ଶ୍ରୀ ଜୀଉ ଙ୍କ ସୁନାବେଶ….
ଶ୍ରୀ ଜଗନ୍ନାଥ ହେଉଛନ୍ତି ରାଜଧିରାଜ। ତାଙ୍କର ରୀତି ନୀତି, ବେଶ, ଭୋଗ ଇତ୍ୟାଦିରେ ରାଜକୀୟ ଠାଣି ପରିଲକ୍ଷିତ ହୋଇଥାଏ।ଶ୍ରୀ ଜଗନ୍ନାଥଙ୍କ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବେଶ ହୋଇଥାଏ।ସ୍ଵତ୍ତ୍ୱ ଲିପି ଅନୁଯାୟୀ, ବର୍ଷକ ମଧ୍ୟରେ ଅନୁଷ୍ଠିତ ପ୍ରାୟ ୨୪ରୁ ଉର୍ଦ୍ଧ୍ବ ବେଶ ମଧ୍ୟରୁ ଶ୍ରୀଜୀଉ ମାନଙ୍କର ସୁନାବେଶ ବା ରାଜବେଶ ଅନ୍ୟତମ ମାନମୁଗ୍ଧକର ଅଟେ।ଏହି ବେଶରେ ଠାକୁର ମାନେ ମହଣ ମହଣ ବିବିଧ ସ୍ଵର୍ଣ ଅଳଙ୍କାର ରେ ସୁସଜ୍ଜିତ ହୋଇଥାନ୍ତି। ହାତ ପାଦ ନଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କ ବିରଳ ରୂପକୁ ଦେଖିଲେ ଭକ୍ତଙ୍କ ପାପମୁକ୍ତ ହୁଏ ବୋଲି ବିଦିତ ଅଛି।
ଚତୁର୍ଦ୍ଧା ମୂର୍ତ୍ତିଙ୍କ ବେଶ ସଂଖ୍ୟା କେତେକ ୩୨ ବୋଲି କହୁଥିବା ବେଳେ ଏହା ପ୍ରକୃତରେ ୨୪ ବୋଲି ଜଣାପଡିଛି।ଏଥିରୁ ପ୍ରତିବର୍ଷ ଶ୍ରୀ ମନ୍ଦିରରେ ୨୨ ଟି ବେଶ ହେଉଥିବା ବେଳେ ଦୁଇଟି ସ୍ୱତନ୍ତ୍ର ବେଶ ଅନ୍ୟ ତିଥିରେ ଅନୁଷ୍ଠିତ ହୋଇଥାଏ।ଏହି ଦୁଇଟି ସ୍ୱତନ୍ତ୍ର ବେଶ ହେଉଛି କାର୍ତ୍ତିକ ମାସର ନାଗାର୍ଜୁନ ବେଶ ଓ ଚୈତ୍ର ମାସର ରଘୁନାଥ ବେଶ।ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ପାଞ୍ଚ ଦିନ ପରିବର୍ତ୍ତେ ଛଅ ଦିନ ହୁଏ ସେହି ବର୍ଷ ନାଗାର୍ଜୁନ ବେଶ ହୁଏ।ରଘୁନାଥ ବେଶ ହେଉଛି ଏକ ରାଜକୀୟ ବେଶ।ଏହା ଶ୍ରୀ ରାମଚନ୍ଦ୍ର ଙ୍କର ଅଭିଷେକ ଉତ୍ସବର ବେଶ।୧୯୦୫ ମସିହାରେ ଶ୍ରୀ ମନ୍ଦିରରେ ଶେଷ ଥର ପାଇଁ ଏହି ବେଶ ଅନୁଷ୍ଠିତ ହୋଇଥିଲା।
ପ୍ରତିବର୍ଷ ମହାପ୍ରଭୁଙ୍କ ର ଏହି ରାଜବେଶ ବା ସୁନାବେଶ ପ୍ରାୟ ପାଞ୍ଚ ଥର ଅନୁଷ୍ଠିତ ହୋଇଥାଏ। ଏହି ବେଶ ସାଧାରଣତଃ ବିଜୟା ଦଶମୀ(ଦଶହରା),ପୌଷ ପୂର୍ଣ୍ଣିମା(ପୁସ୍ୟାଭିଷେକ),ଦୋଳ ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା ଓ ଆଷାଢ଼ ଶୁକ୍ଳ ଏକାଦଶୀ(ରଥ ଉପରେ) ଅନୁଷ୍ଠିତ ହୋଇଥାଏ।
ଶ୍ରୀ ଜଗନ୍ନାଥଙ୍କ ର ସୁନାବେଶ କେବେ ଆରମ୍ବ ହୋଇଥିଲା ତାହାର ନିର୍ଦ୍ଦିଷ୍ଟ ତଥ୍ୟ ପ୍ରମାଣ ନଥିଲେ ବି କୁହାଯାଏ ଯେ, ଅନଙ୍ଗ ଭୀମଦେଵ ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥ ଙ୍କୁ ଉତ୍କଳର ସମ୍ରାଟ ତଥା ରାଷ୍ଟ୍ର ଦେବତା ବୋଲି ଘୋଷଣା କରିଥିଲେ ଓ ପ୍ରଚୁର ପରିମାଣରେ ସୁନା ରୁପା ଆଦି ଅଳଙ୍କାର ଶ୍ରୀଜୀଉ ମାନଙ୍କୁ ଅର୍ପଣ କରିଥିଲେ।ସେହି ସମୟର ରୀତି ନୀତି ଓ ପରମ୍ପରା କୁ ନେଇ ସୁନାବେଶ ର ସୃଷ୍ଟି ହୋଇଥିବା ମନେ ହୁଏ।
ଗବେଷକ ମାନଙ୍କ ମତରେ ସୁନାବେଶ ର ଉତ୍ପତ୍ତି ୧୨୩୨ ଖ୍ରୀଷ୍ଟାଦ୍ଧ ବୋଲି ନିରୂପଣ କରିଛନ୍ତି।ବର୍ଷକ ମଧ୍ୟରେ ମୋଟ ପାଞ୍ଚଥର ସୁନାବେଶ ମଧ୍ୟରୁ ଚାରି ଗୋଟି ସୁନାବେଶ ଶ୍ରୀ ମନ୍ଦିର ରତ୍ନ ସିଂହାସନ ରେ ଅନୁଷ୍ଠିତ ହେଉଥିବାବେଳେ ଆଷାଢ଼ ମାସ ଶୁକ୍ଳ ଏକାଦଶୀ ଦିନ ସିଂହ ଦ୍ଵାର ସଂମ୍ମୁଖସ୍ଥ ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶକୁ ସର୍ବଧର୍ମ,ସର୍ବ ମତବାଦର ଜନସାଧାରଣ ତଥା ଭକ୍ତ ଗଣ ଦର୍ଶନ କରିଥାନ୍ତି। ଏହି ସୁନାବେଶର ଅନ୍ୟ ନାମ ହେଉଛି ରାଜବେଶ ବା ରାଜ ରାଜେଶ୍ୱର ବେଶ ଏହାକୁ ବଡ ଚଢାଉ ବେଶ ମଧ୍ୟ କୁହାଯାଏ।ଇତିହାସ କୁ ଅନୁଶୀଳନ କଲେ ଜଣାଯାଏ ଯେ,୧୪୬୦ ଖ୍ରୀଷ୍ଟାଦ ରେ ରାଜା କପିଳେନ୍ଦ୍ର ଦେଵ ମାଆ ଜୟ ଦୁର୍ଗାଙ୍କ କୃପାରୁ ସମଗ୍ର ଦକ୍ଷିଣାଞ୍ଚଳ ବିଜୟ ଲାଭ କରି ପ୍ରାୟ ୧୬ ଗୋଟି ହସ୍ତୀ ପୃଷ୍ଟରେ ବିପୁଳ ଧନରତ୍ନ ଲଦି ନିଜ ରାଜ୍ୟକୁ ଆଣିଥିଲେ।ଏତେ ପରିମାଣର ଧନରତ୍ନ କୁ ସେ ନିଜ ରାଜଉଆସ ରେ ନରଖି ଶ୍ରୀମନ୍ଦିର ରେ ମହାପ୍ରଭୁ ମାନଙ୍କୁ ଉତ୍ସର୍ଗ କରିବାର ନିଷ୍ପତ୍ତି ନେଇଥିଲେ।ଏହି ସ୍ଵର୍ଣ ଅଳଙ୍କାର ରେ ଚତୁର୍ଦ୍ଧା ମୂର୍ତ୍ତିକୁ ସଜା ଯାଇଥିଲା ଓ ଏଥିରେ ଗଜପତି ଖୁବ ଖୁସି ଅନୁଭବ କରିଥିଲେ।ଗଜପତି ଙ୍କ ଏହି କାର୍ଯ୍ୟ କୁ ସବୁ ଆଡୁ ପ୍ରଶଂସା କରାଯାଇଥିଲା ହେଲେ ବଡ ଚଢାଉ ସେବକ ମାନେ ଗଜପତି ଙ୍କୁ ଜଣାଇଥିଲେ ଯେ, ରତ୍ନ ସିଂହାସନ ଉପରେ ବର୍ଷ ତମାମ ଶ୍ରୀଜୀଉଙ୍କ ବେଶ ଅନୁଷ୍ଠିତ ହେଉଛି ଯାହାକି ସ୍ୱଳ୍ପ ଭକ୍ତଙ୍କ ମଧ୍ୟରେ ସିମୀତ ରହିଯାଉଛି।ସକଳ ବର୍ଗ ର ଲୋକ ମାନଙ୍କୁ ଦର୍ଶନ କରାଇବା ପାଇଁ ରଥଯାତ୍ରା ର ଅନ୍ତିମ ପର୍ଯ୍ୟାୟରେ ସିଂହଦ୍ଵାର ଠାରେ ଏହି ବେଶ କରାଯିବା ପାଇଁ ପ୍ରସ୍ତାବ ଦେଇଥିଲେ ଓ ଏହା ରାଜାଙ୍କ ମନକୁ ପାଇଥିଲା ଏବଂ ଏହା ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜା ନିର୍ଦେଶ ଦେଇଥିଲେ।ସେହି ଦିନଠାରୁ ଚତୁର୍ଦ୍ଧା ମୂର୍ତ୍ତିକୁ ରଥ ଉପରେ ସ୍ୱର୍ଣ୍ଣ ଅଳଙ୍କାର ର ବେଶ କରାଯାଇଥିଲା। ରାଜା କପିଳେନ୍ଦ୍ର ଦେବ ୧୩୮ ପ୍ରକାର ରତ୍ନ ଖଚିତ ସ୍ଵର୍ଣ ଅଳଙ୍କାର ନିର୍ମାଣ କରି ପ୍ରଥମେ ଶ୍ରୀ ବିଗ୍ରହ ମାନଙ୍କୁ ବଡ ଏକାଦଶୀ ଦିନ ସୁସଜ୍ଜିତ କରାଇଥିଲେ।ସେବକ ମାନେ ଏହି ବେଶ ପାଇଁ ଅନୁରୋଧ କରିଥିଲେ ତେଣୁ ଏହି ସୁନାବେଶ ବଡ ଚଢାଉ ବେଶ ନାମରେ ବିଦିତ ହୋଇ ଆସୁଛି।
ସବୁ ସୁନାବେଶ ରାଜବେଶ ନୁହେଁ…. ଅତୀତରେ ସ୍ୱର୍ଣ୍ଣ ଦାନର ସ୍ମାରକୀ ସ୍ୱରୂପ ସୁନିଆ ଦିନ ମହାପ୍ରଭୁ ମାନଙ୍କ ସୁନାବେଶ କରାଯାଉଥିଲା। ସମ୍ପ୍ରତି ଉକ୍ତ ଦିବସରେ ଶ୍ରୀ ଜୀଉ ସୁନାବେଶ ପରିବର୍ତ୍ତେ ବାମନ ବେଶରେ ସୁସଜ୍ଜିତ ହେଉଛନ୍ତି।
ରାଜା ରାଜମୁକୁଟ ପରିଧାନ ଓ ଅସ୍ତ୍ରଶସ୍ତ୍ର ଧାରଣ କରିବା ସଦୃଶ ସୁନାବେଶର ହସ୍ତପାଦ ଖଚିତ ଅନୁପମ ଶ୍ରୀମୂର୍ତ୍ତି ତ୍ରୟ ରତ୍ନ ଜଡିତ କିରିଟ ଆୟୁଧ ସହିତ ପର୍ଯ୍ୟାପ୍ତ ପରିମାଣରେ ସ୍ୱର୍ଣ୍ଣ ଅଳଙ୍କାର ରେ ଶୋଭା ମାନ ହେଉଥିବା ରୁ ସମଗ୍ର ସନାତନୀ ସମାଜର ମହା ସମ୍ରାଟ ଭକ୍ତିର ପୃଷ୍ଟି ନିମିତ୍ତ ଆଲୋଚ୍ୟ ସୁନାବେଶ ଗୁଡିକୁ ରାଜବେଶ ନାମରେ ଅଭିହିତ କରିବା ଯଥାର୍ଥ ବୋଧ ହୋଇଥାଏ କିନ୍ତୁ ଦୋଳ ପୂର୍ଣ୍ଣିମା ରେ ଶ୍ରୀ ଜୀଉ ମାନଙ୍କୁ ସୁନାବେଶ କରାଯାଉ ଥିଲେ ମଧ୍ୟ ତାହା ରାଜବେଶ ନୁହେଁ। ସୁତରାଂ ସବୁ ରାଜବେଶ ସୁନାବେଶ ସତ କିନ୍ତୁ ସବୁ ସୁନାବେଶ ରାଜବେଶ ନୁହେଁ। ସେହିପରି କାର୍ତ୍ତିକ ପୂର୍ଣ୍ଣିମ ର ରାଜବେଶକୁ ରାଜ ରାଜେଶ୍ୱର ବେଶ ବୋଲି କୁହାଯାଇଥାଏ।
ସାଧାରଣତଃ ଶ୍ରୀଜୀଉ ମାନଙ୍କ ସକାଳ ଧୂପ, ମଧ୍ୟାହ୍ନ ଧୂପ ଇତ୍ୟାଦି ନୀତି ସରିବା ପରେ ସୁନାବେଶ ଆରମ୍ଭ ହୋଇଥାଏ।ଏହି ବେଶରେ ମେକାପ ନିଯୋଗ, ପୁଷ୍ପାଲକ,ଖୁଣ୍ଟିଆ ସେବକ ସାହାଯ୍ୟ କରିଥାନ୍ତି।ଏମାନଙ୍କ ସହିତ ରଥ ଉପରେ ଦଇତାପତି ସେବକ ମାନେ ଅଂଶ ଗ୍ରହଣ କରିଥାନ୍ତି।ଶ୍ରୀ ବିଗ୍ରହ ମାନଙ୍କ ଏହି ରାଜବେଶରେ ତିନି ଠାକୁରଙ୍କୁ ପାଟ ବସ୍ତ୍ରରେ ସଜ୍ଜିତ କରାଯିବ ସହ ଭିତରଛ ମହାପାତ୍ର ମହାପ୍ରଭୁ(ଜଗନ୍ନାଥ) ଙ୍କ ବାଡ଼ରେ, ତଳିଛ ମହାପାତ୍ର ବଡ ବାଡ଼(ବଳଭଦ୍ର) ଓ ପାଳିଆ ପୁଷ୍ପାଲକ ସୁଭଦ୍ରା ଙ୍କ ବାଡ଼ରେ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଓ ପୁଷ୍ପ ଅଳଙ୍କାର ଲାଗି ବେଶ କରିଥାନ୍ତି।
ଅନ୍ୟ ଦିନ ମାନଙ୍କରେ ହେଉଥିବା ସୁନାବେଶ ଅପେକ୍ଷା ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ କୁ ଦେଖିବାକୁ ଭକ୍ତ ମଧ୍ୟରେ ବହୁ ଉତ୍ସାହ ଦେଖିବାକୁ ମିଳିଥାଏ।ଯେହେତୁ ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସବୁ ଭକ୍ତଙ୍କୁ କୋଳେଇ ନେବାକୁ କଳା ଠାକୁର ଭାଇ ଭଉଣୀ ଙ୍କୁ ଧରି ବଡ଼ ଦାଣ୍ଡରେ ବିଜେ କରୁଥିବାରୁ ପ୍ରବଳ ଜନସମାଗମ ହୋଇଥାଏ।
କେଉଁ ଠାକୁର ଙ୍କ ପାଇଁ କେଉଁ ଅଳଙ୍କାର…
ଶ୍ରୀ ବଳଭଦ୍ର…
ଶ୍ରୀ ପୟର, ଶ୍ରୀଭୁଜ, କିରିଟ, ଓଡ଼ିଆଣି, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ,ଆଡ଼କାନି, ଘାଗଡା ମାଳି, କଦମ୍ବ ମାଳି, ଅଳକା, ଝୋବା କଣ୍ଠି, ହଳ ଓ ମୁଷଳ, ବାହାଡ଼ା ମାଳି, ବାଘନଖି ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମରପଟି
ଶ୍ରୀ ସୁଭଦ୍ରା….
କିରିଟ, ଓଡ଼ିଆଣି, କାନ,ଚନ୍ଦ୍ରସୂର୍ଯ୍ୟ,ଘାଗଡା ମାଳି,କଦମ୍ବ ମାଳି, ତଡଗି ୨ଟି, ସେବତୀ ମାଳି,
ଶ୍ରୀ ଜଗନ୍ନାଥ….
ଶ୍ରୀଭୁଜ, କିରିଟ,ଶ୍ରୀପୟର ଓଡ଼ିଆଣି,କାନ ଚନ୍ଦ୍ରସୂର୍ଯ୍ୟ,ଆଡ଼କାନି, ଘାଗଡା ମାଳି, କଦମ୍ବ ମାଳି,ତିଳକ, ଚନ୍ଦ୍ରିକା,ଅଳକା, ଝୋବାକଣ୍ଠି,ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ ହରିଡା କଦମ୍ବ ମାଳି, ବାହାଡ଼ା ମାଳି,ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମରପଟି.
ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କର ଏହି ପବିତ୍ର ସୁନାବେଶ ଦର୍ଶନ ନିମନ୍ତେ ପ୍ରତିବର୍ଷ ଲକ୍ଷାଧିକ ଭକ୍ତ ଙ୍କର ଶ୍ରୀ ମନ୍ଦିରରେ ତଥା ସିଂହଦ୍ଵାର ରେ ସମାବେଶ ହୋଇଥାଏ।
ଵିଦ୍ୟାଧର ସାହୁଙ୍କ ସଂଗୃହୀତ ରିପୋର୍ଟ…..