ବିଏସଏଫ ଯବାନଙ୍କ ଝିଅ ସୃଷ୍ଟି ପ୍ରିୟଦର୍ଶିନୀ ପଢ଼ିବେ ଡାକ୍ତରୀ
ବରଗଡ଼, ନୂଆଦିଲ୍ଲୀ ୨୭/୮: ବରଗଡ଼ ବ୍ଲକ ଅନ୍ତର୍ଗତ ବଗେଇବିରା ମାଟିର ଝିଅକୁ କଠିନ ପରିଶ୍ରମ, ଦୃଢ଼ ଇଚ୍ଛାଶକ୍ତି ଓ ନିଷ୍ଠାର ଫଳ ମିଳିଛି। ସୀମା ସୁରକ୍ଷା ବଳ (BSF) ରେ କାର୍ଯ୍ୟରତ ଯବାନ ଅର୍ଜୁନ ଷଣ୍ଢ ଓ ମାତା ଟିକିରାଣୀ ଷଣ୍ଢଙ୍କ ସୁପୁତ୍ରୀ ସୃଷ୍ଟି ପ୍ରିୟଦର୍ଶିନୀ ଷଣ୍ଢ ମେଡିକାଲ ଶିକ୍ଷା କ୍ଷେତ୍ରରେ ଏକ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। ସେ ଏକାସାଙ୍ଗରେ ଜାତୀୟ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷା NEET, CUET ଏବଂ OUAT ରେ ଉତ୍ତୀର୍ଣ୍ଣ ହୋଇ ନିଜ ଅଞ୍ଚଳର ଓ ଓଡ଼ିଶା ପାଇଁ ଗୌରବ ଆଣିଦେଇଛନ୍ତି। ସୃଷ୍ଟି ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ଆର୍.କେ. ପୁରମ୍ (Sector-2) କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ଛୋଟବେଳୁ ଜଣେ ଦକ୍ଷ ଡାକ୍ତର ହୋଇ ସମାଜର ସେବା କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା। ତାଙ୍କର ଏହି ନିଷ୍ଠାବାନ୍ ପ୍ରଚେଷ୍ଟା ଓ ଉଲ୍ଲେଖନୀୟ ସଫଳତା ପାଇଁ ଦିଲ୍ଲୀର ବିଏସଏଫ୍ ମେଡିକାଲ ଅଫିସର IG (Inspector General – Medical) ତାଙ୍କୁ ବିଶେଷ ଭାବେ ସମ୍ମାନିତ ଓ ପୁରସ୍କୃତ କରିଛନ୍ତି।
ସୂଚନାଯୋଗ୍ୟ ଯେ, ସୃଷ୍ଟିଙ୍କ ନାମ ଓଡ଼ିଶାର ପ୍ରସିଦ୍ଧ MKCG Medical College (ବ୍ରହ୍ମପୁର) ରେ MBBS ଶିକ୍ଷା ପାଇଁ ଚୟନ ହୋଇଥିବାରୁ ପରିବାର, ଆତ୍ମୀୟସ୍ୱଜନ, ଗ୍ରାମବାସୀ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ଜଣେ ବିଏସଏଫ ଯବାନଙ୍କ ଝିଅ ଭାବେ ସୃଷ୍ଟିଙ୍କ ଏହି ଚମତ୍କାର ସଫଳତା ଅନ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣାର ଉତ୍ସ। ତାଙ୍କର ଏହି ସଫଳତା ପଛରେ ତାଙ୍କର ଅକ୍ଳାନ୍ତ ପରିଶ୍ରମ ସହ ପିତାମାତାଙ୍କ ସମର୍ଥନ, ତ୍ୟାଗ ଓ ଶିକ୍ଷକମାନଙ୍କ ସଠିକ୍ ମାର୍ଗଦର୍ଶନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭବିଷ୍ୟତରେ ଜଣେ ସଫଳ ଓ ସେବା ମନୋଭାବସମ୍ପନ୍ନ ଡାକ୍ତର ହୋଇ ଦେଶ ଓ ସମାଜର ସେବା କରିବାକୁ ସୃଷ୍ଟି ଲକ୍ଷ୍ୟ ରଖିଛନ୍ତି। ସୃଷ୍ଟି ପ୍ରିୟଦର୍ଶିନୀଙ୍କ ଏହି ସଫଳତା ପାଇଁ ଗୋବିନ୍ଦପୁର ଗ୍ରାମପଞ୍ଚାୟତର ପ୍ରଥମ ଐତିହାସିକ ଉପଲବ୍ଧି ହୋଇଥିବାରୁ ଅଞ୍ଚଳରେ ବିଭିନ୍ନ ମହଲରୁ ତାଙ୍କୁ ଅନେକ ଅଭିନନ୍ଦନ ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛାର ସ୍ରୋତ ଛୁଟୁଛି ।
ବ୍ୟୁରୋ ରିପୋର୍ଟ….

