୭୯- ଧର୍ମଗଡ଼ ବିଧାନସଭା ନିର୍ଵାଚନ ମଣ୍ଡଳୀର ଖସଡ଼ା ଭୋଟର ତାଲିକା ପ୍ରକାଶିତ
୧୫ ହଜାର ୫୮୨ ଜଣ ଭୋଟର ତାଲିକା ରୁ ବାଦ ପାଇଁ ଚିହ୍ନଟ….
ଭାରତ ନିର୍ଵାଚନ ଆୟୋଗ ଙ୍କ ନିର୍ଦ୍ଦେଶ ଅନୁଯାୟୀ ଚାଲିଥିବା ସ୍ବତନ୍ତ୍ର ସଘନ ସଂଶୋଧନ ୨୦୨୬ ପରିପ୍ରେକ୍ଷୀରେ ୭୯- ଧର୍ମଗଡ଼ ବିଧାନସଭା ନିର୍ଵାଚନ ମଣ୍ଡଳୀର ଖସଡ଼ା ଭୋଟର ତାଲିକା (ଡ୍ରାଫ୍ଟ ଇଲେକ୍ଟ୍ରରାଲ ରୋଲ୍) ଆଜି ପ୍ରକାଶ କରଯାଇଛି।
ଆଜି ଧର୍ମଗଡ଼ ଉପ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ସମସ୍ତ ରାଜନୈତିକ ଦଳ ମାନଙ୍କୁ SIR ଖସଡ଼ା ଭୋଟର ତାଲିକା ପ୍ରକାଶ ହେଲା ପରେ ଭୋଟର ତାଲିକା ପ୍ରଦାନ କରିଥିଲେ।
ପ୍ରକାଶିତ ଭୋଟର ତାଲିକା ଅନୁଯାୟୀ,୭୯- ଧର୍ମଗଡ଼ ବିଧାନସଭା ନିର୍ଵାଚନ ମଣ୍ଡଳୀରେ ପୂର୍ବରୁ ମୋଟ ୨ଲକ୍ଷ ୬୩ ହଜାର ୪୯ ଜଣ ଭୋଟର ଥିଲେ।ସ୍ବତନ୍ତ୍ର ସଘନ ସଂଶୋଧନ ୨୦୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ ବୁଥ ସ୍ତରୀୟ ଅଧିକାରୀ ମାନଙ୍କ ଦ୍ୱାରା ଘରକୁ ଘର ଯାଇ କରାଯାଇଥିବା ଯାଞ୍ଚ ରେ ୨ଲକ୍ଷ ୪୭ ହଜାର ୪୬୭ ଜଣ ଭୋଟର ଙ୍କୁ ସଫଳତାର ସହ ଚିହ୍ନଟ କରାଯାଇଛି।
ଏହି ଯାଞ୍ଚ ସମୟରେ ୮ହଜାର ୪୭୯ ମୃତ,୫ ହଜାର ୩୯୮ ଜଣ ସ୍ଥାୟୀ ଭାବେ ସ୍ଥାନାନ୍ତରିତ,୬୨୪ ଜଣ ଅନ୍ୟତ୍ର ପଞ୍ଜିକୃତ,୯୮୩ ଜଣ ଅନୁପସ୍ଥିତ ଓ ୯୮ ଜଣ ଅନ୍ୟାନ୍ୟ ବୈଧ କାରଣରୁ ଏପରି ମୋଟ ୧୫ ହଜାର ୫୮୨ ଜଣ ଭୋଟର ତାଲିକା ରୁ ବାଦ ପାଇଁ ଚିହ୍ନଟ ହୋଇଥିବା ଉପଜିଲ୍ଲାପାଳ ସୁଚନା ପ୍ରଦାନ କରିଥିଲେ।
ଏହା ବ୍ୟତୀତ, ଭୋଟ ଗ୍ରହଣ କେନ୍ଦ୍ର ଗୁଡ଼ିକର ଯୁକ୍ତି ସଙ୍ଗତ ପରିବର୍ତ୍ତନ କରାଯାଇ ପୂର୍ବରୁ ଥିବା ୨୯୪ ଟି ବୁଥ ସହ ଅତିରିକ୍ତ ୬୭ ଗୋଟି ନୂତନ ବୁଥ ସୃଷ୍ଟି କରାଯାଇ ଥିବାରୁ ୭୯- ଧର୍ମଗଡ଼ ବିଧାନସଭା ନିର୍ଵାଚନ ମଣ୍ଡଳୀରେ ମୋଟ ୩୬୧ ଗୋଟି ଭୋଟ ଗ୍ରହଣ କେନ୍ଦ୍ର ରହିଛି। ଯାଞ୍ଚ ହୋଇଥିବା ଭୋଟର, ବାଦ୍ ପାଇଥିବା ଭୋଟର, ଏଵଂ ବ୍ଲକ ଭିତ୍ତିକ ଓ ବର୍ଗ ଭିତ୍ତିକ ର ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ସଂଲଗ୍ନ କରାଯାଇଛି।
ଏହି ଖସଡ଼ା ଭୋଟର ତାଲିକା ଉପରେ ଦାବି ଓ ଆପତ୍ତି କରାଯିବାର ସମୟ ସୀମା ଆସନ୍ତା ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ରହିଛି। ଦାବୀ ଓ ଆପତ୍ତି ସମ୍ବନ୍ଧୀୟ ନୋଟିସ ଜାରୀ ଏଵଂ ଶୁଣାଣି କାର୍ଯ୍ୟ ୫.୭.୨୦୨୬ ଠାରୁ ୨.୯.୨୦୨୬ ପର୍ଯ୍ୟନ୍ତ କରାଯିବ।ସମସ୍ତ ଦାବୀ ଓ ଆପତ୍ତି ର ସମାଧାନ ପରେ ଆସନ୍ତା ସେପ୍ଟେମ୍ବର ୬ ତାରିଖ ୨୦୨୬ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ।
ସମସ୍ତ ରାଜନୈତିକ ଦଳ, ବୁଥ ସ୍ତରୀୟ ଏଜେଣ୍ଟ, ଭୋଟର ଏଵଂ ସାଧାରଣ ଜନ ସାଧାରଣ ପ୍ରକାଶିତ ଭୋଟର ତାଲିକାକୁ ଯାଞ୍ଚ କରି ଆବଶ୍ୟକ ସ୍ଥଳେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଦାବୀ କିମ୍ୱା ଆପତ୍ତି ଦାଖଲ କରନ୍ତୁ ବୋଲି ଉପଜିଲ୍ଲାପାଳ ଅନୁରୋଧ କରିଥିଲେ।
ଆଜିର ସ୍ୱତନ୍ତ୍ର ସଘନ ବୈଠକରେ ୭୯- ଧର୍ମଗଡ଼ ବିଧାନସଭା ନିର୍ଵାଚନ ମଣ୍ଡଳୀର ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ସହକାରି ଜିଲ୍ଲାପାଳ (ନିର୍ବାଚନ) ଶ୍ରୀକାନ୍ତ ଶତପଥୀ, ବରିଷ୍ଠ ରାଜସ୍ୱ ସହାୟକ ବିଜୁ ବେମାଲ,ବିଜେଡି, ବିଜେପି , କଂଗ୍ରେସ, ବିଏସପି ପ୍ରମୁଖ ଦଳର ପ୍ରତିନିଧି ଓ ଗଣ ମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

