ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିପତି ପ୍ରଧାନ ଙ୍କ କବିତା ଯାନ ଭଙ୍ଗା ହେରାପଞ୍ଚମୀ 

 ଯାନ ଭଙ୍ଗା ହେରାପଞ୍ଚମୀ 

 

ବଡ଼ କପଟିଆ କାଳିଆ

           କପଟକୁ ଆଚରି

ନେଲ ନାହିଁ ମାତା କମଳା

           କାଳେ ଯିବଟି ହାରି (1)

ପଦ୍ମାଳୟା ସାଥେ ରହିଲେ

         ମାଉଁସୀ ମା ବ୍ୟଞ୍ଜନ

ପାଇବନି କାଳେ ଭାବିଲ

          ଦଗା ଦିଆ ମୋହନ (2)

ଶଙ୍କା ରହିଥିଲା ତୋ ମନେ

        ହାତ ରାନ୍ଧଣା ଲଷ୍ମୀ

ଭୁଞ୍ଜିଣ ଗୁଣ୍ଡିଚା କହିବେ

          କିଛି ଦିନ ରହୁଟି (3)

ତୋ ଠାରୁ ସେନେହ ଅଧିକ

           ପଦ୍ମା ପାଇବେ ବୋଲି

ଛାଡି ଚାଲିଗଲ ମାତାଙ୍କୁ

            କପଟିଆ ମୂରଲୀ (4)

ତ୍ରେତୟାରେ ରାମ ରୂପରେ

            ବନେ ସାଥେ ନେଇଛ

ଦୈତ୍ୟଙ୍କୁ ବିନାଶି ମହୀରେ

            ପାପ ଭାରା ନାଶିଛ (5)

ସୀତାଙ୍କ ହରଣ ରାବଣ

              -ମରଣଟି ହୋଇଲା

ନାମ ନେବେ କାଳେ ଇନ୍ଦିରା

             ମନେ ଦକ ରହିଲା (6)

ଦ୍ୱାପରେ ରାଧିକା ତୁମରି

            ପ୍ରେମେ ହୋଇଣ ବାଇ

ତୁମ ନାମ ଆଗୁ ଭକତ

             ରାଧେକୃଷ୍ଣ ଭଜଇ (7)

ନୀଳ କନ୍ଦେ ବିଶ୍ୱ ଭକତ

             ତଵ ଦର୍ଶନ ସାରି

ଚାହିଁ ରହିଥାନ୍ତି ଅଭଡ଼ା 

           ସିନ୍ଧୁସୁତା ତିଆରି (8)

ଆନନ୍ଦ ବାଜରେ ବସିଣ

            ଜାତି ଭେଦକୁ ଭୁଲି

ପ୍ରସାଦ ସାଉଁଟି ଖାଆନ୍ତି

           ହେଜ ଶଖା ପାଞ୍ଚାଳୀ (9)

ତ୍ରେତୟା ଅସତୀ ଦ୍ୱାପରେ

            ପ୍ରେମ ବାୟାଣୀ କରି

ତଡି, ଛାଡି ଚାଲି ଯାଇଛ

           ମାନ ଯାଇନି ପୁରି (10)

ତଵ ଇଛା ବିନା ଘଟଣା

            ଘଟିବ କି? ବିଶ୍ୱରେ

ନାଟକୁ ଲଗାଇ ନାଟୁଆ

         ନାଚୁ ଥେଇ ଥେଇରେ (11)

ଲୋକମାତା ଖ୍ୟାତ ପୂଜିତା

           ସହି ପାରିଲ ନାହିଁ

ଯାନ ଭଙ୍ଗା ହେରା ପଞ୍ଚମୀ

            ରଚି ଅଛ ଗୋସାଇଁ (12)

ତୁମ ମନ ବାଞ୍ଛା ପୂରଣ

             କରିବାରେ ମା ରମା

ଯାନ ଭାଙ୍ଗି କଳି ହୁଡ଼ିକୁ

              ବୋହି ଭାବି ସୁଷମା (13)

ମୁଁ ଅଧମ କାହୁଁ ଜାଣିବି

     ତଵ କୃତ ମହିମା

କର ଯୋଡି କରେ ଗୁହାରି

        ପାପ କର ହେ କ୍ଷମା (14)

        ତ୍ରିପତି ପ୍ରଧାନ

ସଂସ୍କୃତ ଶିକ୍ଷକ, ଚିକିଟି, ଗଞ୍ଜାମ

 

Related posts

କାଶ୍ମୀରୀ ହିନ୍ଦୁଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଚିନ୍ତାଶୀଳ ହେବା ଉଚିତ – କୁସୁମ..

Sunil Chandra Nayak

କଳାହାଣ୍ଡି ଜିଲ୍ଲାର ୧୩ ଜିଲ୍ଲା ପରିଷଦ ଆସନ ଫଳାଫଳ ଘୋଷଣା,ବିଜେଡି କୁ ୧୧ ବିଜେପି କୁ ୨ଆସନ କଂଗ୍ରେସ ସୁନ

Sunil Chandra Nayak

ରାଉରକେଲା କଲେଜରେ ବିଶ୍ବ ଏଡ୍ସ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!