ଖରା
ସୁକାନ୍ତ ଖଣ୍ଡା
ଟୋପାଏ ଜଳକୁ ସଭିଙ୍କର ମନ
ଉଦ୍ଭିଦ ହେଉ ବା ପ୍ରାଣୀ
ସହି ନ ପାରିକି ଆକୁଳ ବ୍ଯାକୁଳ
ନ ପାଇ ଆଖିରୁ ପାଣି।୧
ବଣ ଜଙ୍ଗଲରେ ନିଆଁ ଜଳିବାରୁ
ପୋଡି଼ କି ଛାନିଆଁ ସବୁ
ଏ ଖରାକୁ ଆଜି ନିବୃତ୍ତ ସକାଶେ
କିଏ ବା କରିବ କାବୁ?୨
ଶାସନ ସକାଶେ ମରତେ ଓହ୍ଲାଇ
କର୍ମର ଅଧିନ ହୋଇ
କାହାକୁ ଛାଡୁନି ସଂସାର ହାଟରେ
କୁଆଡେ଼ ଧର୍ମକୁ ଥୋଇ।୩
ଜଗତରେ ସିଏ ସବୁ ହିଁ ଜଳକୁ
ଶୋଷଣ କରିବା ଆଶା
ଗାଡି଼ଆ ନାଳକୁ ଶୁଖାଇ ମାରିବ
ହୃଦୟେ ବାନ୍ଧିଛି ବସା।୪
ଖରାର ପାଟିରୁ ନିଆଁ ବାହାରୁଛି
ହାବୁଡେ଼ ପାଇଲେ ସିଏ
ଚାଟିବ ତାହାର ଲକ୍ଷ୍ଯ ଓ ଉଦ୍ଦେଶ୍ଯ
ଭୋକରେ ସଢୁଛି ଯିଏ।୫
ବଡ଼ ନିର୍ଦ୍ଦୟ ଏ ଖରାର ରୋଷଣୀ
ଦୟା ମାୟା ନୁହେଁ ମୋଟେ
ହୃଦୟ କନ୍ଦରେ ଅନନ୍ତ ହିଁ ଶୋଷ
କଷଣ ଦେବାକୁ ଘଟେ।୬
ଜଳଚର ଆଜି ଆକୁଳ ନୟନେ
ଚାହିଁକି ମରନ୍ତି ନିତି
ଅଥଚ ଖରାର କାହା ପ୍ରତି ମୋଟେ
ମନରେ ହିଁ ନାହିଁ ପ୍ରୀତି।୭
ପଶୁ ଆଉ ପକ୍ଷୀ ଜଳର ସନ୍ଧାନ
କରିକରି ମରୁଛନ୍ତି
ଝାଉଁଳି ଗଲାଣି ବଣ ସବୁଜିମା
ଆଉ ରହୁନାହିଁ କାନ୍ତି।୮
ଜଗତ କଲ୍ଯାଣ ହୋଇପାରେ ଖରା
କିନ୍ତୁ ଦେଖ ବର୍ତ୍ତମାନ
ମଉଳି ଗଲାଣି ଆଶାର ଆଲୋକ
ଭାବନ୍ତି ହେବେ ନିଶ୍ଚିହ୍ନ।୯
ରଖିନିଅ ଖରା ମର୍ତ୍ତ୍ଯର ଏ ଶିରି
ଝଟକୁ ଥିଲା ଯା’ଦିନେ
କେତେ କନ୍ଦାଇବ ଉଦ୍ଭିଦ ପ୍ରାଣୀଙ୍କୁ
ଦେହ ମନ ନାହିଁ ଧ୍ଯାନେ?୧୦
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର