ଚିଠି ଆଉ ରାତି
ରାତି ଶୋଇଯାଏ
ନିଘୋଡ଼ ନିଦରେ
ଶିଶିର ଚାଦର ତଳେ
ଘୁମନ୍ତ ଆକାଶ
ବିଶାଳ ବକ୍ଷରେ
ନୀରବରେ ଜହ୍ନ ଜଳେ.
ଜୋଛନାରେ ତାର
ମୁଗ୍ଧ କୁମୁଦିନୀ
ପ୍ରୀତିର ମଧୁର ସ୍ପର୍ଶେ
ପ୍ରଣୟ କୁସୁମ
ମଧୁ ପାଖୁଡ଼ାରେ
ତନୁ ଭିଜିଯାଏ ହର୍ଷେ.
ଆକାଶ ଶୋଇଛି
ନିଘୋଡ଼ ନିଦରେ
ସପନର ଝୁଲଣାରେ
ପଲକରେ ଭରା
ସପନ ପସରା
ସନ୍ତୁଷ୍ଟିର ଅଗଣାରେ.
ସେଇ ସପନରେ
ମନ କାଗଜରେ
ଲେଖୁଛି ମୁଁ ଚିଠିଟିଏ
ଚିଠିରେ ଲେଖିଛି
ଗୋପନ ବାରତା
ଭରି ପ୍ରୀତି ଆଞ୍ଜୁଳାଏ.
ନିଦ ତୁଟିଗଲେ
ତୁଟିଯିବ ସ୍ବପ୍ନ
ହଜିଯିବ ଚିଠି ମୋର
କଥା ରହିଯିବ
ଅକୁହା ଅଜଣା
ଝରିଯିବ ଲୁହ ଧାର.
ରହିଯାରେ ରାତି
ଅଟକିଯା ଜହ୍ନ
କହିନାହିଁ ମନ କଥା
ଲେଖି ସାରିନାହିଁ
ଚିଠିଟିଏ ତାଙ୍କୁ
ଜଣାଇ ମନର ବ୍ୟଥା.
ସରିଗଲେ ରାତି
ହଜିଯିବ ପ୍ରୀତି
ନିଦ ଯିବ ଅପସରି
ରହିଯାରେ କ୍ଷଣେ
ହୃଦୟ କାଗଜେ
ଚିଠିଲେଖା ଯାଉ ସରି. କହିପାରେ ନାହିଁ
ମନ ଯେଉଁ କଥା
ଚିଠିଦେବ ମୋର କହି
କଲମର ଭାଷା
ହୃଦ ପରିଭାଷା
ପଢିନେବ ପ୍ରାଣସହୀ.