ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ସେବା ଜ୍ୟୋତି ଯାତ୍ରାର ସଫଳତା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ: ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ
ନବରଙ୍ଗପୁର;(୦୫ ଅକ୍ଟୋବର୨୦୨୬)(ରବି ନାରାୟଣ ମହାନ୍ତି)ସେବା ସଂକଳ୍ପ ଅଭିଯାନ ପରିପ୍ରେକ୍ଷୀରେ ଆସନ୍ତା ଅକ୍ଟୋବର ୭ ତାରିଖରେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ‘ସେବା ଜ୍ୟୋତି ଯାତ୍ରା’ର ସୁଚାରୁ ଆୟୋଜନ ଓ ପରିଚାଳନା ନିମନ୍ତେ ଆଜି ଉମରକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ବୈଠକରେ ଅଧ୍ୟକ୍ଷତା କରିଥିଲେ।ଜିଲ୍ଲାର ସମସ୍ତ ବ୍ଲକ୍ ମୁଖ୍ୟାଳୟରୁ ଯୁବକ-ଯୁବତୀମାନେ ନିଜ ନିଜ ‘ସେବା ଜ୍ୟୋତି’ ଯାନ ଓ ସାଂସ୍କୃତିକ ଦଳ ସହ ଯୋଗଦେଇ ଉମରକୋଟଠାରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବାରୁ ଏହାର ସୁଚାରୁ ପରିଚାଳନା ନିମନ୍ତେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା।ବୈଠକରେ ମାନ୍ୟବର ସାଂସଦ ଶ୍ରୀ ବଳଭଦ୍ର ମାଝୀ, ମାନ୍ୟବର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ମାନ୍ୟବର ବିଧାୟକ ଶ୍ରୀ ନରସିଂହ ଭତ୍ରା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ମାଝୀ, ଉପାଧ୍ୟକ୍ଷ ଶ୍ରୀ ଲିଙ୍ଗରାଜ ଭତ୍ରା, ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଡଃ ପ୍ରମୋଦ କୁମାର ପୃଷ୍ଟି, ଶ୍ରୀ ବିଶ୍ୱଜିତ ବର୍ମନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ କୁମାର ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ, ଉମରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ।ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ମୁଖ୍ୟାଳୟରୁ ‘ସେବା ଜ୍ୟୋତି ଯାତ୍ରା’ ଆରମ୍ଭ କରି ଉମରକୋଟରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ଏକତ୍ରିତ ହେବା ନେଇ ବିସ୍ତୃତ ରୂପରେଖା ଉପରେ ଆଲୋଚନା ହୋଇଥିଲା। ପ୍ରତ୍ୟେକ ବ୍ଲକ୍ରୁ ଯୁବକ-ଯୁବତୀମାନେ ନିଜ ନିଜ ‘ସେବା ଜ୍ୟୋତି’ ଯାନ ସହ ଯାତ୍ରାରେ ଯୋଗଦେବା ସହ ସମ୍ପୃକ୍ତ ସାଂସ୍କୃତିକ ଦଳଗୁଡ଼ିକ ଯାତ୍ରା ଓ ମୁଖ୍ୟ କାର୍ଯ୍ୟକ୍ରମରେ ସାଂସ୍କୃତିକ ପ୍ରଦର୍ଶନ କରିବେ।
ଯାତ୍ରାର ସୁଚାରୁ ପରିଚାଳନା ପାଇଁ ରୁଟ୍ ମ୍ୟାପ୍ ପ୍ରସ୍ତୁତି, ପ୍ରତ୍ୟେକ ଯାତ୍ରା ପାଇଁ ପ୍ରଭାରୀ ନିଯୁକ୍ତି, ଯାନବାହନ ବ୍ୟବସ୍ଥା, ଟ୍ରାଫିକ୍ ଓ ପାର୍କିଂ ପରିଚାଳନା, ଅଂଶଗ୍ରହଣକାରୀଙ୍କ ପାଇଁ ପାନୀୟ ଜଳ ଓ ଜଳଖିଆ ବ୍ୟବସ୍ଥା ଏବଂ ସ୍ଥାନୀୟ ପ୍ରଶାସନ ଓ ପୋଲିସ ସହ ସମନ୍ୱୟ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ଏହା ସହିତ ଉମରକୋଟସ୍ଥିତ ମୁଖ୍ୟ କାର୍ଯ୍ୟକ୍ରମ ସ୍ଥଳରେ ମଞ୍ଚ, ସାଉଣ୍ଡ ସିଷ୍ଟମ୍, ଏଲଇଡି ସ୍କ୍ରିନ୍, ଭିଡିଓ କନଫରେନ୍ସିଂ, ଇଣ୍ଟରନେଟ୍ ସଂଯୋଗ, ଆଲୋକୀକରଣ ଓ ଅନ୍ୟାନ୍ୟ ଆବଶ୍ୟକ ବୈଷୟିକ ବ୍ୟବସ୍ଥା ସୁନିଶ୍ଚିତ କରିବା ସହ ଜିଲ୍ଲା ଆଇଟି ଟିମ୍ର ସହଯୋଗ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଜିଲ୍ଲାର ସମସ୍ତ ବ୍ଲକ୍ରୁ ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣ, ‘ସେବା ଜ୍ୟୋତି’ ଯାନ ଓ ସାଂସ୍କୃତିକ ଦଳର ଯୋଗଦାନ ମାଧ୍ୟମରେ ଏହି ଯାତ୍ରାକୁ ଜନସଂପୃକ୍ତ ଓ ସୁସଂଗଠିତ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।ମାନ୍ୟବର ମନ୍ତ୍ରୀ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଡିଓମାନଙ୍କୁ ନିଜ ନିଜ ଦାୟିତ୍ୱ ଅନୁଯାୟୀ ପୂର୍ବ ପ୍ରସ୍ତୁତି ସମ୍ପନ୍ନ କରିବା ସହ ବିଭିନ୍ନ ବିଭାଗ ଓ ବ୍ଲକ୍ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟକ୍ରମକୁ ସୁଚାରୁ ଓ ସଫଳତାର ସହ ପରିଚାଳନା କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

