ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଶନ ଜିରୋ ୱେଷ୍ଟ ଡମ୍ପିଂ: ସ୍ୱଚ୍ଛତା ସହ ଦୃଢ଼ ହେବ ନିୟମ ପାଳନ ନୂଆପଡ଼ାରେ ୨୭ଟି ସ୍ଥାନ ସଫେଇ; ଉଲ୍ଲଂଘନକାରୀଙ୍କ ପାଇଁ ‘ଜିରୋ ଟଲରେନ୍ସ’ ନୀତି 

ମିଶନ ଜିରୋ ୱେଷ୍ଟ ଡମ୍ପିଂ: ସ୍ୱଚ୍ଛତା ସହ ଦୃଢ଼ ହେବ ନିୟମ ପାଳନ

ନୂଆପଡ଼ାରେ ୨୭ଟି ସ୍ଥାନ ସଫେଇ; ଉଲ୍ଲଂଘନକାରୀଙ୍କ ପାଇଁ ‘ଜିରୋ ଟଲରେନ୍ସ’ ନୀତି 

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ସ୍ୱଚ୍ଛତା ହିଁ ସେବା-୨୦୨୬ ଅଭିଯାନ ଅବସରରେ ନୂଆପଡ଼ା ଜିଲ୍ଲା ପ୍ରଶାସନର ‘ମିଶନ ଜିରୋ ୱେଷ୍ଟ ଡମ୍ପିଂ’ ଅଭିଯାନ ଜିଲ୍ଲାବ୍ୟାପୀ ଜୋରଦାର ହୋଇଛି। ଅବ୍ୟବସ୍ଥିତ ଭାବେ ଆବର୍ଜନା ପକାଯାଉଥିବା ଛୋଟଛୋଟ ସ୍ଥାନଗୁଡ଼ିକୁ ଚିହ୍ନଟ କରି ସଫେଇ କରିବା ସହ ଆବର୍ଜନା ନିକ୍ଷେପ, ଜଳାଇବା ଓ ନିଷିଦ୍ଧ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର ବିରୋଧରେ ପ୍ରବର୍ତ୍ତନମୂଳକ ପଦକ୍ଷେପ ନିଆଯାଉଛି।

ଜିଲ୍ଲାର ସମସ୍ତ ବ୍ଲକ ଓ ଏନ୍‌ଏସି ଅଞ୍ଚଳରେ ୮ଟି ଜିଲ୍ଲା ସ୍ୱଚ୍ଛତା ଦଳ ମାଧ୍ୟମରେ ଅଭିଯାନ ଚାଲିଛି। ଏପର୍ଯ୍ୟନ୍ତ ପ୍ରାୟ ୨୭ଟି ସିଟିୟୁ ସଫେଇ କରାଯାଇଥିବାବେଳେ ପ୍ରାୟ ୨ ଟନ୍‌ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରାଯାଇଛି। ସେହିପରି ପ୍ରାୟ ୧୫୦ କିଲୋଗ୍ରାମ ନିଷିଦ୍ଧ ଏସ୍‌ୟୁପି ଜବତ କରାଯାଇଛି। ନିୟମ ଉଲ୍ଲଂଘନ କ୍ଷେତ୍ରରେ ପ୍ରାୟ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇଛି।

ଏ ସମ୍ପର୍କରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ମଧୁସୂଦନ ଦାଶ କହିଛନ୍ତି ଯେ, ସ୍ୱଚ୍ଛତା କେବଳ ଗୋଟିଏ ଦିନର ଅଭିଯାନ ନୁହେଁ, ଏହା ଏକ ନିରନ୍ତର ସାମାଜିକ ଦାୟିତ୍ୱ। ଆବର୍ଜନା ପକାଇବା, ଜଳାଇବା କିମ୍ବା ନିଷିଦ୍ଧ ଏସ୍‌ୟୁପି ବ୍ୟବହାର କରି ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତି ବା ପ୍ରତିଷ୍ଠାନ ବିରୋଧରେ ଜିରୋ ଟଲରେନ୍ସ ନୀତି ଅବଲମ୍ବନ କରାଯିବ। ଜନସଚେତନତା ସହିତ ନିୟମର ଦୃଢ଼ ଅନୁପାଳନ ସୁନିଶ୍ଚିତ କରାଯିବ।ସ୍ୱଚ୍ଛତା ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବା ସହ ସମୁଦାୟ ମାଲିକାନା, ଦାୟିତ୍ୱବୋଧ ଓ ନିୟମିତ ସ୍ୱଚ୍ଛତା ଅଭ୍ୟାସକୁ ସୁଦୃଢ଼ କରିବା ଦିଗରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଉଛି। ପ୍ରଶାସନର ଏହି ପ୍ରୟାସ ସହ ପ୍ରତ୍ୟେକ ନାଗରିକଙ୍କ ସହଯୋଗ ହିଁ ଅଭିଯାନକୁ ସ୍ଥାୟୀ ସଫଳତା ଦେଇପାରିବ। ତେଣୁ ନୂଆପଡ଼ାବାସୀ ନିଜ ଘର, ଦୋକାନ, ପ୍ରତିଷ୍ଠାନ ଓ ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ ରଖିବା ସହ ଆବର୍ଜନାକୁ ଏଣେତେଣେ ନପକାଇ ନିର୍ଦ୍ଧାରିତ ସ୍ଥାନରେ ଦେବାକୁ ଆହ୍ୱାନ କରାଯାଇଛି। ଖୋଲା ସ୍ଥାନରେ ଆବର୍ଜନା ନଜଳାଇବା, ନିଷିଦ୍ଧ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ବ୍ୟବହାର ଓ ବିକ୍ରୟରୁ ଦୂରେଇ ରହିବା ସହ ପରିବେଶ ଅନୁକୂଳ ବିକଳ୍ପକୁ ଆପଣାଇବା ପାଇଁ ମଧ୍ୟ ଜନସାଧାରଣଙ୍କୁ କୁହାଯାଇଛି।

“ସ୍ୱଚ୍ଛତା ପ୍ରଶାସନର ଏକାକୀ ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ। ଆସନ୍ତୁ, ଆମେ ସମସ୍ତେ ନିଜ ଅଞ୍ଚଳର ସ୍ୱଚ୍ଛତାର ଦାୟିତ୍ୱ ନିଜେ ନେବା, ଆବର୍ଜନାମୁକ୍ତ ପରିବେଶ ଗଢ଼ିବା ଏବଂ ‘ମିଶନ ଜିରୋ ୱେଷ୍ଟ ଡମ୍ପିଂ’କୁ ଏକ ସ୍ଥାୟୀ ଜନଆନ୍ଦୋଳନରେ ପରିଣତ କରିବା,” ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆପଡ଼ାବାସୀଙ୍କୁ ଆହ୍ୱାନ ଜଣାଯାଇଛି। ଜନସହଭାଗିତା, ସାମୂହିକ ସଙ୍କଳ୍ପ ଓ ଦାୟିତ୍ୱବୋଧରେ ହିଁ ଗଢ଼ିଉଠିବ *ସ୍ୱଚ୍ଛ, ସୁସ୍ଥ, ସବୁଜ ଓ ଜିରୋ ୱେଷ୍ଟ ନୂଆପଡ଼ା।

Related posts

ନ୍ୟାୟ ଅପେକ୍ଷାରେ ରାଜ୍ୟବ୍ୟାପୀ ଲକ୍ଷ ଲକ୍ଷ ଅସନ୍ତୁଷ୍ଟ ଗ୍ରାହକ ଜାଣୁନି ପ୍ରଶାସନ,ବୁଝୁନି ସରକାର

masiha

ମୃତ୍ତିକା ସଂରକ୍ଷଣ ବିଭାଗର ଚେକ୍‌ଡେମ ନିର୍ମାଣରେ ଦୁର୍ନୀତି ର ଗନ୍ଧ : ଛଅ ମାସ ନ ଯାଉଣୁ ଧରାଶାୟୀ  

masiha

+୨ ବିଜ୍ଞାନ,କଳା ଓ ବାଣିଜ୍ୟ ବିଭାଗରେ ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ସମ୍ବର୍ଦ୍ଧନା

Leave a Comment

error: Content is protected !!