ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲତା ବେହେରା  ଙ୍କ କବିତା ସ୍ୱାଭିମାନ

     ସ୍ୱାଭିମାନ 

    

               ଲତା ବେହେରା 

            
ଜୀବନରେ ଯଦି ସ୍ୱାଭିମାନ ନାହିଁ
           କି ଲାଭ ସେ ବଞ୍ଚି ଥାଇ 
ମରଣଠୁ ବେଶୀ ଯନ୍ତ୍ରଣା ଦାୟକ 
          ସିଏ ଯାଇ ଥାଏ ହେଇ । 
ଆଖି ଲୁହ ତାର ଓଠ ପିଉ ଥାଏ
ଜଳି ଜଳି ଏକା ବଞ୍ଚୁ ଥାଏ ସିଏ
         ସବୁ ଦୁଃଖ ଯାଏ ପିଇ ।
ନା ନିଜର କେ ଥାଏ ହେଇ ।
ଯେଉଁ ଆଡେ ଗଲେ ନିରାଶର ବହ୍ନି
          ହୁତୁ ହୁତୁ ଜଳୁ ଥାଏ 
ତଥାପି ଜୀବନ ସଂଘର୍ଷ ନଈରେ 
          ପାଦ ଥାପି ଚାଲେ ସିଏ ।
ଲୋଭ ଲାଳସାର ସମ୍ପତ୍ତି ପାଖରେ 
         ନା କେବେ ଅଟକେ ପାଦ
ଏତେ ସ୍ୱାଭିମାନ ରହି ଥାଏ ତାର 
        ତା ପାଖେ ତୁଚ୍ଛ ସମ୍ପଦ ।
ଆଖିରେ ଥାଏ ତା ସ୍ନେହର ବନ୍ଧନ 
ମନ ହୃଦୟରେ ଭରା ସ୍ୱାଭିମାନ 
           ସଭିଁଙ୍କି ନିଏ କୋଳେଇ ।
ନା ତାକୁ କେ ବୁଝି ପାରଇ ।
ସ୍ବାଭିମାନ ଯଦି ବଳି ପଡି ଯାଏ
            ଜୀବନ ଅସହ୍ୟ ହୁଏ
ସବୁବେଳେ ମନ ଛଟ ପଟ ହୁଏ
        ହୃଦୟ ତା କାନ୍ଦୁ ଥାଏ ।
ସ୍ବାଭିମାନ ପାଇଁ ସବୁ ଯାଏ ସହି
         ସ୍ବାଭିମାନ ତା ଜୀବନ
ଏଇ ସ୍ୱାଭିମାନ ପାଇଁ ଦୁନିଆରେ 
       ମିଳି ଥାଏ ଯେ ସମ୍ମାନ ।
ଏଇ ସ୍ୱାଭିମାନ ପାଇଁ ଦୁର୍ଯ୍ୟୋଧନ
କରି ଦେଲା ଶେଷେ ଲକ୍ଷ୍ମୀଙ୍କୁ ବର୍ଜନ
          ଜାନୁ ଭଗ୍ନ ଗଲା ହେଇ ।
ନା ମଥା ଥିଲା ତାର ନଇଁ ।
ଦେଶ ସ୍ୱାଭିମାନ ପାଇଁ ଦେଶ ପ୍ରେମୀ 
          ଜୀବନକୁ ଦେଲେ ବଳି
ଶେଷେ ସ୍ୱାଧୀନତା ଆଣିଲେ ଆମର 
         ଆମେ ଅଛୁ ଆଜି ପାଳି ।
ଜାତି ସ୍ୱାଭିମାନ ରଖିଲେ ଓଡିଆ 
         ରଖିଲେ ଦେଶର ଟେକ 
ଫର ଫର ହେଇ ଉଡୁଛି ତ୍ରିରଙ୍ଗା 
        ସେ ଆମ ଗର୍ବ ଗୌରବ ।
ଜାତି ସ୍ୱାଭିମାନ ଯଦି ନ ରହିବ 
କିଏ କାହାକୁ ଆଉ ଆପଣା ମଣିବ
      ଆମେ ଯେ ଭଉଣୀ ଭାଇ ।
ଥିବା,ଗୋଟେ ମା’ର ସନ୍ତାନ ହେଇ ।
ସ୍ବାଭିମାନ ଯଦି ନ ଥାଏ ପାଖରେ
        ଜୀବନଟା ହୁଏ ବୃଥା 
ବଞ୍ଚିଥାଏ ସିନା ଏଇ ଦୁନିଆରେ 
       ନଇଁ ଯାଇ ଥାଏ ମଥା ।
ସ୍ବାଭିମାନ ଅଟେ ସେ ଏମିତିକା ନା
        କିଏ କିଣି ପାରେ ତାକୁ
ତାହାରି ନିକଟେ ନତ ମସ୍ତକ ଯେ
         କ୍ଷଣିକେ ହୁଅନ୍ତି ସବୁ ।
ଆଠ ବରଷର ସେ ବାଜି ରାଉତ 
ବୁଝି ଥିଲେ ସ୍ୱାଭିମାନର ମହତ୍ତ୍ଵ 
     ମା’ କୋଳେ ପଡିଲେ ଶୋଇ ।
ଏଇ ମାଟି ଗଲା ଧନ୍ୟ ହେଇ ।
ସ୍ବାଭିମାନ ପାଇଁ ଆମେ ଯେ ବଞ୍ଚିଛେ
           କହୁ ଅଛେ ଟେକି ମଥା 
ଛୁଇଁ ପାରୁ ନାହିଁ ହୃଦୟକୁ କଷ୍ଟ 
          ଯନ୍ତ୍ରଣା ଲାଗଇ ବୃଥା ।
ସ୍ବାଭିମାନ ଯେଉଁଠି ନ ଥିବ ଜୀବନେ
          ସେ ସ୍ଥାନକୁ ତ୍ୟାଗ କର 
ଉପରେ ସେ ଖାଲି ଅମୃତର ଧାର
           ଭିତର ପୂରା ଜହର ।
ସ୍ବାଭିମାନ ଆମ ରକତରେ ଲେଖା
ତା ପାଇଁ ଯେ ଡେଇଁ ଯିବୁ ସୀମା ରେଖା 
         ତା ପାଇଁ ରହିଛୁ ଜୀଇଁ ।
ଧନ୍ୟ ଏଇ ମାଟି ମା’ ଭୂଇଁ ।
ଆତ୍ମ ସମ୍ମାନ ଯେ ଯେଉଁଠି ନ ଥାଏ
           ସ୍ବାଭିମାନ ନଷ୍ଟ ହୁଏ
ଥରେ ସ୍ୱାଭିମାନ ନଷ୍ଟ ହେଇ ଗଲେ 
           ନା ଆଉ ଫେରି ଥାଏ ।
ଏତେ ବଡ ଦାନୀ ମହାବୀର କର୍ଣ୍ଣ 
           ଦୁର୍ଯ୍ୟୋଧନ ପାଖେ ରହି
ବଳି ପଡିଗଲା ସ୍ବାଭିମାନ ତାଙ୍କ ନା
         ପାରିଲେ କାହାକୁ କହି ।
ସ୍ବାଭିମାନ ବଞ୍ଚି ରହି ଥିବା ଜିତି
ସ୍ବାଭିମାନ ଅଟେ ଆମର ସମ୍ପତ୍ତି 
          ତା ମୂଲ କେ ପାରେ ଦେଇ ।
ସ୍ବାଭିମାନ ଥାଏ ଯେ ନିଜର ହେଇ ।

        ଜୟ ଜଗନ୍ନାଥ 

     ବନ୍ଦେ ଉତ୍କଳ ଜନନୀ 

      ବନ୍ଦେ ମାତରମ୍ 

        ଲତା ବେହେରା 

      ଜକା, ଢେଙ୍କାନାଳ 

Related posts

ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଅଭିଯୋଗ ଶୁଣାଣି

Sunil Chandra Nayak

ଶବରପଡା ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ଦାବୀ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ମୋ ଗାଆଁ ମୋ ସଂସ୍କୃତି

Sunil Chandra Nayak

Leave a Comment

error: Content is protected !!