ଆଜି ଶ୍ରାବଣ କୃଷ୍ଣ ସପ୍ତମୀ ତିଥି । ଏହି ଶ୍ରାବଣ କୃଷ୍ଣ ସପ୍ତମୀ ତିଥି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉ ମାନଙ୍କର ‘ବନକଲାଗି’ ବା ‘ଶ୍ରୀମୁଖ ସିଂହାର’ ନୀତି ଅନୁଷ୍ଠିତ ହେବ। ଏହି ନୀତି ଦ୍ବିତୀୟ ଭୋଗମଣ୍ଡପ ପରେ ଅନୁଷ୍ଠିତ ହେବାକୁ ନୀତି ନିର୍ଘଣ୍ଟ ହୋଇଛି। ଏହି ନୀତି ସମୟରେ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ୍ ରଖାଯାଇଛି। ବାନକଲଗି ନୀତି ପାଇଁ ଆଜି ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବାନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ବନକ ଲାଗି ଅର୍ଥ…..
ବନକ ଲାଗିର ଅର୍ଥ ହେଉଛି ଶ୍ରୀବିଗ୍ରହମାନଙ୍କୁ ବର୍ଣ୍ଣ-କରିବା ବା ରଙ୍ଗ କରିବା। ଏହାକୁ ଶ୍ରୀମନ୍ଦିରର ପାରମ୍ପରିକ ଭାଷାରେ ‘ବନକଲାଗି’ ବୋଲି କୁହାଯାଏ। ଛତିଶାନିଯୋଗ ସେବାକାରୀଙ୍କ ମଧ୍ୟରୁ ଦତ୍ତ ମହାପାତ୍ର ସେବକମାନେ ଏହି ନୀତି ସମ୍ପନ୍ନ କରିଥାନ୍ତି। ରୂପା ପିଙ୍ଗଣ ବା ବଟାରେ ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଏହି ନୀତି ସମ୍ପନ୍ନ ହୋଇଥାଏ। ବନକଲାଗି ସମୟରେ ଅନ୍ୟ କୌଣସି ନୀତି ପାଳନ ହୋଇ ନ ଥାଏ । ଏଥିପାଇଁ ମହାପ୍ରଭୁଙ୍କ ଦର୍ଶନକୁ ମଧ୍ୟ ବନ୍ଦ କରିଦିଆ ଯାଇଥାଏ।
ପ୍ରତିମାସରେ ହାରାହାରି ଦୁଇଥର ଶ୍ରୀଜୀଉମାନଙ୍କର ମୁଖଶ୍ରୀର ପ୍ରସାଧନ (ରଙ୍ଗଲାଗି) ବା ବନକ ଲାଗି ହୋଇଥାଏ । ବନକ ଲାଗି ରୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କଦ୍ୱାରା କରାଯାଇଥାଏ । ନିୟମ ଅନୁଯାୟୀ ବୁଧବାର ଦିନ ବନକ ଲାଗି ହୋଇଥାଏ । ଦି’ପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖସିଂହାର କରନ୍ତି । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ (ପ୍ରାୟ ତିନି ଘଣ୍ଟା ସମୟ) ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହେ । ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ ।କବି ସାଲବେଗ ମହାପ୍ରଭୁଙ୍କ ଶ୍ରୀମୁଖ ଦେଖି ଲେଖିଛନ୍ତି ‘ଝଲମଲ ଦିଶୁଥାଇ ମୁକୁତାର ଝଟକ’ । କୌଣସି ଆଭୂଷଣ ନଥାଇ ମହାପ୍ରଭୁଙ୍କ ମୁଖମଣ୍ଡଳ ଭକ୍ତଙ୍କୁ ଆକର୍ଷିତ କରେ । ଏହି ଆକର୍ଷଣର କାରଣ ମୁହଁର ରଙ୍ଗବିନ୍ୟାସ । ଏହି ରଙ୍ଗବିନ୍ୟାସ ବା ବନକଲାଗି ନୀତି ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି । ଏମାନଙ୍କୁ ଦତ୍ତ ମହାପାତ୍ର କୁହାଯାଏ । ଏମାନଙ୍କ କାମ ହେଲା ରଙ୍ଗପ୍ରସ୍ତୁତ କରିବା ଓ ବିଗ୍ରହରେ ଲଗାଇବା । ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହେଉଥିବାରୁ, ବିଧିମତେ ଥରେ ବନକଲାଗି ପାଇଁ ୭ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୁଏ । ବଜାରରେ ମିଳୁଥିବା ରଙ୍ଗ ବନକଲାଗିରେ ବ୍ୟବହାର ହୁଏ ନାହିଁ । ମହାପ୍ରଭୁଙ୍କ ଲାଗି ଉର୍ଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତ ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି । ଏହାକୁ ବନକଲାଗି ଘର କୁହାଯାଏ । ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ । ରତ୍ନସିଂହାସନ ଆଗରେ ଯେଉଁ ଭୋଗ ବଢାହୁଏ ତା’ର ଗରମବାଷ୍ପ ଯୋଗୁଁ ମୁଖମଣ୍ଡଳର ଉଜ୍ଜଳତା କମିଯାଏ । କସ୍ତୁରୀ ବ୍ୟବହାର ଯୋଗୁଁ ରଙ୍ଗ ଦୀର୍ଘସ୍ଥାୟୀ ହୁଏ ।
କେମିତି ହୁଅନ୍ତି ବନକ….
ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ସୁଦର୍ଶନ ଆଦି ଚାରି ବିଗ୍ରହଙ୍କୁ ବନକ ଲାଗି କରାଯାଏ। ଧଳା, କଳା, ନାଲି ଓ ହଳଦିଆ ଭଳି ୪ଟି ରଙ୍ଗ ଏଥିପାଇଁ ବ୍ୟବହୃତ ହୋଇଥାଏ। ଧଳା ପାଇଁ ଶୁଦ୍ଧ ଶଙ୍ଖ ଗୁଣ୍ଡ, କଳାରଙ୍ଗ ପାଇଁ ଦୀପକଳା, ହଳଦିଆ ରଙ୍ଗ ଲାଗି ହରିତାଳ, ନାଲି ରଙ୍ଗ ଲାଗି ହିଙ୍ଗୁଲ ଭଳି ପାରମ୍ପରିକ ରଙ୍ଗ ବ୍ୟବହାର କରାଯାଏ। ଏହି ରଙ୍ଗକୁ ବଟାଯାଇ ରୂପା ପିଙ୍ଗଣରେ ଶୁଦ୍ଧପୁତ ଭାବେ ରଖାଯାଇ କଇଥ ଅଠା ଗୋଳାଇ ଦିଆଯାଏ। ଦତ୍ତମାହାପାତ୍ର ସେବକମାନେ ରତ୍ନସିଂହାସନ ଆରୋହଣ ପୂର୍ବକୁ ମୂଷିକା ତୁଳୀରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହି ରଙ୍ଗ ସମୁହକୁ ଲାଗି କରିଥାନ୍ତି। ବନକଲାଗି ନୀତି ସମ୍ପନ୍ନ ହେବା ପରେ ମହାସ୍ନାନ କରାଯାଇ ପୁନଃ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଥାଏ ଓ ଅନ୍ୟ ନୀତି ବଢିଥାଏ।
ଅଧର ପୋଛା……
ଏହା ପ୍ରସାଧନ ଶ୍ରେଣୀୟ ଅନ୍ୟ ଏକ ଉପଚାର । ଅଧର ପୋଛା ମାସକୁ ଚାରିଥର ସାଧାରଣତଃ ପ୍ରତ୍ୟେକ ରବିବାର ଦିନ ଅନୁଷ୍ଠିତ ହୋଇଥାଏ । ଅଧର ପୋଛା ନିମନ୍ତେ ମନ୍ଦିରର ଚାଙ୍ଗଡ଼ା ଘରୁ ଆସିଥିବା ଧଳା କନା ଓ ବିମଳା ମନ୍ଦିର କୂଅର ପାଣି ବ୍ୟବହାର କରାଯାଇଥାଏ । ରବିବାର ଦିନ ଦିଅଁମାନଙ୍କର ସକାଳର ସ୍ନାନ ପୂର୍ବରୁ, ବନ୍ଦଥିବା ଗର୍ଭଗୃହ ମଧ୍ୟରେ ଦତ୍ତ ମହାପାତ୍ର କର୍ପୁର ମିଶ୍ରିତ ଜଳ ଓ କନାରେ ଦେବତାମାନଙ୍କ ମୁଖଶ୍ରୀଗୁଡ଼ିକୁ ପୋଛିଥାଆନ୍ତି । ପନ୍ଦର କୋଡ଼ିଏ ମିନଟ ସମୟରେ ଏହି ନୀତି ସମାପ୍ତ ହୋଇଥାଏ।