ନିଷ୍କାମ ଭକ୍ତଙ୍କ ନିକଟରେ ହାରିଗଲା ମୃତ୍ୟୁ
ଆକାଶକ ଜଣେ ନିଷ୍କାମ ଭକ୍ତ ଥିଲେ । ସେ ସ୍ତୁଳ ଶରୀରରେ ବିଶ୍ୱାସ କରିବା ବଦଳରେ ସର୍ବଦା ପ୍ରଭୁ ଭକ୍ତିରେ ଲୀନ ରହୁଥିଲେ । ତାଙ୍କର କୌଣସି ବସ୍ତୁ ପ୍ରତି କାମନା ନଥିଲା କିମ୍ବା ଭୟ ନଥିଲା । ଥରେ ମୃତ୍ୟୁ ତାଙ୍କ ଉପରେ ନିୟନ୍ତ୍ରଣ ସାଵ୍ଯସ୍ତ କରିବା ଲାଗି ଚାହିଁଲା, କିନ୍ତୁ ସେ ନିରାଶ ହୋଇ ଫେରିଗଲା । ମୃତ୍ୟୁ ସିଧାସଳଖ ଯମରାଜାଙ୍କ ପାଖକୁ ଗଲା ଏବଂ କହିଲା – ମୁଁ ଆଜି ପର୍ଯ୍ୟନ୍ତ ଖାଲି ହାତରେ କେବେ ଫେରିନାହିଁ । ଏହି ଦୁନିଆରେ ସମସ୍ତଙ୍କୁ ଦିନେ ନା ଦିନେ ମୃତ୍ୟୁବରଣ କରିବାକୁ ପଡିବ । ତଥାପି ଆକାଶକଙ୍କ ନିକଟରେ ଏପରି କ’ଣ ଅଛି ଯଦ୍ବାରା ସେ ମୋତେ ଡରୁନାହାନ୍ତି । ତା’ର କଥା ଶୁଣି ଯମରାଜ ସ୍ମିତ ହସି କହିଲେ- ଏହି ଦୁନିଆରେ କାମନାଗ୍ରସ୍ତ ଜୀବ ନିଜ ଇନ୍ଦ୍ରିୟ ଲାଳସା ଦ୍ବାରା ପ୍ରେରିତ ହୋଇ ଜୀବନଧାରଣ କରିଥାଏ । କିନ୍ତୁ ଆକାଶକଙ୍କ ମନରେ କୌଣସି କାମନା ନାହିଁ । ଏହି କାରଣରୁ ସେ ସ୍ଥୁଳ ଶରୀର ପ୍ରତି ଗୁରୁତ୍ୱ ଦେଇନାହାନ୍ତି । ସେ ସୂକ୍ଷ୍ମ ଶରୀର ଅର୍ଥାତ୍ ଆତ୍ମାକୁ ଚିହ୍ନି ତାହାରି ସହିତ ବୁଲୁଛନ୍ତି । ତୁମେ ତାଙ୍କର କାମନା ଏବଂ ବାସନାକୁ ଜାଣିନେଲେ ତାଙ୍କୁ ମାରିବାରେ ସଫଳ ହେବ । ଯାଅ ! ସେ ବିଷୟରେ ଜାଣିବାକୁ ପ୍ରୟାସ କର । ମୃତ୍ୟୁ ପୃଥିବୀକୁ ଆସିଲା ଏବଂ ଗୁପ୍ତ ରୂପରେ ଆକାଶକଙ୍କ ସହିତ ରହିଲା । କିନ୍ତୁ ଆକାଶକ ତାକୁ ଖୁବ୍ ସହଜରେ ଚିହ୍ନିନେଲେ । ତେବେ ଏହାର ପ୍ରଭାବ ତାଙ୍କ ଉପରେ ପଡିଲା ନାହିଁ । ସେ ସତ୍ ପ୍ରେରଣା ପ୍ରଦାନ କରି ଭିନ୍ନ ଭିନ୍ନ ସ୍ଥାନରେ ବିଚରଣ କରିବାକୁ ଲାଗିଲେ । ଦିନେ ସେ ବୁଲି ବୁଲି କାଶୀ ରାଜାଙ୍କ ଉଦ୍ଯାନରେ ପହଞ୍ଚିଲେ । କାଶୀ ରାଜାଙ୍କ ନବଯୌବନା କନ୍ୟା ସେହି ସମୟରେ ଉଦ୍ଯାନରେ ନିର୍ମିତ ସରୋବରରେ ସ୍ନାନ କରୁଥିଲେ । ଏହି ଦୃଶ୍ୟ ଦେଖି ଆକାଶକଙ୍କୁ ଉସୁକାଇ ମୃତ୍ୟୁ କହିଲା- ବୈରାଗ୍ୟ ଭାବନା ଛାଡିଦିଅ ଏବଂ ଶରୀର ଧାରଣ କରିନିଅ । ଏହି ସୁନ୍ଦରୀଙ୍କୁ ବରଣ କରି ନିଜ ଜୀବନକୁ ତୃପ୍ତ କର । ଏହାଶୁଣି ଆକାଶକ ହସିଲେ ଏବଂ କହିଲେ- ମୁଁ ଏହାଙ୍କୁ ପିଣ୍ଡ ରୂପେ ସ୍ଥାପିତ ହେବା ଠାରୁ ଆରମ୍ଭ କରି ହାଡ଼ମାଂସର ଶରୀରରେ ବଡ଼ ହେବା ପର୍ଯ୍ୟନ୍ତ ଦେଖିଛି । ଏହି ହାଡ଼ମାଂସ ଶରୀର ଭୋଗ କରି କେହି କ’ଣ କେଵେ ସନ୍ତୁଷ୍ଟ ହୋଇଛି । ମୋର କୌଣସି ଇଚ୍ଛାରେ ବାନ୍ଧି ହୋଇ ଜନ୍ମ-ମୃତ୍ୟୁର ଚକ୍ରରେ ପଡିବାକୁ ଚାହୁଁନାହିଁ । ଏହାଶୁଣି ମୃତ୍ୟୁ ଅବାକ୍ ହୋଇଗଲା । ସେ ଯମରାଜାଙ୍କ ପାଖକୁ ଫେରିଗଲା ଏବଂ କହିଲା- ହେ ଦେବ, ନିଷ୍କାମ ଭକ୍ତକୁ ମୃତ୍ୟୁ କୌଣସି ହାନି ପହଞ୍ଚାଇ ପାରେନାହିଁ । ଆକାଶକ ଶେଷରେ ମୋକ୍ଷ ପ୍ରାପ୍ତ କରି ପରମତତ୍ତ୍ବରେ ବିଲୀନ ହୋଇଗଲେ ।।
ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା
ସମ୍ପାଦକ – ମୋ ଅନୁଷ୍ଠାନ
ଆଳଦା, ଖଇରା, ବାଲେଶ୍ବର