିଲେ।
ମୁଖ୍ୟ ଅତିଥି ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ନିଜ ବକ୍ତବ୍ୟରେ କହିଥିଲେ ଯେ ଅକ୍ଟୋବର ୧୮ ତାରିଖରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ବାରା ଉଦ୍ଘାଟିତ ହୋଇଥିବା ଏହି ସଚେତନତା ଅଭିଯାନ ଲୋକଙ୍କୁ ସଚେତନ କରାଇବ। ଉପସ୍ଥିତ ବୁଦ୍ଧି ନଥିବା ଲୋକଙ୍କୁ ସାଇବର ଠକ ଠକୁଛନ୍ତି ବୋଲି ବିଧାୟକ ଶ୍ରୀ ତନ୍ତୀ କହିବା ସହିତ ପ୍ଲାଷ୍ଟିକର ବର୍ଜନ ଏବଂ ନଦୀରେ ଛାତ୍ର ଛାତ୍ରୀ ନ ଗାଧୋଇବାକୁ ପରାମର୍ଶ ଦେଇଥିଲେ। ସୁନ୍ଦରଗଡ ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସାଇବର କ୍ରାଇମ୍ ଦ୍ବାରା ଲୋକମାନେ ଯେଉଁ ଭଳି ଶୀକାର ହେଉଛନ୍ତି, ସେମାନେ ଏହି ସଚେତନତା ଯୋଗୁଁ ସଚେତନ ହୋଇପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ। ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଏହି ସଚେତନତା ଦ୍ବାରା ଛାତ୍ର ଛାତ୍ରୀ, ନିଜେ ସତର୍କ ହେବା ସହିତ ଅନ୍ଯମାନଙ୍କୁ ସଚେତନ କରାଇବେ। ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ ଏହି ସଚେତନତା ଅଭିଯାନ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ, ପ୍ରତ୍ୟେକ ବ୍ଯକ୍ତି ନିଜର ପରିଚୟ ପତ୍ର ସହିତ ନିଜର ବ୍ଯକ୍ତିଗତ ବୀବରଣୀ କାହାକୁ ନ ଦେବାକୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଅତିରିକ୍ତ ଏସପି ରାଜକିଶୋର ମିଶ୍ର ସ୍ବାଗତ ଭାଷଣ,ସଭାର ଆଭିମୁଖ୍ୟ ସମ୍ପର୍କରେ ଓ ଶେଷରେ ପାନପୋଷ ଏସଡିପିଓ ରଶ୍ମିରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ବିଶ୍ବଜିତ ପରିଚାଳନା କରିଥିବା ବେଳେ ଏଥିରେ ସଚେତନତା ବାର୍ତ୍ତା ଦେବାପାଇଁ ସାୟରା ମାସ୍କଟ କୁ ପ୍ରଦର୍ଶିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ, ସଚେତନ ନାଗରିକ, ପୁଲିସ ଅଧିକାରୀଗଣ, ବହୁ ସଂଖ୍ୟାରେ ସାମ୍ବାଦିକମାନେ ଯୋଗଦେଇ ଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

